ସେଞ୍ଚୁରିଅନ୍: କେଏଲ୍ ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ସହାୟତାରେ ବିପର୍ଯ୍ୟୟରେ ବୁଡ଼ିଥିବା ଭାରତୀୟ ଦଳ ଉଦ୍ଧାର ପାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ଭାରତ ୮ୱିକେଟ୍ ବିନିମୟରେ ୨୦୮ ରନ୍ ସଂଗ୍ରହ କରିଛି। ପ୍ରଥମ ଦିନ କେବଳ ୫୯ ଓଭର ଖେଳ ସମ୍ଭବ ହୋଇଛି। ପ୍ରଥମ ଦିନ ଖେଳ ବନ୍ଦ ହେବା ବେଳକୁ କେଏଲ୍ ରାହୁଲ ୭୦* ଓ ମହମ୍ମଦ ସିରାଜ ଖାତା ନଖୋଲି ଅପରାଜିତ ଅଛନ୍ତି। ବକ୍ସିଂ ଡେ’ ଟେଷ୍ଟରେ ଘରୋଇ ଦଳ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା। ରୋହିତ ଶର୍ମା ମଧ୍ୟ ବ୍ୟାଟିଂ କରିବାକୁ ଚାହୁଥିବାରୁ ଟସ୍ ବେଳେ ଖୁସି ହୋଇଯାଇଥିଲେ। ହେଲେ ପଞ୍ଚମ ଓଭରରେ କାଗିସୋ ରବାଡ଼ା ଏକ ଛାତି ଉଚ୍ଚ ବାଉନ୍ସର ପକାଇ ରୋହିତଙ୍କୁ ସ୍କୋୟାର ଲେଗ୍ ଅଞ୍ଚଳରେ କ୍ୟାଚ୍ ଆଉଟ୍ କରାଇଥିଲେ। ଏହାଫଳରେ ଦିନିକିଆ ବିଶ୍ବକପ୍ ପରାଜୟ ପରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ଖେଳୁଥିବା ରୋହିତଙ୍କ ଆରମ୍ଭ ନିରାଶାଜନକ ରହିଥିଲା।
ପଛକୁ ପଛ ଯଶସ୍ବୀ ଜୟସ୍ବାଲ୍ (୧୭) ଓ ଶୁବମନ ଗିଲ୍ (୨)ଙ୍କୁ ପଦାର୍ପଣକାରୀ ନାନ୍ଦ୍ରେ ବର୍ଗର ଆଉଟ୍ କରି ଭାରତକୁ ଲଗାତାର ଝଟ୍କା ଦେଇଥିଲେ। ବିରାଟ କୋହଲି ଓ ଶ୍ରେୟସ ଆୟର ଭାରତୀୟ ପାଳିକୁ ସଜାଡ଼ି ଥିଲେ ମଧ୍ୟ ମଧ୍ୟାହ୍ନଭୋଜନ ବିରତି ପରେ ଯୋଡ଼ି ଭାଙ୍ଗିଥିଲା। ଚତୁର୍ଥ ୱିକେଟ୍ରେ ଉଭୟଙ୍କ ମଧ୍ୟରେ ୬୮ ରନ୍ର ଭାଗୀଦାରି ହୋଇଥିଲା। କିନ୍ତୁ ରବାଡ଼ାଙ୍କ ଫୁଲ୍ ଲେଙ୍ଗ୍ଥ ବଲ୍କୁ ଖେଳି ନପାରି ଆୟର (୩୧) ବୋଲ୍ଡ ହୋଇଥିଲେ। ରାହୁଲ୍ଙ୍କୁ ସାଥୀ କରି କୋହଲି ଦଳକୁ ଶତକୀୟ ସ୍କୋର୍ ଅତିକ୍ରମ କରାଇଥିଲେ। କିନ୍ତୁ କୋହଲି (୩୮) ଅର୍ଦ୍ଧଶତକ ମୁହାଁ ହେଉଥିଲେ ମଧ୍ୟ ରବାଡ଼ାଙ୍କ ତୃତୀୟ ଶିକାର ହୋଇଥିଲେ। ବାହାରକୁ ଯାଉଥିବା ବଲ୍କୁ ଖେଳିବାରେ ବିଳମ୍ବ କରିଦେବାରୁ ତାହା ବ୍ୟାଟ୍ର ଏଜ୍ ନେଇ କିପରଙ୍କ ହାତକୁ ଚାଲିଯାଇଥିଲା। ଚା’ପାନ ବିରତି ପୂର୍ବରୁ ରବିଚନ୍ଦ୍ରନ ଅଶ୍ବିନ (୮) ଓ ଶାର୍ଦୁଳ ଠାକୁର (୨୪)ଙ୍କୁ ଆଉଟ୍ କରି ରବାଡ଼ା ପ୍ରଥମ ଥର ଭାରତ ବିପକ୍ଷରେ ୫ ୱିକେଟ୍ ସଫଳତା ପାଇଥିଲେ। ଦିନର ଶେଷ ୱିକେଟ୍ ଭାବେ ଯଶପ୍ରୀତ୍ ବୁମ୍ରା ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ରାହୁଲ କିନ୍ତୁ ସାହସିକତାର ପ୍ରଦର୍ଶନ କରି ୧୦୫ ବଲ୍ରୁ ୭୦* ରନ୍ (୧୦ ଚୌକା, ୨ଛକା) କରି ଅପରାଜିତ ଅଛନ୍ତି।
ପଡ଼ିଆ ଛାଡ଼ିଲେ ବଭୂମା
ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଘରୋଇ ଦଳର ଅଧିନାୟକ ତେମ୍ବା ବଭୂମା ମ୍ୟାଚ୍ ସାରା ଖେଳିବା ଅନିଶ୍ଚିତ ହୋଇଯାଇଛି। ବକ୍ସି ଡେ’ ଟେଷ୍ଟର ପ୍ରଥମ ଦିନରେ ବଭୂମା ମାଂସପେଶୀ ଜନିତ ଆଘାତର ଶିକାର ହୋଇ ପଡ଼ିଆ ଛାଡ଼ିଥିଲେ। ମ୍ୟାଚ୍ର ୨୦ତମ ଓଭରରେ ମାର୍କୋ ୟାନସେନ୍ଙ୍କ ବଲ୍କୁ ବିରାଟ କୋହଲି ଖେଳିଥିଲା ବେଳେ ତାହାକୁ ପିଛା କରି ବଭୂମା ଡାଇଭ୍ ମାରି ବଲ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ହେଲେ ମାଂସପେଶୀ ଟାଣି ହୋଇଯିବାରୁ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ପରେ ଫିଜିଓଙ୍କ ସହାୟତାରେ ସେ ପଡ଼ିଆ ଛାଡ଼ିଥିଲେ। ତାଙ୍କ ସ୍ଥାନରେ ବିଦାୟୀ ଶୃଙ୍ଖଳା ଖେଳୁଥିବା ଡିନ୍ ଏଲଗର ନେତୃତ୍ବ ଦାୟିତ୍ବ ସମ୍ଭାଳିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/dhhffff.jpg)