ବିଶାଖାପାଟଣା ଦିନିକିଆ: ଶୃଙ୍ଖଳା ଜିତିବା ପାଇଁ ନିର୍ଧୂମ ପିଟିଲେ ଶ୍ରେୟସ-ଶିଖର

ଭାରତ ପାଇଁ ବିଜୟ ଆଣି ବିରୁଷ୍କାଙ୍କୁ ରୋହିତ ଦେଲେ ହନିମୁନ୍‌ ଉପହାର

ବିଶାଖାପାଟଣା: ଶ୍ରୀଲଙ୍କା ବିପକ୍ଷରେ ରବିବାର ବିଶାଖାପାଟଣା ଠାରେ ୩ୟ ଦିନିକିଆକୁ ଭାରତ ୮ ଓ୍ଵିକେଟରେ ବିଜୟୀ ହୋଇଛି। ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଜିତିବା ପାଇଁ ଶ୍ରେୟସ ଆୟାର(୬୫) ଓ ଶିଖର ଧାଓ୍ଵନ(ଅପରାଜିତ ଶତକ, ୮୪ଟି ବଲ) ନିର୍ଧୂମ ପିଟିଛନ୍ତି। ୨ୟ ପାଳିରେ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତ ୩୨.୧ଓଭରରେ ୨ଟି ଓ୍ଵିକେଟ ହରାଇ ୨୧୯ ରନ୍‌ ସଂଗ୍ରହ କରିବା ସହିତ ଲକ୍ଷ୍ୟ ହାସଲ କରିଛିି। ଭାରତ ଏହି ଶୃଙ୍ଖଳାକୁ ୨-୧ରେ ନିଜର ନାମରେ କରିଛି। ଗତ ଡିସେମ୍ବର ୧୪ରେ ଭାରତ ୧୪୧ ରନ୍‌ରେ ମୋହାଲି ଦିନିକିଆରେ ବିଜୟୀ ହୋଇଥିଲା। ସେହିପରି ଶୃଙ୍ଖଳାର ପ୍ରଥମ ମ୍ୟାଚକୁ ଶ୍ରୀଲଙ୍କା ଧର୍ମଶାଳାରେ ଜିଣି ଥିଲା।

ନିୟମିତ ଅଧିନାୟକ ବିରାଟ କୋହଲି ବିବାହ ପରେ ପତ୍ନୀ ଅନୁଷ୍କାଙ୍କ ସହିତ ବିଦେଶରେ ହନିମୁନ୍‌ରେ ଥିବା ବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିଥିବା ଟିମ୍‌ ଇଣ୍ଡିଆ ବିଜୟ ଉପହାର ଦେଇଛି। ଶ୍ରେୟସ ୪୪ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିବା ସହିତ ୨ୟ ଓ୍ଵିକେଟରେ ଶିଖର ଧାଓ୍ଵନଙ୍କ ସହିତ ୧୩୫ ରନ୍‌ର ଭାଗିଦାରୀ ହୋଇଥିଲେ। ଆୟାର ଆଉଟ ହେବା ପରେ ଧାଓ୍ଵନଙ୍କୁ ଭଲ ସହଯୋଗ କରିଥିଲେ ଦିନେଶ କାର୍ତ୍ତିକ(ଅପରାଜିତ ୨୬)। ଫଳରେ ଶ୍ରୀଲଙ୍କା ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆଗରେ ହାର ମାନିଥିଲେ।

ଭାରତ ମାତ୍ର ୧୪ ରନ୍‌ରେ ପ୍ରଥମ ଓ୍ଵିକେଟ (୩.୪) ହରାଇଥିଲା। ରୋହିତ ଶର୍ମା ୧୪ଟି ବଲ ଖେଳି ୭ ରନ୍‌ ସଂଗ୍ରହ କରିବା ପରେ ଅକିଳ ଧନଞ୍ଜୟଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଭାରତ ୧୪୯ ରନ୍‌ରେ ଶ୍ରୀଲଙ୍କାର ୨ୟ ଶିକାର ହୋଇଥିଲେ ଆୟାର। ସେ ଥିରସା ପେରାରାଙ୍କ ବଲ ସୁରଙ୍ଗା ଲକମଲକୁ କ୍ୟାଚ ଦେଇଥିଲେ।

ପୂର୍ବରୁ ପ୍ରଥମ ଇନିଂସର ଆରମ୍ଭରୁ ଭଲ ପ୍ରଦର୍ଶନ କରି ନଥିବା ଶ୍ରୀଲଙ୍କା ୨ୟ ଓ୍ଵିକେଟରେ ୧୨୧ ରନ୍‌ ଯୋଡ଼ିଥିଲା। କିନ୍ତୁ ସଦିରା ସମରବିକ୍ରମା ଆଉଟ ହେବାର କିଛି ସମୟ ପରେ ଉପୁଲ ଥରଙ୍ଗା ଆଉଟ ହୋଇଥିଲେ। ଏହା ପରେ ପରବର୍ତ୍ତୀ ଖେଳାଳିମାନେ ଅଧିକ ସମୟ ଧରି କ୍ରିଜରେ ତିଷ୍ଠି ପାରି ନଥିଲେ। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ତଥା ନିର୍ଣ୍ଣାୟକ ମୁକାବିଲାରେ ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ସୁରଙ୍ଗା ଲକମଲ(୧)ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ ଫେରିଥିଲେ। ଶ୍ରୀଲଙ୍କାର ଶେଷ ଓ୍ଵିକେଟ ଆସେଲା ଗୁଣରତ୍ନେ(୧୭) ଭୁବନେଶ୍ୱର କୁମାରଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ।

ଶ୍ରୀଲଙ୍କା: ୧୫ ରନ୍‌ରେ ପ୍ରଥମ ଓ୍ଵିକେଟ(୩.୪ଓଭର), ୧୩୬ରେ ୨ୟ ଓ୍ଵିକେଟ(୨୨.୩ଓଭର), ୧୬୦ ରନ୍‌ରେ ୩ୟ ଓ୍ଵିକେଟ(୨୭.୧ଓଭର), ୧୬୮ ରନ୍‌ରେ ୪ର୍ଥ ଓ୍ଵିକେଟ(୨୭.୫ଓଭର), ୧୮୯ ରନ୍‌ରେ ୫ମ ଓ୍ଵିକେଟ(୩୩.୫ଓଭର), ୧୯୭ ରନ୍‌ରେ ୬ଷ୍ଠ ଓ୍ଵିକେଟ(୩୫.୧ଓଭର), ୨୦୮ ରନ୍‌ରେ ୭ମ ଓ୍ଵିକେଟ(୩୮.୪ ଓଭର), ୨୧୦ ରନ୍‌ରେ ୮ମ ଓ୍ଵିକେଟ(୩୯.୫) ଓ ୨୧୧ରନ୍‌ରେ ୯ମ ଓ୍ଵିକେଟ(୪୦.୧ ଓଭର)

ଭାରତର ୮ମ ଶିକାର ହୋଇଥିଲେ ଅକିଳ ଧନଞ୍ଜୟ (୧)। ସେ କୁଳଦୀପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ୭ମ ଓ୍ଵିକେଟରେ ସଚିତ ପାଥେରାଣା(୭) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ୟୁଜବେନ୍ଦ୍ର ଚହଲଙ୍କ ଦ୍ୱାରା କ୍ୟାଚ ହୋଇ ପାଭଲିଅନ ଫେରିଥିଲେ। ୫ମ ଓ୍ଵିକେଟରେ ଆଞ୍ଜେଲା ମାଥୁସ(୧୭) ୟୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ବୋଲ୍ଡ ହୋଇ ଫେରିଥିଲେ। ଚହଲଙ୍କ ବଲରେ ଥିରସା ପେରାରା(୬) ଏଲବିଡବ୍ଲୁ ହୋଇ ଭାରତର ୬ଷ୍ଠ ଓ୍ଵିକେଟର ଶିକାର ହୋଇଥିଲେ। ଶ୍ରୀଲଙ୍କା ୪ର୍ଥ ଓ୍ଵିକେଟରେ ନିରୋସାନ ଡିକେଓ୍ଵଲା(୪)ଙ୍କୁ ହରାଇଛି।

ନିରୋସାନ କୁଳଦୀପ ଯାଦବଙ୍କ ବଲ ଶ୍ରେୟସ ଆୟାରଙ୍କୁ କ୍ୟାଚ ଦେଇଥିଲେ। ଏହା ପୂର୍ବରୁ ଉପୁଲ ଥରଙ୍ଗା (୯୫) ଶତକ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ସେ କୁଳଦୀପ ଯାଦବଙ୍କ ବଲ ଓ୍ଵିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ପୂର୍ବରୁ ଭାରତର ପ୍ରଥମ ଶିକାର ହୋଇଥିଲେ ଦାନୁଷ୍କା ଗୁଣାରତ୍ନେ(୧୨)। ସେ ଯଶପ୍ରିତ ବୁମରାଙ୍କ ବଲ ରୋହିତ ଶର୍ମାଙ୍କୁ କ୍ୟାଚ ଦେଇ ପାଭଲିୟନ ଫେରି ଯାଇଛନ୍ତି। ସେହିପରି ସଦିରା ସମରବିକ୍ରମା ୪୨ ରନ୍‌ ସଂଗ୍ରହ କରିବା ପରେ ୟୁଯବେନ୍ଦ୍ର ଚହଲଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ ଦେଇଥିଲେ।

ସମ୍ବନ୍ଧିତ ଖବର