ଭାରତ ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ୍; ଆଜିଠୁ ରାଞ୍ଚି ଅଭିଯାନ, ଲକ୍ଷ୍ୟ ୩-୦

ରାଞ୍ଚି: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ୍ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍‌ ଶନିବାରଠାରୁ ରାଞ୍ଚିର ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍‌ ସଂଘ (ଜେଏସସିଏ) ଷ୍ଟାଡିୟମ୍‌ରେ ଆରମ୍ଭ ହେବ। ଭାରତ ୨-୦‌‌ ଅପରାଜେୟ ଅଗ୍ରଣୀ ସହିତ ଶୃଙ୍ଖଳାକୁ ଆଗୁଆ ଜିତି ସାରିଥିବାରୁ ଏହାର ଗୁରୁତ୍ବ କମ୍ ରହିଛି। କିନ୍ତୁ ଟେଷ୍ଟ୍ ଚାମ୍ପିଅନସିପ୍ ଦୃଷ୍ଟିରୁ ଭାରତ ଏହି ମ୍ୟାଚ୍‌ ଲାଗି ଗମ୍ଭୀରତାକୁ କମ୍ କରିବ ନାହିଁ ବୋଲି ଅଧିନାୟକ ବିରାଟ କୋହଲି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି। ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସ୍ବଦେଶ ଫେରିବା ପୂର୍ବରୁ କିଛି ସାନ୍ତ୍ବନା ନେବାକୁ ଆଶା ରଖିଛି। ଏହି ‌ଟେଷ୍ଟ୍‌ରେ ମୋଟ ୪୦ ପଏଣ୍ଟ୍‌ ଉପଲବ୍‌ଧ ଥିବାରୁ ଭାରତ ଏହାକୁ ସମ୍ପୂର୍ଣ୍ଣ ପୋଛି‌ ନେବା ଲକ୍ଷ୍ୟରେ ରହିଛି। ବର୍ତମାନ କୋହଲିଙ୍କ ଦଳ ପଏଣ୍ଟ ଟେବୁଲ୍‌ରେ ୧୪୦ ପଏଣ୍ଟ୍‌ ବ୍ୟବଧାନରେ ନ୍ୟୁଜିଲାଣ୍ଡ୍‌ ଏବଂ ଶ୍ରୀଲଙ୍କଠାରୁ ଆଗୁଆ ରହିଛି। ୨୦୦ ପଏଣ୍ଟ୍ ପାଇଥିବାରୁ ଏଠାରେ ୨୪୦ରେ ପହଞ୍ଚାଇବା ଲକ୍ଷ୍ୟରେ ରହିଛି କୋହଲି ଦଳ। ବିଶାଖାପାଟଣାରେ ୨୦୩ ରନ୍ ଏବଂ ପୁନେରେ ପାଳି ଓ ୧୩୭ ରନ୍‌ରେ ବିଜୟୀ ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରିଥିବାରୁ ଘରୋଇ ଦଳଠାରୁ ମଧ୍ୟ ଅଧିକ କିଛି ଆଶା କରିନାହାନ୍ତି ପ୍ରଶଂସକମାନେ।

ରୋହିତ ଶର୍ମା ଓପନିଂ ସୁଯୋଗ ପାଇବାର ପ୍ରଥମ ଦୁଇ ପାଳିରେ ଶତକ ହାସଲ କରିବା ଏବଂ ସାଥୀ ପ୍ରାରମ୍ଭିକ ଖେଳାଳି ମୟଙ୍କ ଅଗ୍ରୱାଲ ନିଜ ପ୍ରଥମ ଶତକକୁ ଦ୍ବିଶତକରେ ପରିଣତ କରିବା ସବୁଠାରୁ ଉଲ୍ଲେଖନୀୟ ରହିଛି। ପୁନେରେ ମଧ୍ୟ ଅଧିନାୟକ ବିରାଟ କୋହଲି ଦ୍ବିଶତକ ହାସଲ କରି ଏକାଧିକ କୀର୍ତ୍ତିମାନକୁ ନିଜ ନାମକୁ ନେଇଥିଲେ। କେବଳ ଚେତେଶ୍ବର ପୂଜାରା ତିନି ଅଙ୍କ ଛୁଇଁ ନ ପାରିବା ଏବଂ ଲମ୍ବା ଖେଳିନପାରିବା ତାଙ୍କ ପାଇଁ ବ୍ୟକ୍ତିଗତ ଚାପ ହୋଇ ରହିଛି। ବୋଲିଂରେ ଭାରତର ପେସ୍ ଏବଂ ସ୍ପିନ୍ ବିଭାଗ ଆଶା ମୁତାବକ ପ୍ରଦର୍ଶନ କରିଛନ୍ତି।

ଦକ୍ଷିଣ ଆଫ୍ରିକାର ପେସ୍ ଆକ୍ରମଣରେ କାଗିସୋ ରବାଦା, ଭେର୍ନନ ଫିଲାଣ୍ଡର ଏବଂ ଅନରିଚ୍‌ ନର୍ତେ ରହିଥିଲେ ମଧ୍ୟ କେହି ପ୍ରଭାବୀ ହୋଇପାରିନାହାନ୍ତି। ଦଳର ସବୁଠୁ ବରିଷ୍ଠ ସ୍ପିନର୍‌ କେଶବ ମହାରାଜ ଆହତ କାରଣରୁ ବାଦ୍ ପଡ଼ିଥିବାରୁ ଭାରତକୁ ରୋକିବା ଏବେ ଭ୍ରମଣକାରୀ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ରାଞ୍ଚି ପିଚ୍‌ ସ୍ପିନରଙ୍କୁ ଅଧିକ ସୁହାଇବା ସମ୍ଭାବନା ଥିବାରୁ ଭାରତ ସାହାବାଜ ନଦୀମଙ୍କୁ ଚୂଡାନ୍ତ ଏକାଦଶକୁ ଆଣିବା ଯୋଜନା କରୁଛି। ଈଶାନ୍ତ ଶର୍ମା କିମ୍ବା ଉମେଶ ଯାଦବଙ୍କ ମଧ୍ୟରୁ କେହି ଜଣେ ପେସ୍ ବୋଲର ବସିଲେ ହିଁ ସେ ଦଳକୁ ଆସିବା ନିଶ୍ଚିତ ହେବ। ଦକ୍ଷିଣ ଆଫ୍ରିକା ଦୁଇଟି ପରିବର୍ତନ କରିବାକୁ ବାଧ୍ୟ। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଏଦେନ୍ ମର୍କରାମ ଏବଂ ସ୍ପିନର କେଶବ ମହାରାଜଙ୍କ ବଦଳରେ ଡେନ୍ ପିଟ୍‌ ଏବଂ ବ୍ୟାଟସମ୍ୟାନ୍‌ ଜୁବାର୍ ହାମଜା ଖେଳିବେ। ଲୁଙ୍ଗି ଏନଗିଡି ଫିଟ୍ ହୋଇଯାଇଥିଲେ ଅନରିଚ୍‌ ନର୍ତେଙ୍କ ସ୍ଥାନ ନେବେ।

ଭାରତୀୟ ସମ୍ଭାବ୍ୟ ଏକାଦଶ: ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଦେଜା, ରିଦ୍ଧିମାନ ସାହା (ୱିକେଟରକ୍ଷକ), ରବିଚନ୍ଦ୍ରନ୍‌ ଅଶ୍ବିନ୍, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ।

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: ଡିନ୍ ଏଲଗାର, ଜୁବାର ହାମଜା, ଥିଉନିସ୍‌ ଡି ବ୍ରୁଇନ୍, ଫାପ୍ ଡୁ ପ୍ଲେସିସ୍ (ଅଧିନାୟକ), ତେମ୍ବା ବାଭୁମା, କ୍ବିଣ୍ଟନ୍ ଡି’କକ୍ (ୱିକେଟରକ୍ଷକ), ସେନୁରାନ ମୁଥୁସାମୀ, ଭେର୍ନନ ଫିଲାଣ୍ଡର, ଅନରିଚ୍‌ ନର୍ତେ/ଲୁଙ୍ଗି ଏନଗିଡି, ଡେନ୍ ପିଟ୍, କାଗି ସୋ ରବାଦା।

ନଜରରେ ଏସବୁ ତଥ୍ୟ
କୋହଲିଙ୍କ ଅଧିନାୟକତ୍ବରେ ଭାରତ ଘରୋଇ ମାଟିରେ ମାତ୍ର ଥରେ ଟେଷ୍ଟ୍‌ ହାରିଛି। ୨୦୧୭ରେ ପୁନେରେ ଅଷ୍ଟ୍ରେଲିଆଠୁ ଏହି ଏକମାତ୍ର ପରାଜୟ ମିଳିଥିଲା। ଅଧିନାୟକ ଭାବେ କୋହଲି ଏହି ଫର୍ମାଟରେ ୫୦୦୦ ରନ୍ ପୂରଣଠାରୁ ମାତ୍ର ୪ ରନ୍‌ ଦୂରରେ ରହିଛନ୍ତି।
କୋହଲି ଚଳିତ ବର୍ଷ ୮ ଟେଷ୍ଟ୍ ପାଳିରୁ ମାତ୍ର ଗୋଟିଏ ଶତକ ମାରିଛନ୍ତି। କିନ୍ତୁ ୭୭.୩୩ ହାରା‌ହାରି ତାଙ୍କ ପାଇଁ ଏକ କ୍ୟାଲେଣ୍ଡର୍ ବର୍ଷରେ ବ୍ୟକ୍ତିଗତ ଶ୍ରେଷ୍ଠ।
ରୋହିତ ଶର୍ମା ଆଉ ମାତ୍ର ୩ଟି ଛକା ମାରିପାରିଲେ ଚଳିତ ବର୍ଷ ସର୍ବାଧିକ ଟେଷ୍ଟ୍ ଛକାରେ ବେନ୍ ଷ୍ଟୋକ୍ସ (୧୫ ଛକା, ୧୬ ପାଳି)ଙ୍କୁ ଟପିଯିବେ। ଚଳିତ ଶୃଙ୍ଖଳାରେ ସେ ମୋଟ ୧୩ ଛକା ମାରି ସାରିଛନ୍ତି।

ଆହତ କୁଲଦୀପଙ୍କ ସ୍ଥାନରେ ନଦୀମ
ରାଞ୍ଚି: ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ ଲାଗି ବାମହାତୀ ସ୍ପିନର ଶାହବାଜ ନଦୀମଙ୍କୁ ମିଳିଛି ପୁରସ୍କାର। ଅଭ୍ୟାସ ବେଳେ ଆହତ ଯୋଗୁଁ ରାଞ୍ଚି ଟେଷ୍ଟ୍‌ରୁ ଚାଇନାମ୍ୟାନ୍‌ କୁଲଦୀପ ଯାଦବ ବାଦ୍‌ ପଡ଼ିବାରୁ ତାଙ୍କ ସ୍ଥାନରେ ନଦୀମଙ୍କୁ ଡାକରା ମିଳିଛି। ଝାଡ଼ଖଣ୍ଡ ଓ ଭାରତ-ଏ ଦଳରୁ ଖେଳୁଥିବା ନଦୀମ ଚଳିତ ଋତୁରେ ୫୦ରୁ ଅଧିକ ୱିକେଟ୍‌ ଅକ୍ତିଆର କରିସାରିଲେଣି। ୩୦ ବର୍ଷୀୟ ନଦୀମ ୧୧୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୯ ଥର ୫ ୱିକେଟ୍‌ ସଫଳତା ସହ ୪୨୪ ୱିକେଟ୍‌ ନେଇଛନ୍ତି। ୨୦୧୮ରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି-୨୦ ବେଳେ ନଦୀମଙ୍କୁ ଡାକରା ମିଳିଥିଲେ ମଧ୍ୟ ଗୋଟିଏ ହେଲେ ମ୍ୟାଚ୍‌‌ ଖେଳିନଥିଲେ।

ଟସ୍‌ ପକାଇବେନି ଫାଫ୍‌ ଡୁ ପ୍ଲେସିସ୍‌!
ରାଞ୍ଚି: ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ୍‌ ହାରି ଦକ୍ଷିଣ ଆଫ୍ରିକ‌ା ତିନିଟିକିଆ ଟେଷ୍ଟ୍‌ ଶୃଙ୍ଖଳା ହାତଛଡ଼ା କରିସାରିଛି। ଏହି ଦୁଇ ଟେଷ୍ଟ୍‌ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ୍‌ ଟସ୍‌ ହାରିଥି‌ଲେ। ଏଥିସହ ସେ ମଧ୍ୟ ଏସିଆରେ ଲଗାତାର ୯ ‌ମ୍ୟାଚ୍‌ରେ ଟସ୍‌ ହାରିଲେଣି। ଫଳରେ ଶନିବାରଠୁ ଆରମ୍ଭ ହେବାକୁ ଥିବା ତୃତୀୟ ତଥା ଶେଷ ‌ଟେଷ୍ଟ୍‌ରେ ନିଜ ଭାଗ୍ୟ ବଦଳାଇବାକୁ ‌ଡୁ ପ୍ଲେସିସ୍‌ ଟସ୍‌ ପକାଇବାକୁ ନଯିବା ପାଇଁ ଚିନ୍ତା କରୁଛନ୍ତି। ଟସ୍‌ ଜିତିବାର ଭାଗ୍ୟ ମୋ ସାଥୀରେ ରହୁନି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କଲେ ଦଳର ଭାଗ୍ୟରେ ମଧ୍ୟ ପରିବର୍ତନ ଘଟିପାରନ୍ତା। ହେଲେ ଏଥିରେ ମୁଁ ବାରମ୍ବାର ବିଫଳ ହେଉଛି। ତେଣୁ ରାଞ୍ଚି ଟେ‌ଷ୍ଟ ପାଇଁ ଟସ୍‌ ପକାଇବାକୁ ଆଉ ଜଣଙ୍କୁ ପଠାଇପାରେ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଡୁ ପ୍ଲେସିସ୍‌। ଆଉ କାହାକୁ ପଠାଇଲେ ହୁଏତ ଭାଗ୍ୟ ବଦଳିପାରେ। ଟସ୍‌ ଜିତିଲେ, ବ୍ୟାଟିଂ କରିବୁ। ପ୍ରଥମ ପାଳିରେ ବଡ଼ ସ୍କୋର୍‌ କରି ପ୍ରତିପକ୍ଷକୁ ଚାପରେ ରଖିବୁ। ପ୍ରଥମ ପାଳି ହିଁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର