କଲମ୍ବୋ: ଚଳିତ ଏକଦିବସୀୟ ମହିଳା କ୍ରିକେଟ୍ ବିଶ୍ବକପ୍‌ରେ ପାକିସ୍ତାନର ପରାଜୟ ଧାରା ଜାରି ରହିଛି। ମଙ୍ଗଳବାର ନିଜ ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ୧୦୭ ରନ୍‌ର ବଡ଼ ବ୍ୟବଧାନରେ ହାରି ହ୍ୟାଟ୍ରିକ୍ ପରାଜୟ ବରଣ କରିଛି ଏହି ଦଳ। ଏହା ପୂର୍ବରୁ ପାକିସ୍ତାନ ନିଜ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଏବଂ ଦ୍ବିତୀୟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା। ହ୍ୟାଟ୍ରିକ୍ ପରାଜୟ ସହ ଏହି ଦଳ ମଧ୍ୟ ପଏଣ୍ଟ୍ ତାଲିକାର ସବାଶେଷ ସ୍ଥାନରେ ଘୁଷୁରୁଛି।

Advertisment

କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବା ପାକିସ୍ତାନର ବୋଲର୍‌ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏପରିକି ୭୬ ରନ୍‌ରେ କଙ୍ଗାରୁ ଦଳର ୬ ୱିକେଟ୍ ନେଇ ଦୃଢ଼ ସ୍ଥିତିରେ ରହିଥିଲା ପାକିସ୍ତାନ। ହେଲେ ମଧ୍ୟକ୍ରମ ବ୍ୟାଟର୍ ତଥା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବେଥ୍ ମୁନି (୧୦୯)ଙ୍କ ଲଢ଼ୁଆ ଶତକ ସହ ଦଶମ ସ୍ଥାନରେ ବ୍ୟାଟିଂକୁ ଆସିଥିବା ଆଲନା କିଙ୍ଗ୍‌ଙ୍କ କ୍ୟାରିୟର୍ ଶ୍ରେଷ୍ଠ ୫୧* ରନ୍ ବଳରେ ଅଷ୍ଟ୍ରେଲିଆ ୯ ୱିକେଟ୍ ହରାଇ ୨୨୧ ରନ୍‌ର ସମ୍ମାନଜନକ ସ୍କୋର୍ କରି ନେଇଥିଲା। ଏହାର ଜବାବରେ ପାକିସ୍ତାନ ଆରମ୍ଭରୁ ଆତ୍ମସମର୍ପଣ କରି ୧୫ ଓଭର ଭିତରେ ହିଁ ଏକପ୍ରକାର ମ୍ୟାଚ୍ ଜିତିବାର ଆଶା ଛାଡ଼ି ଦେଇଥିଲା। ଶେଷରେ ୩୬.୩ ଓଭରରେ ଲଜ୍ଜାଜନକ ଭାବେ ମାତ୍ର ୧୧୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଆଜିର ମ୍ୟାଚ୍ ବେଶ୍ ଏକତରଫା ରହିଥିଲେ ମଧ୍ୟ ସମସ୍ତଙ୍କ ନଜର ଏବେ ଗୁରୁବାରର ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଉପରେ ରହିଛି। ଦକ୍ଷିଣ ଆଫ୍ରିକା ତା’ର ଦୁଇଟି ମ୍ୟାଚ୍‌ରୁ ଗୋଟିଏ ଲେଖାଏଁ ଜୟ/ପରାଜୟ ପାଇଛି। ଅନ୍ୟପକ୍ଷରେ ଭାରତ ତା’ର ଦୁଇଟି ଯାକ ମ୍ୟାଚ୍ ଜିତି ଆତ୍ମବିଶ୍ବାସରେ ଭରପୂର ରହିଛି।

ସଂକ୍ଷିପ୍ତ ସ୍କୋର୍: ଅଷ୍ଟ୍ରେଲିଆ ୫୦ ଓଭରରେ ୨୨୧ (ବେଥ୍ ମୁନି ୧୦୯, ଆଲନା କିଙ୍ଗ୍ ୫୧*, ନସ୍ରା ସାନ୍ଧୁ ୩/୩୭, ରନିନ ସମିମ ୨/୨୯)। ପାକିସ୍ତାନ ୩୬.୩ ଓଭରରେ ୧୧୪ (ସିଦ୍ରା ଅମିନ ୩୫, କିମ୍ ଗ୍ରାଥ୍ ୩/୧୪, ଆନାବେଲ୍ ସଦରଲାଣ୍ଡ୍ ୨/୧୫)।