ଭାରତ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳା ଆଜିଠୁ: ଫେରିଲେ ରୋହିତ, କୋହଲି; ବାଦ୍‌ ପଡ଼ିଲେ ବୁମ୍‌ରା

ଗୁଆହାଟୀ: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ଶୃଙ୍ଖଳା ମଙ୍ଗଳବାରଠୁ ଆରମ୍ଭ ହେବ। ଗୁଆହାଟୀରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌କୁ ଟ୍ବେଣ୍ଟି-୨୦ରେ ବିଶ୍ରାମ ନେଇଥିବା ତାରକା ଖେଳାଳି ‌ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍‌ ରାହୁଲ, ଶ୍ରେୟସ ଆୟର ଫେରିଛନ୍ତି। ହେଲେ ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରା ସୁସ୍ଥ ହୋଇନଥିବାରୁ ପୁଣି ଦଳରୁ ବାଦ୍‌ ପଡ଼ିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ସହ ୫ ବରିଷ୍ଠ ଖେଳାଳି ଫେରିବା ଭାରତୀୟ ଦଳକୁ ଅତିରିକ୍ତ ବଳ ଯୋଗାଇଛି। ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ବିଶ୍ବକପ୍‌ ଖେଳାଯିବ। ଏହି ବିଶ୍ବକପ୍‌ ବର୍ଷର ଆଗାମୀ ୧୦ ମାସ ମଧ୍ୟରେ ଭାରତ ୧୫ ଦିନିକିଆ ‌ମ୍ୟାଚ୍‌ ସହ ଏସିଆ କପ୍‌ ଖେଳିବ। ଶ୍ରୀଲଙ୍କା ବିପକ୍ଷରୁ ଭାରତର ଏହା ବିଶ୍ବକପ୍‌ ପାଇଁ ପ୍ରସ୍ତୁତ ଅଭିଯାନ।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଶୀର୍ଷ ୫ ବ୍ୟାଟର୍‌ଙ୍କୁ ବାଛିବାରେ ଦଳ ବଡ଼ ସମସ୍ୟାରେ ପଡ଼ିବ। ଓପନର୍‌ ରୋହିତ ଏବଂ ନମ୍ବର ୩ କୋହଲି ଖେଳିବା ନିଶ୍ଚିତ ଥିଲା ବେଳେ ଫର୍ମକୁ ଦେଖି ଈଶାନ କିଶନ ଏବଂ ଆୟରଙ୍କୁ ବାଦ୍‌ ଦେବା କଷ୍ଟକର ହେବ। ଈଶାନ ବାଂଲାଦେଶ ବିପକ୍ଷରେ କ୍ୟାରିୟର ଶ୍ରେଷ୍ଠ ୨୧୦ ରନ୍‌ କରିଥିଲେ। ରୋହିତଙ୍କ ସହ ଓପନିଂ ପାଇଁ ଏହି ଯୁବ ତାରକାଙ୍କ ଲଢ଼େଇ ଶୁବମନ ଗିଲ୍‌ଙ୍କ ସହ ହେବ। ଆୟର ଗତ ବର୍ଷ ୧୫ ପାଳି ଖେଳି ୫୫.୬୯ ହାରାହାରିରେ ୭୨୪ ରନ୍‌ କରିଥିଲେ। ତାଙ୍କ ନିକଟରେ ଉପମହାଦେଶୀୟ ପିଚ୍‌ରେ ଷ୍ଟ୍ରାଇକ୍‌ ରୋଟେଟ୍‌ ଏବଂ ମିଡିଲ ଓଭର୍‌ରେ ସ୍ପିନ୍‌କୁ ଭଲ ଖେଳିବା କଳା ରହିଛି। ‌ତେଣୁ ସେ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ଭାବେ ଗଣାଯାଉଛନ୍ତି। ତାଙ୍କ ପରେ ଆସୁଛି ସୂର୍ଯ୍ୟକୁମାର ଯାଦବଙ୍କ ନାଁ। ଟ୍ବେଣ୍ଟି-୨୦ରେ ଚମତ୍କାର ଖେଳୁଥିବାରୁ ସୂର୍ଯ୍ୟ ଦିନିକିଆରେ ସ୍ଥାନ ନେବା ପାଇଁ ଦାବିଦାର ଅଛନ୍ତି। ଶ୍ରୀଲଙ୍କା ବିପକ୍ଷ ରାଜକୋଟ ମ୍ୟାଚ୍‌ରେ ୫୧ ବଲ୍‌ ୧୧୨ ରନ୍‌ କରି ଫର୍ମରେ ଥିବା ସୂଚନା ଦେଇଛନ୍ତି ସେ। ୭ ମାସରେ ଏହା ତାଙ୍କର ତୃତୀୟ ଶତକ। ଓପନିଂ ବ୍ୟାଟିଂ ନକରି ୩ ଶତକ ମାରିବାରେ ଟ୍ବେଣ୍ଟି-୨୦ ଇତିହା‌ସରେ ‌ସେ ପ୍ରଥମ ବ୍ୟାଟର୍‌ ହେବାର ଗୌରବ ପାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ଦିନିକିଆ କ୍ୟାରିୟର ସେତେଟା ଭଲ ନାହିଁ। ୧୬ ମ୍ୟାଚ୍‌ ଖେଳି ସେ ୨ ଅର୍ଦ୍ଧଶତକ ସହ ୩୮୪ ରନ୍‌ କରିଛନ୍ତି। ବିଶ୍ବକପ୍‌କୁ ନଜରରେ ରଖି ତାଙ୍କୁ ଖେଳାଇବାକୁ ଚାହୁଛି ଦଳ।

ଭେଟେରାନ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଦଳକୁ ଫେରିଛନ୍ତି। ସେ ଚୂଡ଼ାନ୍ତ ଏକାଦଶରେ ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ଓ ଉମ୍ରାନ ମଲିକଙ୍କ ସହ ସ୍ଥାନ ପାଇପାରନ୍ତି। ନୂଆ ଉପଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଂକୁ ଦଳ ବ୍ୟବହାର କରିବାକୁ ଚାହିବ। ପିଠି ଯନ୍ତ୍ରଣା ଯୋଗୁଁ ପ୍ରାୟ ଗୋଟିଏ ବର୍ଷ ବୋଲିଂ ଦୂରେଇ ରହିଥିବା ପାଣ୍ଡ୍ୟା ୨୦୨୨ ଆଇପିଏଲ୍‌ରେ ବୋଲିଂକୁ ଫେରିଥିଲେ। ଏବେ ଦଳ ପାଇଁ ‌କେତେ ଓଭର ପକାଇବେ ତାହା ଦେଖିବାର ଅଛି।
ଅନ୍ୟପକ୍ଷରେ ନିକଟରେ ଶେଷ ହୋଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତକୁ କଡ଼ା ଟକ୍କର ଦେଇଥିଲା ଶ୍ରୀଲଙ୍କା। ଏଥିରେ ଅଧିନାୟକ ଦସୁନ ଶଣକାଙ୍କ ଚମତ୍କାର ନେତୃତ୍ବ ଦେଖିବାକୁ ମିଳିଥିଲା। ସେ ଏହି ଶୃଙ୍ଖଳାରେ ୧୮୭.୮୭ ‌ଷ୍ଟ୍ରାଇକ୍‌ରେଟ୍‌ରେ ୧୨୪ ରନ୍‌ କରିବା ସହ ଦଳର ସର୍ବାଧିକ ରନ୍‌ ସ୍କୋରର୍‌ ହୋଇଥିଲେ। ଶୀ‌ର୍ଷକ୍ରମରେ ଶ୍ରୀଲଙ୍କା ସ୍ଥିରତା ଏବଂ ପଥୁମ ନିଶଙ୍କଠୁ ଭଲ ଆରମ୍ଭ ଚାହିବ। ଗତ ବର୍ଷ ଶ୍ରୀଲଙ୍କାର ଅଗ୍ରଣୀ ସ୍କୋରର୍‌ ଥିଲେ ନିଶଙ୍କ (୧୧ ମ୍ୟାଚ୍‌, ୪୯୧ ରନ୍‌)। ଗତ ବର୍ଷ ୫୩.୨୫ ହାରରେ ରନ୍‌ କରିଥିବା ଚରିତ ଅସଲଙ୍କା ମଧ୍ୟଭାଗ ସମ୍ଭାଳିବେ।

ସାମ୍ଭବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, କେଏଲ୍‌ ରାହୁଲ (ୱିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ଯାଦବ/ଶ୍ରେୟସ ଆୟର, ହାର୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଅକ୍ଷର ପଟେଲ, ୟୁଝବେନ୍ଦ୍ର ଚହଲ/ କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି, ଅର୍ଶଦୀପ ସିଂହ/ଉମ୍ରାନ ମଲିକ।

ସାମ୍ଭବ୍ୟ ଶ୍ରୀଲଙ୍କା ଦଳ: କୁସାଲ ମେଣ୍ଡିସ (ଉପଅଧିନାୟକ), ପଥୁମ ନିଶଙ୍କ, ଅଭିସ୍କା ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଡି’ସିଲ୍‌ଭା, ଚରିତ ଅସଲଙ୍କା, ଦସୁନ ଶଣଙ୍କା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ତୀକ୍ଷଣା, କସୁନ ରଜିତା, ଦିଲସାନ ମଧୁଶଙ୍କା/ଲାହିରୁ କୁମାରା।

ସମ୍ବନ୍ଧିତ ଖବର