ସେଞ୍ଚୁରିଅନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୨ୟ ମୁକାବିଲାରେ ବୁଧବାର ୫ମ ଦିନରେ ଭାରତ ୨ୟ ପାଳିରେ ୭ଟି ଓ୍ଵିକେଟ ହରାଇ ୮୭ ରନ୍ ସଂଗ୍ରହ କରିଛି। ଅନ୍ତିମ ଦିନରେ ୫/୩୫ ରନ୍ରୁ ଆରମ୍ଭ କରିଥିବା ଭାରତ ଅଳ୍ପ ସମୟ ମଧ୍ୟରେ ଚେତେଶ୍ୱର ପୂଜାରା(୧୯) ଓ ପାର୍ଥିବ ପଟେଲ(୧୯)ଙ୍କୁ ହରାଇଛି। ଏ ବି ଡିଭିଲିୟର୍ସଙ୍କ ଦ୍ୱାରା ପୂଜାରା ରନ୍ ଆଉଟ୍ ହୋଇଥିଲେ। କାଗିସୋ ରାବଡ଼ାଙ୍କ ବଲ ମର୍ଣ୍ଣ ମର୍କେଲଙ୍କୁ କ୍ୟାଚ୍ ଦେଇଥିଲେ ପଟେଲ। ସେହିପରି ଲୁଙ୍ଗି ନେଗଡ଼ିଙ୍କ ବଲ କ୍ୱାଟନ୍ ଡି କକ୍ଙ୍କୁ କ୍ୟାଚ ଦେଇ ପାଭଲିୟନ ଫେରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା(୬)।
୪ର୍ଥ ଦିନରେ ଓପନର ମୁରଲି ବଜୟ(୯) କାଗିସୋ ରାବଡାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ୨ୟ ଶିକାର ହୋଇଥିଲେ ଲୋକେଶ ରାହୁଲ(୪)। ସେ ଲୁଙ୍ଗି ନେଗଡ଼ିଙ୍କ ବଲ କେଶବ ମହାରାଜଙ୍କୁ କ୍ୟାଚ ଦେଇଥିଲେ। ଭାରତ ୧୧ ରନ୍ରେ ପ୍ରଥମ ଓ୍ଵିକେଟ, ୧୬ ରନ୍ରେ ୨ୟ ଓ୍ଵିକେଟ ହରାଇଥିବା ବେଳେ ୨୬ ରନ୍ରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୫)ଙ୍କ ହରାଇଥିଲା। କୋହଲି, ଲୁଙ୍ଗିଙ୍କ ଦ୍ୱାରା ଏଲ୍ବିଡବ୍ଲୁ ହୋଇ ପାଭଲିୟନ ଫେରିଥିଲେ।
ସେଞ୍ଚୁରିଅନ୍ର ସୁପରସ୍ପୋଟ୍ର୍ସ ପାର୍କ ଷ୍ଟାଡିୟମରେ ଟସ୍ ଜିଣ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୩୩୫ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଭାରତ ୩୦୭ ରନ୍ରେ ଅଲ୍ ଆଉଟ୍ ହୋଇଥିଲା। ପ୍ରଥମ ପାଳି ଆଧାରରେ ଦକ୍ଷିଣ ଆଫ୍ରିକା ୨୮ରନ୍ରେ ଆଗୁଆ ଥିବା ବେଳେ ୨ୟ ପାଳିରେ ସମସ୍ତ ଓ୍ଵିକେଟ ହରାଇ ୨୫୮ ରନ୍ ସଂଗ୍ରହ କରିଛି। ଫଳରେ ଭାରତକୁ ବିଜୟ ପାଇଁ ୨୮୭ ରନ୍ ଟାର୍ଗେଟ ମିଳିଛି।
ଦ୍ୱିତୀୟ ପାଳିରେ ଆଇଡେମ୍ ମାରକମ(୧) ଭାରତର ପ୍ରଥମ ଶିକାର ୧ ରନ୍ରେ ହୋଇଥିଲେ। ସେ ଯଶପ୍ରିତ ବୁମରାଙ୍କ ଦ୍ୱାରା ଏଲ୍ବିଡବ୍ଲୁ ହୋଇଥିଲେ। ୩ ରନ୍ରେ ଦକ୍ଷିଣ ଆଫ୍ରିକା ହାସିମ ଆମଲା(୧)କୁ ହରାଇଥିଲା। ଆମଲା ମଧ୍ୟ ବୁମରାଙ୍କ ଦ୍ୱାରା ଏଲ୍ବିଡବ୍ଲୁ ହୋଇଥିଲେ । ସେହିଭଳି ୧୪୪ ରନ୍ରେ ଏ ବି ଡିଭିଲର୍ସ(୮୦) ପାଭଲିୟନ ଫେରିଥିଲେ। ମହମ୍ମଦ ସାମିଙ୍କ ବଲ ପାର୍ଥିବ ପଟେଲଙ୍କୁ କ୍ୟାଚ୍ ଦେଇ ଡିଭିଲୟର୍ସ ଆଉଟ୍ ହୋଇଥିଲେ।