୫ମ ଦିନିକିଆ: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି

ପୋର୍ଟ ଏଲିଜାବେଥ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୬ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୫ମ ମୁକାବିଲା ପୋର୍ଟ ଏଲିଜାବେଥର ସେଣ୍ଟ ଜର୍ଜ ପାର୍କ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରୁଛି।

ଜୋହାନେସବର୍ଗରେ ୪ର୍ଥ ଦିନିକିଆର ପରାସ୍ତ ହୋଇଥିବା ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଟସ୍‌ ହାରିଥିଲେ ମଧ୍ୟ ଆଜିରମ୍ୟାଚରେ ବିଜୟୀ ହୋଇ ଦକ୍ଷିଣ ଆଫ୍ରିକାରେ ଦ୍ୱିପାକ୍ଷୀକ ଶୃଙ୍ଖଳା ବିଜୟ ହେବାକୁ ସମସ୍ତ ପ୍ରକାରର ଉଦ୍ୟମ କରିବ। ପୂର୍ବରୁ ଭାରତ ଏହି ଶୃଙ୍ଖଳାର ୩-୧ ଆଗରେ ଅଛି।

ପୋର୍ଟ ଏଲିଜାବେଥର ସେଣ୍ଟଜର୍ଜସ ପାର୍କରେ ଭାରତ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଦିନିକିଆ ଜିତି ନାହିଁ। ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ଚାରିଟି ଦିନିକିଆ ସହ କେନିଆଠାରୁ ମଧ୍ୟ ଭାରତ ହାରିଛି। ଅନ୍ୟୁନ ଦୁଇଟି ଦିନିକିଆ ଖେଳିଥିବା କୌଣସି ପଡ଼ିଆରେ ଭାରତ ଗୋଟିଏ ହେଲେ ବି ମ୍ୟାଚ୍‌ ନଜିତିବାର ଏହା ଏକମାତ୍ର ଘଟଣା। ଏଠାରେ ଭାରତ ୧୯୯୨ରେ ପ୍ରଥମ ଦିନିକିଆ ଖେଳିଥିଲା। ତାକୁ ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍‌ରେ ଜିତି ନେଇଥିଲା। ସେହିଭଳି ୧୯୯୭ରେ ସଚିନ ତେନ୍ଦୁଲକରଙ୍କ ଦଳକୁ ସେହି ୬ ଓ୍ଵିକେଟ୍‌, ୨୦୦୬ରେ ବୀରେନ୍ଦ୍ର ସେହବାଗଙ୍କ ଦଳକୁ ୮୦ ରନ୍‌ରେ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳକୁ ଡି/ଏଲରେ ୪୮ ରନ୍‌ରେ ହରାଇଥିଲା ଦକ୍ଷିଣ ଆଫ୍ରିକା। ୨୦୦୧ରେ ଭାରତ, ଦକ୍ଷିଣ ଆଫ୍ରିକା ଓ କେନିଆକୁ ନେଇ ଖେଳା ଯାଇଥିବା ଦିନିକିଆ ତ୍ରିକୋଣୀୟ ଶୃଙ୍ଖଳାରେ କେନିଆ ଏହିଠାରେ ଭାରତକୁ ୭୦ ରନ୍‌ରେ ହରାଇ ଦେଇଥିଲା।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ଵନ, ଅଜିଙ୍କ୍ୟ ରାହାଣେ, ଶ୍ରେୟସ୍‌ ଆୟର/କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯସପ୍ରୀତ ବୁମରା।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଏଦେନ ମର୍କରାମ (ଅଧିନାୟକ), ହାସିମ ଆମଲା, ଜେପି ଡୁମିନି, ଏବି ଡିଭିଲିୟର୍ସ, ଡେଭିଡ୍‌ ମିଲର, ହେନରିକ କ୍ଲାସେନ, କ୍ରିସ୍‌ ମୋରିସ୍‌, ଆନ୍ଦିଲ ଫେଲୁଖୋଓ୍ଵା, କାଗିସୋ ରବାଦା, ମନି ମର୍କେଲ, ଲୁଙ୍ଗି ଏନଗିଡି/ଇମ୍ରାନ ତାହିର।

 

ସମ୍ବନ୍ଧିତ ଖବର