ଜୋହାନେସବର୍ଗ: ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ଶୃଙ୍ଖଳାରେ ୨-୧ରେ ଓ ଦିନିକିଆ ଶୃଙ୍ଖଳାରେ ୫-୧ରେ ବିଜୟୀ ହେବା ପରେ ଭାରତ ଦୃଢ଼ ମନୋବଳ ଯୋଗାଇଛି। ଭ୍ରମଣକାରୀ ଦଳ ରବିବାର ଠାରୁ ଆରମ୍ଭ ହୋଇଥିବା ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ନେଇ ପ୍ରବଳ ଆଶାବାଦୀ ହୋଇଛି। ମ୍ୟାଚ୍ ବିଜୟ ନେଇ ବିରାଟ କୋହଲି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରୁଛି।
ଭାରତ ସପକ୍ଷରେ ପରିସଂଖ୍ୟାନ
ଟେ୍ଵଣ୍ଟି-୨୦ର ପୂର୍ବ ପରିସଂଖ୍ୟାନ ଭାରତ ସପକ୍ଷରେ ରହିଛି। ଉଭୟ ଦଳ ୮ ଟେ୍ଵଣ୍ଟି-୨୦ରେ ମୁହାଁ ମୁହିଁ ହୋଇଥିଲା ବେଳେ ସେଥିମଧ୍ୟରୁ ଭାରତ ୬ ମ୍ୟାଚ୍ ଜିତିଛି। ଦକ୍ଷିଣ ଆଫ୍ରିକା କେବଳ ଦୁଇଟି ମୁକାବିଲାରେ ବିଜୟ ହାସଲ କରି ପାରିଛି। ଦୁଇ ଦଳ ମଧ୍ୟରେ ଏବି ଡିଭିଲିୟର୍ସ ସର୍ବାଧିକ ୩୦୪ ରନ୍ କରିଛନ୍ତି। ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ଟେ୍ଵଣ୍ଟି-୨୦ରେ ଭାରତକୁ ମାର୍ଚ ୨୦୧୨ରେ ହରାଇଥିଲା। ରବିବାର ମ୍ୟାଚ୍ ପୂର୍ବରୁ ଭାରତ ଲଗାତାର ଚାରିଟି ଟେ୍ଵଣ୍ଟି-୨୦ ମ୍ୟାଚ୍ ଜିତିବାର ଗୌରବ ହାସଲ କରିଛି। ଏହି ଶୃଙ୍ଖଳାରେ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଏକ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ଆଉ ୪୩ ରନ୍ କଲେ ସେ ମାର୍ଟିନ ଗପ୍ଟିଏ ଏବଂ ବ୍ରେଣ୍ଡନ୍ ମ୍ୟାକଲମଙ୍କ ପରେ ତୃତୀୟ ଖେଳାଳି ଭାବେ ଟେ୍ଵଣ୍ଟି-୨୦ରେ ୨,୦୦୦ ରନ ପୂରଣ କରିବେ।
ସମ୍ଭାବ୍ୟ ଭାରତ:ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, ସୁରେଶ ରାଇନା, ମନୀଷ ପଣ୍ଡେ/ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଯସପ୍ରୀତ ବୁମରା।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା:ଜେପି ଡୁମିନି (ଅଧିନାୟକ), ଫରହାନ ବେହାରଦିନ, ଜୁନିଅର ଡାଲା, ଏବି ଡିଭିଲିୟର୍ସ, ରିଜା ହେଣ୍ଡ୍ରିକ୍ସ, କ୍ରିଷ୍ଟିଆନ ଜଙ୍କର/କ୍ରିସ୍ ମୋରିସ୍, ହେନରିକ କ୍ଲାସେନ, ଡେଭିଡ୍ ମିଲର, ଡେନ୍ ପାଟରସନ୍, ଆରୋନ ଫାଙ୍ଗିସୋ, ଆନ୍ଦେଲ ଫେଲୁକ୍ଵାଓ, ତବରେଜ ସସ୍ମୀ, ଜନ୍ ଜନ୍ ସ୍ମୁଟ୍ସ।