କେପ୍ଟାଉନ୍: ଅଷ୍ଟମ ଓ୍ଵିକେଟରେ ଶତକୀୟ ଭାଗିଦାରୀ ବଳରେ ଭାରତ ୨୦୯ ସଂଗ୍ରହ କରିଛି। ଫଳରେ ଭାରତ ପ୍ରଥମ ଇନିଂସରେ ୭୭ ରନ୍ ପଛରେ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା (୯୩)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକାର ବୋଲରମାନେ ନିଷ୍କ୍ରିୟ ହୋଇ ପଡ଼ିଥିଲେ। ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ସ୍କୋର ୧୫ ରନ୍ ଥିବା ବେଳେ ସେ ଏକ ଜୀବନଦାନ ପାଇଥିଲେ। ତାଙ୍କ କ୍ୟାଚ୍କୁ ଏଗଲର ଛାଡି ଦେଇଥିଲେ। ପାଣ୍ଡ୍ୟା ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦଳ ପାଇଁ ସମ୍ମାନ ଆଣିଥିଲେ। କେପ୍ଟାଉନ୍ ଟେଷ୍ଟର ୨ୟ ଦିନର ପ୍ରଥମ ପାଳି ୨ଓ୍ଵିକେଟରେ ୨୮ରନ୍ରୁ ଆରମ୍ଭ ହୋଇଥିଲା।
ଭାରତ ଗୋଟିଏ ପରେ ଗୋଟିଏ ଓ୍ଵିକେଟ ହରାଉ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ସଙ୍କଟମୋଚନର ଭୂମିକା ନିଭାଇ ଥିଲେ। ସେ ଭାରତର ସ୍କୋର ୧୯୯ ରନ୍ରେ କାଗିସୋ ରାବଡ଼ାଙ୍କ ବଲ ଡି କକ୍ଙ୍କୁ କ୍ୟାଚ ଦେଇଥିଲେ। ତା’ପୂର୍ବରୁ ୮ମ ଓ୍ଵିକେଟରେ ଭୁବନେଶ୍ୱର କୁମାର (୨୫) ମର୍ଣ୍ଣ ମୋର୍କେଲଙ୍କ ବଲ ଡି କକ୍ଙ୍କୁ କ୍ୟାଚ ଦେଇଥିଲେ। ଯଶପ୍ରିତ ବୁମରା ୨ ରନ୍ ପରେ ଆଉଟ ହୋଇଥିବା ବେଳେ ମହମ୍ମଦ ସାମି ଅପରାଜିତ ପାଭଲିୟନ ଫେରିଥିଲେ।
୭୬ ରନ୍ରେ ଦକ୍ଷିଣ ଆଫ୍ରିକାର ୫ମ ଶିକାର ହୋଇଥିଲେ ଚେତେଶ୍ୱର ପୂଜାରା(୨୬)। ପୂଜାରା ୯୨ ବଲ ଖେଳି ଭେରମନ୍ ଫିଲେଣ୍ଡରଙ୍କ ବଲ ଡୁ ପ୍ଲେସିସଙ୍କୁ କ୍ୟାଚ୍ ଦେଇଥିଲେ। ସେହିପରି ଦଳର ସ୍କୋର ୮୧ ରନ୍ରେ ରବିଚନ୍ଦ୍ରନ ଅଶ୍ୱିନ(୧୨) ଓ ୯୨ ରନ୍ରେ ଋଦ୍ଧିମାନ ଶାହା(୦) ପାଭଲିୟନ ଫେରିଥିଲେ। ଅଶ୍ୱିନ ୩୧ଟି ବଲ ଖେଳି ଭେରମନ୍ ଫିଲେଣ୍ଡରଙ୍କ ବଲ ଡୁ ପ୍ଲେସିସଙ୍କୁ କ୍ୟାଚ୍ ଦେଇଥିଲେ। ଡେଲ ଷ୍ଟେନ୍ଙ୍କ ବଲରେ ଋଦ୍ଧିମାନ ଶାହା ଏଲ୍ବିଡବ୍ଲୁ ହୋଇଥିଲେ।
ବିରାଟ କୋହଲି(୫) ଓ ରୋହିତ ଶର୍ମା(୧୧) ଆୟୋଜକ ଦଳର ବୋଲରଙ୍କୁ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ। କୋହଲି ମର୍ନ ମର୍କେଲଙ୍କ ବଲ କ୍ୱାଟନ ଡି କକ୍ଙ୍କୁ କ୍ୟାଚ ଦେଇଥିବା ବେଳେ କାଗିସୋ ରାବାଡାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ରୋହିତ ଶର୍ମା।
ପୂର୍ବରୁ ଶୁକ୍ରବାର ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ସମସ୍ତ ଓ୍ଵିକେଟ ହରାଇ ୨୮୬ ରନ୍ ସଂଗ୍ରହ କରିଥିଲା। ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାର ନ୍ୟୁଲାଣ୍ଡସ୍ ଷ୍ଟାଡିୟମରେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କ ଦୃଢ଼ ମନୋବଳକୁ ଭାଙ୍ଗି ପାରି ନ ଥିଲା।