କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ଏସିଆ କପ୍ର ଫାଇନାଲ୍ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ରବିବାର ଅପରାହ୍ନ ୩ଟାରେ କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଗୁରୁବାର ବିଳମ୍ବିତ ରାତିରେ ଶେଷ ହୋଇଥିବା ସୁପର-୪ ମ୍ୟାଚ୍ରେ ଶ୍ରୀଲଙ୍କା ୨ ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୫୨ ରନ୍ର ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଶେଷ ବଲ୍ରେ ଜିତିଥିଲା। ସେମିଫାଇନାଲ୍ ସଦୃଶ ଏହି ମ୍ୟାଚ୍ ଦୁଇ ଦଳ ପାଇଁ କର ବା ମର ହୋଇଥିଲା। ବର୍ଷା କିନ୍ତୁ ପ୍ରଥମରୁ ପ୍ରତିବଂଧକ ସାଜିବାରୁ ପ୍ରଶଂସକ ଆଶାଙ୍କାରେ ପଡ଼ିଥିଲେ। ବର୍ଷା ଅଟକିବା ପରେ ମ୍ୟାଚ୍କୁ ୪୫ ଓଭର କରାଯାଇଥିଲା। ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିଥିଲା। କିନ୍ତୁ ୨୭.୪ ଓଭରରେ ବର୍ଷା ପୁଣି ପ୍ରତିବଂଧକ ସାଜିବାରୁ ପରବର୍ତ୍ତୀ ସମୟରେ ଏହାକୁ ୪୨ ଓଭର କରାଯାଇ ପୁନଃ ଆରମ୍ଭ ହୋଇଥିଲା। ସେତେବେଳେକୁ ପାକିସ୍ତାନ ୧୩୦/୫ରେ ସଂଘର୍ଷ କରୁଥିଲା। ଅଧିକ ୱିକେଟ୍ ହରାଇଥିବାରୁ ୪୨ ଓଭର ଶେଷରେ ଶ୍ରୀଲଙ୍କା ସମ୍ମୁଖରେ ମାତ୍ର ଗୋଟିଏ ରନ୍ କମ୍ ଲକ୍ଷ୍ୟ ରଖାଯାଇଥିଲା।
ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କା ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଚତୁର୍ଥ ଓଭରରେ କୁସାଲ ପେରେରା (୧୭) ଆଉଟ୍ ହୋଇଥିଲେ। ପଥୁମ ନିଶଙ୍କଙ୍କ ସହିତ କୁସାଲ ମେଣ୍ଡିସ୍ ଅର୍ଦ୍ଧଶତକୀୟ (୫୭) ଭାଗୀଦାରି କରିଥିଲେ। ପରେ ସଦୀରା ସମରବିକ୍ରମାଙ୍କ ସହ ୧୦୦ ଓ ଚାରିଥ ଅସଲଙ୍କାଙ୍କ ସହ ୩୩ ରନ୍ ଭାଗୀଦାରି ଗଢି ଦଳକୁ ବିଜୟ ନିକଟତର କରିଥିଲେ। କିନ୍ତୁ ବ୍ୟକ୍ତିଗତ ଶତକ ଅର୍ଜନଠୁ ୯ ରନ୍ ଦୂରରେ ଥାଇ ମେଣ୍ଡିସ୍ ଆଉଟ୍ ହୋଇଥିଲେ। ତଥାପି ଅସଲଙ୍କା ଗୋଟିଏ ପଟରୁ ପାଳି ସମ୍ଭାଳିବା ସହ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖି ଦଳକୁ ଜିତାଇଥିଲେ।
ଏଥିପୂର୍ବରୁ ଆହତ ସମସ୍ୟା ଭିତରେ ପଡ଼ିଥିବାରୁ ପାକିସ୍ତାନକୁ ଏହି ମ୍ୟାଚ୍ରେ ୫ଟି ପରିର୍ବତନ କରିବାକୁ ପଡ଼ିଥିଲା। ଫକର ଜମାନ ଓ ଅଦଦୁଲା ସଫିକ୍ ପାଳି ଆରମ୍ଭ କରିଥିଲେ। ଜମାନ (୧୧ ବଲ୍ରୁ ୪ ରନ୍) କିନ୍ତୁ ପୂର୍ବ ଭଳି ସଂଘର୍ଷ କରିଥିଲେ। ବାବର ଆଜମଙ୍କୁ ଶିକାର କରିଥିଲେ ଯୁବ ତାରକା ଦିନୁଥ ୱେଲାଲଗେ। ଚମତ୍କାର ଭାବେ ଷ୍ଟମ୍ପିଂ କରିଥିଲେ କୁସାଲ ମେଣ୍ଡିଜ୍। ତେବେ ସଫିକ୍ (୬୯ ବଲ୍ରୁ ୫୨ ରନ୍, ୩ ଚୌକା, ୨ ଛକା)ଙ୍କ ପାଳିରେ ପାକିସ୍ତାନ ବଢ଼ୁଥିବାବେଳେ ପଥିରଣାଙ୍କ ଡବଲ୍ ଷ୍ଟ୍ରାଇକ୍ ଦଳକୁ ୧୩୦/୫ରେ ସଂଘର୍ଷ କରାଇଥିଲା। ବର୍ଷା ବ୍ରେକ୍ ପରେ ମହମ୍ମଦ ରିଜୱାନ (୭୩ ବଲ୍ରୁ ୮୬ ରନ୍, ୬ ଚୌକା, ୨ ଛକା) ଏବଂ ଇଫତିକାର ଅହମ୍ମଦ (୪୦ ବଲ୍ରୁ ୪୭ ରନ୍, ୪ ଚୌକା, ୨ ଛକା)ଙ୍କ ପାଳି ପାକିସ୍ତାନକୁ ଲଢ଼ୁଆ (୨୫୨/୭) ସ୍କୋର ପ୍ରଦାନ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ପଥିରଣା ୩, ମଦୁସାନ ୨ ୱିକେଟ୍ ନେଇଥିଲେ। ତୀକ୍ଷସାଣା ଓ ୱେଲାଲଗେ ୧-୧ ୱିକେଟ୍ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୪୨ ଓଭରରେ ୨୫୨/୭ (ମହମ୍ମଦ ରିଜୱାନ-୮୬*, ଅବଦୁଲ୍ଲା ସଫିକ୍-୫୨, ଇଫତିକାର ଅହମଦ ୪୭, ମଥୀସା ପଥିରଣା-୩/୬୫, ପ୍ରମୋଦ ମଦୁସାନ୍-୨/୫୮)। ଶ୍ରୀଲଙ୍କା ୪୨ ଓଭରରେ ୨୫୨ (କୁସାଲ ମେଣ୍ଡିସ୍-୯୧, ସଦୀରା ସମରବିକ୍ରମ-୪୮, ଚରିଥା ଅସଲଙ୍କା-୪୯*, ଇଫତିକାର ଅହମଦ-୩/୫୦)।