ତିରୁଅନନ୍ତପୁରମ୍: ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୧ରେ ଶୃଙ୍ଖଳା ପରାଜୟ ଦେବାର ଦୁଇ ଦିନ ପରେ ରୋହିତ ଶର୍ମାଙ୍କ ଭାରତୀୟ ଦଳ ଆଉ ଏକ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଅଣ୍ଟା ଭିଡ଼ିଛି। ଏଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବ। ପ୍ରଥମ ମୁକାବିଲା ଆସନ୍ତାକାଲି ସ୍ଥାନୀୟ ଗ୍ରିନ୍ଫିଲ୍ଡ ଇଣ୍ଟରନ୍ୟାସ୍ନାଲ ଷ୍ଟାଡିୟମ୍ରେ ଖେଳାଯିବ। ଏହି ଶୃଙ୍ଖଳା ଆଗାମୀ ବିଶ୍ବକପ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଶେଷ ପ୍ରସ୍ତୁତି ରହିବ। ଫଳରେ ଯେଉଁସବୁ କ୍ଷେତ୍ରରେ ଦଳର ଦୁର୍ବଳତା ରହିଛି ସେଗୁଡ଼ିକୁ ସୁଧରିବାର ପ୍ରୟାସ ଲକ୍ଷ୍ୟରେ ରହିବ ଭାରତ। ତେବେ ଏହିସବୁ ଦୁର୍ବଳତା ମଧ୍ୟରେ ଡେଥ୍ ଓଭର ବୋଲିଂ ଅଧିକ ଚିନ୍ତାର କାରଣ ବୋଲି ରୋହିତ ଆଭାସ ଦେଇଛନ୍ତି। ଏପରିସ୍ଥଳେ ଦୁଇ ପ୍ରମୁଖ ବୋଲର ହାର୍ଦିକ୍ ପାଣ୍ଡ୍ୟା ଏବଂ ଭୁବନେଶ୍ବର କୁମାରଙ୍କୁ ବିଶ୍ବକପ୍ ପାଇଁ ବିଶ୍ରାମ ଦେଇଥିବାରୁ ଏଦୁହିଁଙ୍କ ଅନୁପସ୍ଥିତିରେ ଘରୋଇ ଦଳ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରିବ। ପୁଣି ବିଶ୍ବକପ୍ ପାଇଁ ଅନ୍ୟତମ ସଂରକ୍ଷିତ ବୋଲର ମହମ୍ମଦ ସାମି ଏବେ ବି କୋଭିଡ୍ରୁ ମୁକୁଳିନଥିବା ଭାରତର ଚିନ୍ତାକୁ ବଢ଼ାଇଛି। ସେହିପରି ହର୍ଷଲ ପଟେଲ ମଧ୍ୟ ତାଙ୍କ ପ୍ରତ୍ୟାବର୍ତନରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଭାବୀ ହୋଇପାରିନଥିଲେ। ତାଙ୍କ କ୍ୟାରିୟର ଇକୋନୋମୀ ହାର ୯.୦୫ ଥିଲା ବେଳେ ଗତ ଅଷ୍ଟ୍ରେଲିଆ ବିପକ୍ଷରେ ଓଭର ପିଛା ୧୨ରୁ ଅଧିକ ରନ୍ ବ୍ୟୟ କରିଥିଲେ। ଯଦି ଅଦଳବଦଳ ନୀତିକୁ କାର୍ଯ୍ୟକାରୀ କରାଯିବ ତାହାଲେ ଗତ ଶୃଙ୍ଖଳା ଖେଳିପାରିନଥିବା ବିଶ୍ବକପ୍ର ଅନ୍ୟତମ ଷ୍ଟାଣ୍ଡ୍ବାଇ ଦ୍ରୁତ ବୋଲର ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁଯୋଗ ପାଇବେ। ତାଙ୍କ ବ୍ୟତୀତ ଅର୍ଶଦୀପ ସିଂହ ଦଳକୁ ଫେରିବା ନିଶ୍ଚିତ ହୋଇଛି। ସ୍ଲଗ୍ ଓଭରରେ ଦଳ ତାଙ୍କଠୁ ଅଧିକ ଆଶା ରଖିବ। ସ୍ପିନ୍ ବିଭାଗରେ ୟୁଝ୍ବେନ୍ଦ୍ର ଚହଲ ଏବଂ ରବିଚନ୍ଦ୍ରନ୍ ଅଶ୍ବିନ୍ ଖେଳିବାର ସମ୍ଭାବନା ଅଧିକ ବୋଲି ରୋହିତ ସଂକେତ ଦେଇଛନ୍ତି।
ଅନ୍ୟପକ୍ଷରେ ବ୍ୟାଟିଂ ବିଭାଗରେ ବିଶ୍ବକପ୍ ପୂର୍ବରୁ ଭଲ ଫର୍ମ ଫେରିପାଇବା ପାଇଁ କେଏଲ୍ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ସମସ୍ତ ମ୍ୟାଚ୍ ଖେଳିବାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ। ରୋହିତ ଓ କୋହଲିଙ୍କ ଖେଳିବା ତ ପ୍ରାୟ ନିଶ୍ଚିତ। ଫିନିସର ଭାବେ ଦୀନେଶ କାର୍ତିକ ସ୍ଥାନ ସୁରକ୍ଷିତ ରଖିବା ସମ୍ଭାବନା ରହିଥିଲା ବେଳେ ବାଦ୍ ପଡ଼ିଥିବା ଦୀପକ ହୁଡ଼ାଙ୍କ ସ୍ଥାନରେ ଶ୍ରେୟସ ଆୟର ମଧ୍ୟଭାଗ ସମ୍ଭାଳିବା ସୁଯୋଗ ପାଇପାରନ୍ତି। ଦକ୍ଷିଣ ଆଫ୍ରିକାକୁ ଘରୋଇ ଶୃଙ୍ଖଳାରେ ପରାସ୍ତ କରିପାରିନଥିବା ଭାରତ ପାଇଁ ଏହି ଶୃଙ୍ଖଳା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ। ଗତ ୨୦୧୫ ଶୃଙ୍ଖଳାକୁ ୨-୦ରେ ଜିତିଥିବା ଦକ୍ଷିଣ ଆଫ୍ରିକା ୨୦୧୯ ଓ ୨୦୨୨ରେ ପରବର୍ତୀ ଦୁଇ ଶୃଙ୍ଖଳାକୁ ଅମୀମାଂସିତ ରଖିଥିଲା। ଏଥର ମଧ୍ୟ ତେମ୍ବା ବଭୂମାଙ୍କ ନେତୃତ୍ବାଧୀନ ଦକ୍ଷିଣ ଆଫ୍ରିକା ଭାରତକୁ ପରାସ୍ତ କରି ଦୃଢ଼ ମନୋବଳ ସହ ବିଶ୍ବକପ୍କୁ ଯିବାର ଲକ୍ଷ୍ୟ ରଖିଛି। ଏହି ଦଳ ଗତ ୧୨ ମାସ ମଧ୍ୟରେ ୧୯ ଟ୍ବେଣ୍ଟି-୨୦ ଆନ୍ତର୍ଜାତିିକ ମ୍ୟାଚ୍ ଖେଳି ୧୩ ଜିତିଛି। ଏଥି ମଧ୍ୟରେ ଇଂଲଣ୍ଡ ଓ ଆୟର୍ଲାଣ୍ଡ୍ ବିପକ୍ଷ ଶୃଙ୍ଖଳା ଜିତି ଭାରତ ଆସିଛି।
ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍ ଓ ଦୀନେଶ କାର୍ତିକ (ଉଭୟ ୱିକେଟ୍ରକ୍ଷକ), ଅକ୍ଷର ପଟେଲ, ହର୍ଷଲ ପଟେଲ, ୟୁଝ୍ବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଯଶ୍ପ୍ରୀତ୍ ବୁମ୍ରା।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଏକାଦଶ: କ୍ବିଣ୍ଟନ ଡି’କକ୍, ରିଜା ହେଣ୍ଡ୍ରିକ୍ସ, ଏଦେନ୍ ମର୍କରାମ/ରିଲି ରୁସୋ, ତେମ୍ବା ବଭୂମା (ଅଧିନାୟକ), ହେନ୍ରିକ୍ କ୍ଲାସେନ/ତ୍ରିଷ୍ଟାନ ଷ୍ଟବ୍ସ, ଡେଭିଡ ମିଲର, ୱେନ୍ ପାର୍ନେଲ, କାଗିେସା ରବାଦା, ତାବ୍ରେଜ୍ ସାମ୍ସୀ, କେଶବ ମହାରାଜ, ଅନ୍ରିକ୍ ନର୍ଖିୟା।