କେପ୍ଟାଉନ୍: ଭାରତ କେପ୍ଟାଉନ୍ ଟେଷ୍ଟର ୨ୟ ଦିନରେ ପ୍ରଥମ ପାଳି ବ୍ୟାଟିଂ ଜାରି ରଖିଥିବା ବେଳେ ୪ଟି ଓ୍ଵିକେଟ ହରାଇ ୭୬ ରନ୍ ସଂଗ୍ରହ କରିଛି। ପ୍ରଥମ ଦିନରେ ୨୮ରନ୍ ସଂଗ୍ରହ କରି ୨ଟି ଓ୍ଵିକେଟ ହରାଇ କ୍ରଜି ଛାଡିଥିବା ଭାରତ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଶନିବାର ଆଉ ୨ଟି ଓ୍ଵିକେଟ ହରାଇଥିଲା। ବିରାଟ କୋହଲି(୫) ଓ ରୋହିତ ଶର୍ମା(୧୧) ଆୟୋଜକ ଦଳର ବୋଲରଙ୍କୁ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ। କୋହଲି ମର୍ନ ମର୍କେଲଙ୍କ ବଲ କ୍ୱାଟନ ଡି କକ୍ଙ୍କୁ କ୍ୟାଚ ଦେଇଥିବା ବେଳେ କାଗିସୋ ରାବାଡାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ରୋହିତ ଶର୍ମା।
ପୂର୍ବରୁ ଶୁକ୍ରବାର ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ସମସ୍ତ ଓ୍ଵିକେଟ ହରାଇ ୨୮୬ ରନ୍ ସଂଗ୍ରହ କରିଥିଲା। ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାର ନ୍ୟୁଲାଣ୍ଡସ୍ ଷ୍ଟାଡିୟମରେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କୁ ଦୃଢ଼ ମନୋବଳକୁ ଭାଙ୍ଗି ପାରି ନ ଥିଲା।
ଦକ୍ଷିଣ ଆଫ୍ରିକା ୨୨୧ ରନ୍ରେ ଭାରତର ୭ମ ଶିକାର ହୋଇଥିଲେ ଭେରନ ଫିଲେଣ୍ଡର(୨୩)। ସେ ମୋହମ୍ମଦ ସାମିଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ସେହିଭଳି ଦକ୍ଷିଣ ଆଫ୍ରିକାର ୮ମ ଓ୍ଵିକେଟର ପତନ ୨୫୮ ରନ୍ରେ ପଡ଼ିଥିଲା। କେଶବ ମହାରାଜ(୩୫) ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। କାଗିସୋ ରାବଡ଼ା(୨୬) ୯ମ ଓ୍ଵିକେଟର ଶିକାର ହୋଇଥିଲେ। ସେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲକୁ ଋଦ୍ଧିମାନ ଶାହାଙ୍କୁ ଦେଇଥିଲେ। ୨୮୦ ରନ ବେଳକୁ ଦକ୍ଷିଣ ଆଫ୍ରିକା ରାବଡ଼ାକୁ ହରାଇଥିଲା। ଭାରତର ଶେଷ ଶିକାର ହୋଇଥିଲେ ମର୍ନ ମର୍କେଲ। ସେ ରବୀଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ।
୧୨୬ ରନ୍ରେ ଭାରତର ୪ର୍ଥ ଶିକାର ହୋଇଥିଲେ ଏବି ଡିଭିଲିୟର୍ସ(୬୫)। ଡିଭିଲିୟର୍ସ ୮୪ଟି ବଲ ଖେଳି ଯଶପ୍ରିତ ବୁମରାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ୫ମ ଓ୍ଵିକେଟରେ ୧୪୨ ରନ୍ରେ ଫାପ୍ ଡୁପ୍ଲେସିସ(୬୨) ପାଭଲିୟନ ଫେରିଥିବା ବେଳେ କ୍ୱାଟନ୍ ଡି କକ୍ ୬ଷ୍ଠ ଓ୍ଵିକେଟରେ ୨୦୨ ରନ୍ରେ ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଋଦ୍ଧିମାନ ଶାହାଙ୍କୁ କ୍ୟାଚ ଦେଇ ଡୁପ୍ଲେସିସ ଆଉଟ ହୋଇଥିଲେ। କ୍ୱାଣ୍ଟନ ୪୦ଟି ବଲ ଖେଳି ୪୩ ରନ୍ ଯୋଡ଼ିବା ପରେ ଭୁବନେଶ୍ୱର କୁମାରଙ୍କ ବଲ ଋଦ୍ଧିମାନ ଶାହାଙ୍କୁ କ୍ୟାଚ ଦେଇଥିଲେ।
୩ୟ ଓ୍ଵିକେଟରେ ଦକ୍ଷିଣ ଆଫ୍ରିକାର ସ୍କୋର ୧୨ ରନ୍ରେ ହାସିମ୍ ଆମଲା(୩) ୧୦ଟି ବଲ ଖେଳି ଭୁବନେଶ୍ୱର କୁମାରଙ୍କ ବଲ ଓ୍ଵିକେଟକିପର ଋଦ୍ଧିମାନ ଶାହାଙ୍କୁ କ୍ୟାଚ୍ ଦେଇଥିଲେ। ତା’ ପୂର୍ବରୁ ଆଇଡେମ୍ ମାର୍କମ ୧୧ଟି ବଲ ଖେଳି ୫ରନ୍ ସଂଗ୍ରହ କରି ପାଭଲିୟନ ଫେରିଥିଲେ। ଭାରତର ପ୍ରଥମ ଶିକାର ହୋଇଥିଲେ ଓପନର ଡିନ୍ ଇଲଗର୍(୦) ସେ ଭୁବନେଶ୍ୱର କୁମାରଙ୍କ ବଲ ଖେଳିବାକୁ ଯାଇ ଋଦ୍ଧିମାନ ଶାହାଙ୍କୁ କ୍ୟାଚ୍ ଦେଇଥିଲେ। କୌଣସି ରନ୍ ସଂଗ୍ରହ ନକରି ଦକ୍ଷିଣ ଆଫ୍ରିକା ପ୍ରଥମ ଓ୍ଵିକେଟ ହରାଇ ଥିବା ବେଳେ ୭ରନ୍ରେ ୨ୟ ଓ୍ଵିକେଟ ଓ ୧୨ ରନ୍ରେ ୩ୟ ଓ୍ଵିକେଟ ହରାଇ ଥିଲା।