୬ଷ୍ଠ ଦିନିକିଆ: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ଦକ୍ଷିଣ ଆଫ୍ରିକା କରିବ ବ୍ୟାଟିଂ

ସେଞ୍ଚୁରିଅନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶୁକ୍ରବାର ୬ଷ୍ଠ ତଥା ଅନ୍ତିମ ଦିନିକିଆ ମୁକାବିଲା ହେଉଛି। ସେଞ୍ଚୁରିଅନ୍‌ର ସୁପର ସ୍ପୋର୍ଟସ୍‌ ପାର୍କରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବ।

ପୂର୍ବରୁ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ଭାରତ ଅନ୍ତିମ ଦିନିକିଆରେ ବିଜୟୀ ହୋଇ ଶୃଙ୍ଖଳାକୁ ୫-୧ କରିବା ଲକ୍ଷ୍ୟ ରଖିଛି। ଅନ୍ତିମ ଦିନିକିଆରେ ଖେଳାଳିଙ୍କ ପରିବର୍ତ୍ତନ ହୋଇଥିଲେ ମଧ୍ୟ ମ୍ୟାଚ ବିଜୟୀ ହେବାକୁ ବିରାଟ କୋହଲିଙ୍କ ଟିମ୍‌ ଅନେକ ଆଶାବାଦୀ। ୫ମ ଦିନିକିଆରେ ପୋର୍ଟ ଏଲିଜାବେଥର ସେଣ୍ଟ ଜର୍ଜ ପାର୍କ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ଅତି ସହଜରେ ପରାସ୍ତ କରିଥିଲା ଟିମ୍‌ ଇଣ୍ଡିଆ।
ପରିସଂଖ୍ୟାନ
ସମଗ୍ର ଗସ୍ତରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ମାତ୍ର ଗୋଟିଏ ଶତକ ଅର୍ଜନ କରିଛନ୍ତି। ଅନ୍ୟ ପକ୍ଷରେ ଭାରତ ଖେଳାଳିମାନେ ପାଞ୍ଚଟି ଶତକ ହାସଲ କରିଛନ୍ତି। ସେଥିମଧ୍ୟରୁ ଅଧିନାୟକ କୋହଲି ତିନିିଟି ଶତକ ଅର୍ଜନ କରିଥିଲା ବେଳେ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଗୋଟିଏ ଲେଖାଏଁ ଶତକ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ଖେଳାଳିମାନେ ୨୨.୬୫ ଏବଂ ୫୦.୨ ହାରରେ ବ୍ୟାଟିଂ ଓ ବୋଲିଂ କରିଛନ୍ତି। ଯାହା କୌଣସି ଘରୋଇ ଦ୍ୱିପାକ୍ଷିକ ଶୃଙ୍ଖଳାରେ ଏହି ଦଳର ସବୁଠାରୁ ଖରାପ ପ୍ରଦର୍ଶନ। ଶୁକ୍ରବାର ଏହାକୁ ସୁଧାରିବାକୁ ଘରୋଇ ଖେଳାଳିମାନେ ଚେଷ୍ଟା କରିବେ। ଅଷ୍ଟ୍ରେଲିଆ ପରେ ଭାରତ ଏକମାତ୍ର ଦଳଭାବେ ଦକ୍ଷିଣ ଆଫ୍ରିକାକୁ ଦକ୍ଷିଣ ଆଫ୍ରିକା ମାଟିରେ ୫ କିମ୍ବା ତାଠାରୁ ଅଧିକ ମ୍ୟାଚ୍‌ ଥିବା ଦିନିକିଆ ଶୃଙ୍ଖଳାରେ ହରାଇଛି।

ପିଚ୍‌ ଓ ପରିବେଶ
ସେଞ୍ଚୁରିଅନ ପିଚ୍‌ ଏବଂ ପରିବେଶ ଭାରତୀୟ ଖେଳାଳିଙ୍କୁ ବେଶ୍‌ ସୁହାଇବ। ଗତ କିଛି ଦିନ ହେବ ଏଠାରେ ଘଡ଼ ଘଡ଼ି ସହ ବର୍ଷା ହୋଇଛି। ତେବେ ପାଣି ସୁଖାଇବାର ଉନ୍ନତ ବ୍ୟବସ୍ଥା ଥିବାରୁ ଏହାର ବିଶେଷ ପ୍ରଭାବ ପିଚ୍‌ ଉପରେ ପଡ଼ିବାର ଆଶଙ୍କା କମ୍‌ ରହିଛି।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ଵନ, ଅଜିଙ୍କ୍ୟ ରାହାଣେ, ଶ୍ରେୟସ୍‌ ଆୟର/କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର/ମହମ୍ମଦ ସାମି, ଯସପ୍ରୀତ ବୁମରା/ସାର୍ଦୁଲ ଠାକୁର।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଏଦେନ ମର୍କରାମ (ଅଧିନାୟକ), ହାସିମ ଆମଲା, ଜେପି ଡୁମିନି, ଇମ୍ରାନ ତାହିର, ଡେଭିଡ୍‌ ମିଲର, ମର୍ନି ମର୍କେଲ, କ୍ରିସ୍‌ ମୋରିସ୍‌, ଲୁଙ୍ଗି ଏନଗିଡ଼ି, ଆନ୍ଦିଲ ଫେଲୁଖୋଓ୍ଵା, କାଗିସୋ ରବାଦା, ତାବ୍ରାଇଜ୍‌ ସାମି, ହେନରିକ୍‌ କ୍ଲାସେନ, ଏବି ଡିଭିଲିୟର୍ସ।

 

ସମ୍ବନ୍ଧିତ ଖବର