ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌ ବାତିଲ, ବର୍ଷା ଧୋଇ ନେଲା ଧର୍ମଶାଳା ଦିନିକିଆ

ଖାଲି ଷ୍ଟାଡିୟମରେ ଲକ୍ଷ୍ନୌ, କୋଲକାତା ମ୍ୟାଚ୍

ଧର୍ମଶାଳା: ଅଦିନିଆ ବର୍ଷା ଧର୍ମଶାଳା ଦିନିକିଆ ମ୍ୟାଚ୍‌କୁ ପୂରା ଧୋଇନେଲା। ବର୍ଷାର ପ୍ରକୋପ ଯୋଗୁଁ ଗୋଟିଏ ବି ବଲ୍‌ ବୋଲିଂ ନହୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌ ବାତିଲ ହୋଇଗଲା। ଏପରିକି ବୁଧବାରର ଏହି ମ୍ୟାଚ୍‌ରେ ମଧ୍ୟ ଟସ୍‌ ପଡ଼ିପାରିନଥିଲା। ଖେଳାଳିମାନେ କେବଳ ଡ୍ରେସିଂ ରୁମ୍‌ରେ ରହି ରହି ଶେଷରେ ହୋଟେଲକୁ ଫେରିଥିଲେ। ଅପରାହ୍ନ ୧.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବାର ଥିଲା। ‌ହେଲେ ବର୍ଷା ଯୋଗୁଁ ପ୍ରାୟ ୪ ଘଣ୍ଟା ଅପେକ୍ଷା କରିବା ପରେ ଅମ୍ପାୟାର ମ୍ୟାଚ୍‌କୁ ବାତିଲ ଘୋଷଣା କରିଥିଲେ। ତେଣୁ ଦଳକୁ ପ୍ରତ୍ୟାବର୍ତନ କରିଥିବା ହାର୍ଦିକ୍‌ ପାଣ୍ଡ୍ୟା, ଶିଖର ଧାୱନ୍‌ ଓ ଭୁବନେଶ୍ବର କୁମାରଙ୍କ ଖେଳ ଦେଖିବାକୁ ଚାହିଁ ବସିଥିବା ଦର୍ଶକ ନିରାଶ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ ବାତିଲ ଯୋଗୁଁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଏବେ ୨ ମ୍ୟାଚ୍‌ ବିଶିଷ୍ଟ ହୋଇଗଲା। ଦ୍ବିତୀୟ ମ୍ୟାଚ୍‌ ରବିବାର ଲକ୍ଷ୍ନୌରେ ଖେଳାଯିବ।

ଧର୍ମଶାଳାରେ ବର୍ଷା ଯୋଗୁଁ ମ୍ୟାଚ୍‌ ବ୍ୟାହତ ହେବା ଏହା ପ୍ରଥମ ଘଟଣା ନଥିଲା। ସଂଯୋଗବଶତଃ ସମାନ ପ୍ରତିଦ୍ବନ୍ଦ୍ବୀ ଦକ୍ଷିଣ ଆଫ୍ରିକା ଗତବର୍ଷ ସେପ୍ଟେମ୍ବରରେ ଭାରତ ଗସ୍ତ କରିଥିଲା ବେଳେ ପ୍ରଥମ ଟ୍ବେଣ୍ଟି-୨୦ ମାଚ୍‌ ମଧ୍ୟ ଏଠାରେ ଖେଳାଯିବାର ଥିଲା। ହେଲେ ସେହି ମ୍ୟାଚ୍‌କୁ ମଧ୍ୟ ବର୍ଷା ପୂରା ଧୋଇ ନେଇଥିଲା। ଶେଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ୧-୧ରେ ଅମୀମାଂସିତ ରହିଥିଲା। ୬ ମାସ ପରେ ପୁଣି ଭାରତ ଫେରିଥିବା ଦକ୍ଷିଣ ଆଫ୍ରିକା ଆଉ ଏକ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ମଧ୍ୟ ଖେଳିପାରିଲାନି। ବିଶେଷକରି ଚଳିତ ଦିନିକିଆ ଶୃଙ୍ଖଳା ପରେ ଆଇପିଏଲ୍‌ରେ ଖେଳିବା ପାଇଁ ଭାରତରେ ଅବସ୍ଥାନ କରିବାକୁ ଥିବା କ୍ବିଣ୍ଟନ ଡି’କକ୍‌, ଫାଫ୍‌ ଡୁ ପ୍ଲେସିସ୍‌ ଓ ଲୁଙ୍ଗି ଏନ୍‌ଗିଡ଼ିଙ୍କ ଭଳି ଖେଳାଳିମାନେ ମ୍ୟାଚ୍‌ ନହେବାରୁ ନିରାଶ ହୋଇଛନ୍ତି।

ଲକ୍ଷ୍ନୌ: କରୋନା ଭୂତାଣୁର ସଂକ୍ରମଣ ଭୟ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଲକ୍ଷ୍ନୌ (ମାର୍ଚ ୧୫) ଓ କୋଲକାତା (ମାର୍ଚ ୧୮)ରେ ଖେଳାଯିବାକୁ ଥିବା ପରବର୍ତୀ ଦୁଇଟି ଦିନିକିଆ ଖାଲି ଷ୍ଟାଡିୟମରେ ଖେଳା ଯାଇପାରେ। ଦର୍ଶକଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ପରାମର୍ଶ ଦେବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ନିର୍ଦେଶକୁ ମାନିବ ବୋଲି ମଧ୍ୟ ବିସିସିଆଇ କହିଛି। ଏଭଳି ସ୍ଥିତିରେ ଉଭୟ ମ୍ୟାଚ୍ ଲାଗି ଟିକେଟ୍ କିଣିଥିବା କ୍ରିକେଟ୍‌ପ୍ରେମୀଙ୍କୁ ବିସିସିଆଇ ସେମାନଙ୍କ ଅର୍ଥ ଫେରସ୍ତ ଦେବ। ବେଙ୍ଗଲ କ୍ରିକେଟ୍ ସଂଘ ମଧ୍ୟ ଗୁରୁବାର ମ୍ୟାଚ୍ ଟିକେଟ୍‌ ବିକ୍ରିକୁ ବନ୍ଦ କରି ଦେଇଛି। ମ୍ୟାଚ୍ ବିନା ଦର୍ଶକରେ ଖେଳାଗଲେ ଷ୍ଟାଡିୟମ୍ ଭିତରକୁ ଯିବାକୁ କେବଳ ପ୍ରସାରଣକାରୀ ସଂସ୍ଥାର କର୍ମଚାରୀ, ଭାଷ୍ୟକାର, ସାମ୍ବାଦିକ, ଖେଳାଳି ଓ ପ୍ରଶିକ୍ଷକ ମଣ୍ଡଳିକୁ ‌ଅନୁମତି ମିଳିବ ବୋଲି ଜଣାପଡ଼ିଛି। ରଣଜୀ ଟ୍ରଫି ଫାଇନାଲର ଶେଷ ଦିନ ଲାଗି ବିସିସିଆଇ ଏହି ବ୍ୟବସ୍ଥା ଲାଗୁ କରିଛି।

ସମ୍ବନ୍ଧିତ ଖବର