ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ: ଶ୍ରୀଲଙ୍କାର ୨୦୫ ରନ୍‌ ଜବାବରେ ଭାରତ ୧/୧୧

ନାଗପୁର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ୨ୟ ଟେଷ୍ଟ ମ୍ୟାଚରେ ଭାରତ ଗୋଟିଏ ଓ୍ଵିକେଟ ହରାଇ ୧୧ ରନ୍‌ ସଂଗ୍ରହ କରିଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ ଅପେକ୍ଷା ୧୯୪ରନ୍‌ ପଛରେ ରହିଛି। ଲୋକେଶ ରାହୁଲ(୭) ୧୩ଟି ବଲ ଖେଲି ଲାହିରୁ ଗେମେଜଙ୍କ ବଲରେ ବୋଲ୍ଡ ହୋଇ ପାଭଲିୟନକୁ ଫେରିଥିଲେ। ମୁରଲୀ ବିଜୟ(୨) ଓ ଚେତେଶ୍ୱର ପୂଜାରା(୨) ଅପରାଜିତ ପଡ଼ିଆରୁ ଫେରିଛନ୍ତି।

ମହାରାଷ୍ଟ୍ରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଶ୍ରୀଲଙ୍କା ପ୍ରଥମ ପାଳିରେ ୨୦୫ ରନ୍‌ ସଂଗ୍ରହ କରି ସମସ୍ତ ଓ୍ଵିକେଟ ହରାଇ ଥିଲା। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଦଳ ୭୦.୧ ଓଭରରେ ୨୦୫ ରନ୍‌ ସଂଗ୍ରହ କରି ସମସ୍ତ ଓ୍ଵିକେଟ ହରାଇ ଥିଲା। ଟିମ୍‌ର ପ୍ରଥମ ଓ୍ଵିକେଟ ୨୦ ରନ୍‌ରେ, ୨ୟ ଓ୍ଵିକେଟ ୪୪ରନ୍‌ରେ, ୩ୟ ଓ୍ଵିକେଟ ୬୦ ରନ୍‌ରେ, ୪ର୍ଥ ଓ୍ଵିକେଟ ୧୨୨ ରନ୍‌ରେ, ୫ମ ଓ୍ଵିକେଟ ୧୬୦ରନ୍‌ରେ ଓ ୬ଷ୍ଠ ଓ୍ଵିକେଟ ୧୬୫ରନ୍‌ରେ, ୭ମ ଓ ୮ମ ଓ୍ଵିକେଟ ୧୮୪ ରନ୍‌ରେ ପଡ଼ିଛି। ଶ୍ରୀଲଙ୍କାର ୯ମ ଓ ୧୦ମ ଓ୍ଵିକେଟ ୨୦୫ ରନ୍‌ରେ ପଡ଼ିଥିଲା।

ସଦିରା ସମରଓ୍ଵିକରାମ (୧୩) ୧୫ଟି ବଲ ଖେଲି ଇଶାନ୍ତ ଶର୍ମାଙ୍କ ବଲ ଚେତେଶ୍ୱର ପୂଜାରାଙ୍କୁ କ୍ୟାଚ ଦେଇଥିଲେ। ଦିମୁଠ କରୁଣାରତ୍ନେ(୫୧) ଏକମାତ୍ର ଖେଳାଳି ଯିଏ କି ପ୍ରଥମ ଦିନରେ ଭଲ ସ୍କୋର କରିଥିଲେ। ସେ ଈଶାନ୍ତ ଶର୍ମାଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇ ପାଭଲିୟନ ଫେରିଥିଲେ। ଆଞ୍ଜେଲା ମ୍ୟାଥୁଜ(୧୦) ରବୀନ୍ଦ୍ର ଜଦେଜାଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇଥିବା ବେଳେ ନିରୋସାନ ଡିକେଓ୍ଵଲା (୨୪) ରବୀନ୍ଦ୍ର ଜାଦେଜାଙ୍କ ବଲ ଈଶାନ୍ତ ଶର୍ମାଙ୍କୁ କ୍ୟାଚ ଦେଇଥିଲେ।

ସେହିଭଳି ଦାନୁଶ ସନକା (୨) ଅଶ୍ୱିନଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିୟନ ଫେରିଥିବା ବେଳେ ରବୀନ୍ଦ୍ର ଜାଦେଜାଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ ଦିଲରୁଓ୍ଵାନ ପେରାରା। ସେହିପରି ଲାହିରୁ ଥିରମାନି(୯) ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସୁରଙ୍ଗା ଲାକମଲ ୧୭ ରନ୍‌ କରି ଆଉଟ ହୋଇଥିଲେ। ସେ ଈଶାନ୍ତ ଶର୍ମାଙ୍କ ବଲ ଖେଳିବାକୁ ଯାଇ ଋଦ୍ଧିମାନ ଶାହାଙ୍କ ଦ୍ୱାରା କ୍ୟାଚ ହୋଇଥିବା ବେଳେ ରଙ୍ଗନା ହେରାଥ ୪ରନ୍‌ କରି ପାଭଲିୟନ ଫେରିଛନ୍ତି। ସେ ଅଶ୍ୱିନଙ୍କ ବଲ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇଥିଲେ।

ସମ୍ବନ୍ଧିତ ଖବର