ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦: ବେଙ୍ଗାଲୁରୁରେ ଶୃଙ୍ଖଳା ବିଜୟ ଆଶା

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ରୋଚକ ମୋଡ଼ରେ ରହିଛି। ପାଞ୍ଚ ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି। ରବିବାରର ଶେଷ ମ୍ୟାଚ୍ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ଏହି ମ୍ୟାଚ୍‌କୁ ଯିଏ ଜିତିବ, ସିଏ ଏହି ଉତ୍କଣ୍ଠା ଓ ମନୋରଞ୍ଜନଭରା ଶୃଙ୍ଖଳାର ବିଜେତା ଆଖ୍ୟା ଅର୍ଜନ କରିବ। ସେଥିପାଇଁ ସାରା ବିଶ୍ବର କ୍ରିକେଟ୍‌ପ୍ରେମୀଙ୍କ ନଜର ଏହି ମ୍ୟାଚ୍ ଉପରେ ରହିଛି। ବେଙ୍ଗାଲୁରୁରେ ଭାରତ ବିଜୟୀ ହୋଇ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ଶୃଙ୍ଖଳା ବିଜୟ ହାସଲ କରିବା ଆଶାରେ ରହିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଭାରତ ମାଟିରେ ନିଜ ଟ୍ବେଣ୍ଟି-୨୦ ପ୍ରଦର୍ଶନକୁ ଆହୁରି ଉଚ୍ଚକୋଟୀର କରି ଶୃଙ୍ଖଳା ହାତେଇ ନେବାକୁ ଲକ୍ଷ୍ୟ ରଖିଛି।

ବେଙ୍ଗାଲୁରୁକୁ ଯିବା ପୂର୍ବରୁ ଏହି ବହୁ ପ୍ରତୀକ୍ଷିତ ଶୃଙ୍ଖଳା ବେଶ୍ ଉତ୍ଥାନ ପତନ ଭରା ରହିଥିଲା। ଦିଲ୍ଲୀ ଓ କଟକରେ ପରାଜିତ ହୋଇ ଶୃଙ୍ଖଳା ହାରିବା ଦ୍ବାର ଦେଶରେ ଥିବା ଭାରତୀୟ କ୍ରିକେଟ୍ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ବିଶାଖାପାଟଣା ଏବଂ ରାଜକୋଟରେ ରାଜକୀୟ ବିଜୟ ହାସଲ କରିଥିଲା। ଫଳରେ ଲଗାତାର ଦୁଇଟି ମ୍ୟାଚ୍ ଜିତି ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ସକ୍ଷମ ହୋଇଥିଲା। ଉଭୟ ମ୍ୟାଚ୍‌ରେ ଋଷଭ ପନ୍ତଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଆତ୍ମବିଶ୍ବାସ ଭରା ବିଜୟ ହାସଲ କରିଥିଲା। ଏଣୁ ବେଙ୍ଗାଲୁରୁରେ ମଧ୍ୟ ସେହିଧାରା ବଜାୟ ରଖିବ ବୋଲି ସମର୍ଥକ ଦୃଢ଼ ଆଶା ରଖିଛନ୍ତି। ଆସନ୍ତାକାଲି ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ କିନ୍ତୁ ଭାରତୀୟ ଦଳକୁ ପୂର୍ବ ଦୁଇ ମ୍ୟାଚ୍ ଭଳି ଲଢ଼ୁଆ କ୍ରିକେଟ୍ ଖେଳିବାକୁ ହେବ। ଅଧିନାୟକ ପନ୍ତଙ୍କ ବ୍ୟାଟ୍ ଗତ ଚାରିଟି ଯାକ ମ୍ୟାଚ୍‌ରେ ଅପେକ୍ଷାକୃତ ଶାନ୍ତ ରହିଥିଲା ବେଳେ ବେଙ୍ଗାଲୁରୁରେ ଦଳ ତାଙ୍କଠାରୁ ଏକ ବଡ଼ ପାଳି ଆଶା ରଖିଥିବ। ଶ୍ରେୟସ୍ ଆୟର ବି ନିରାଶ କରିଆସୁଛନ୍ତି। ତେବେ ୮ ଦିନ ଭିତରେ ଚାରିଟି ମ୍ୟାଚ୍ ଖେଳି ସାରିଥିବା ଭାରତୀୟ ଦଳ ତା’ର ଚୂଡ଼ାନ୍ତ ଏକାଦଶରେ ଅଦଳ ବଦଳ କରି ନପାରେ। ବରଂ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଖେଳାଳିଙ୍କୁ ଲମ୍ବା ସୁଯୋଗ ଦେବା ସପକ୍ଷରେ ସବୁବେଳେ ଯୁକ୍ତି ବାଢ଼ୁଥିବାରୁ ରବିବାର ଭାରତୀୟ ଦଳ ଅପରିବର୍ତ୍ତିତ ଦଳ ସହ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ। ଶୃଙ୍ଖଳ‌ାରେ ଭାରତୀୟ ବୋଲର ଉଚ୍ଚକୋଟୀର ବୋଲିଂ କରି ଆସୁଛନ୍ତି। ସ୍ପିନ୍ ବିଭାଗରେ ୟୁଝବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ପ୍ରତିପକ୍ଷ ବ୍ୟାଟର୍‌ଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି। ଭୁବନେଶ୍ବର କୁମାରଙ୍କ ନେତୃତ୍ବରେ ହର୍ଷଲ ପଟେଲ ଏବଂ ଅଭେଶ ଖାନ୍ ମଧ୍ୟ ମ୍ୟାଚ୍ ବିଜୟୀ ପ୍ରଦର୍ଶନ ଦେଇ ଆସୁଛନ୍ତି। ଯାହା ଭାରତୀୟ ଦଳକୁ କ୍ରମାଗତ ଭାବେ ସୁଦୃଢ଼ କରିଚାଲିଛି।

ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ତା’ ଅଧିନାୟକ ତେମ୍ବା ବଭୂମାଙ୍କ ଫିଟନେସ୍‌କୁ ନେଇ ଚିନ୍ତାରେ ରହିଛି। ବଭୂମା ଚତୁର୍ଥ ଟ୍ବେଣ୍ଟି-୨୦ରେ ଆହତ ହୋଇ ରିଟାର୍ଡ ହର୍ଟ ହୋଇଥିଲେ। ଏପରିକି ଆଉ ବ୍ୟାଟିଂ କରିବାକୁ ଆସିନଥିଲେ। ସେ ଉବଲବ୍ଧ ନହେଲେ ଦକ୍ଷିଣ ଆଫ୍ରିକାକୁ ବିକଳ୍ପ ବ୍ୟବସ୍ଥା କରିବାକୁ ହେବ। ଗତ ଦୁଇଟି ମ୍ୟାଚ୍‌ରେ ଦକ୍ଷିଣ ଆଫିକା ଭଲ ଆରମ୍ଭ ପାଇନଥିଲା। ଏଣୁ ବେଙ୍ଗାଲୁରୁରେ ଯଦି ବଭୂମା ଖେଳିନପାରନ୍ତି, ତା’ହେଲେ ଏହା ଦଳ ପାଇଁ ବହୁତ ବଡ଼ ଧକ୍କା ହେବ। ବୋଲିଂରେ କାଗିସୋ ରବାଦା ସ୍ଥିର ପ୍ରଦର୍ଶନ ଦେଇଆସୁଛନ୍ତି। ହେଲେ ଦକ୍ଷିଣ ଆଫ୍ରିକାର ଦୁଇସ୍ପିନର କେଶବ ମହାରାଜ ଏବଂ ତାବ୍ରାଇଜ୍ ସାମସୀଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ। ପେସର ଏବଂ ଦୃଢ଼ ମଧ୍ୟକ୍ରମ ପାଇଁ କିନ୍ତୁ ଭାରତର ପଲା ଏହି ମ୍ୟାଚ୍‌ରେ ସାମାନ୍ୟ ଭାରୀ ରହିବ। ବେଙ୍ଗାଲୁରୁରେ ଖେଳାଯାଇଥିବା ୫ଟି ଟ୍ବେଣ୍ଟି-୨୦ରୁ ଅବଶ୍ୟ ଭାରତ ୨ଟି ଜିତିଛି।

ଛୋଟ ସୀମାରେଖା
ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ର ସୀମା ରେଖା ଅନ୍ୟ ଷ୍ଟାଡିୟମ୍‌ଗୁଡ଼ିକ ତୁଳନାରେ ଟିକିଏ ଛୋଟ। ଏଣୁ ଏଠାରେ ଅଧିକ ସଂଖ୍ୟକ ଛକା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ସେହି ଦୃଷ୍ଟିରୁ ରବିବାର ମ୍ୟାଚ୍ ମଧ୍ୟ ହାଇସ୍କୋରିଂ ବିଶିଷ୍ଟ ହେବ। ତେବେ ଏଠାରେ ପାରମ୍ପରିକ ଭାବେ ସ୍ପିନରଙ୍କୁ କିଛିଟା ସହାୟତା ମିଳେ। ଏଣୁ ଉଭୟ ଦଳର ସ୍ପିନର ଏଠାରେ ବୋଲିଂ କରିବାକୁ ବ୍ୟଗ୍ର ଥିବେ। ଆକଳନ ଅନୁସାରେ ଟସ୍ ଜିତିବା ଦଳ ଏଠାରେ ପ୍ରଥମେ ବୋଲିଂ କରିବାକୁ ଅଧିକ ପସନ୍ଦ କରିବେ।

ସମ୍ଭାବ୍ୟ ଭାରତ: ଋଷଭ ପନ୍ତ (ଅଧିନାୟକ, ୱିକେଟ୍ ରକ୍ଷକ), ଋତୁରାଜ ଗାଏକ୍ବାଡ୍, ଈଶାନ କିଶନ, ଶ୍ରେୟସ୍ ଆୟର, ଦୀନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅଭେଶ ଖାନ୍।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ତେମ୍ବା ବଭୂମା (ଅଧିନାୟକ), କ୍ବିଣ୍ଟନ୍ ଡି’କକ୍, ହେନରିକ୍ କ୍ଲା‌ସେଁ, କେଶବ ମହାରାଜ, ଡେଭିଡ୍ ମିଲର, ଆନରିକ ନର୍ଖିୟା, ୱେନ୍ ପାର୍ନେଲ, ଡ୍ବାନ୍ ପ୍ରିଟୋରିଅସ୍, କାଗିସୋ ରବାଦା, ତାବ୍ରାଇଜ୍ ସାମସୀ, ରସେ ଭାନଡର ଦୁସେନ।

ସମ୍ବନ୍ଧିତ ଖବର