ଭାରତ-ଶ୍ରୀଲଙ୍କା ଗୋଲାପି ଟେଷ୍ଟ ଆଜିଠୁ, କୋହଲିଙ୍କ ଶତକ ପ୍ରତୀକ୍ଷାର ଅନ୍ତ ଘଟାଇବ କି ଚିନ୍ନାସ୍ୱାମୀ?

ବେଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶନିବାରଠାରୁ ଦ୍ବିତୀୟ ତଥା ଶେଷ ‌ଟେଷ୍ଟ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯିବ। ଦିବାରାତ୍ର ବିଶିଷ୍ଟ ଏହି ମ୍ୟାଚ୍‌ ଗୋଲାପି ବଲ୍‌ରେ ଖେଳାଯିବ। ଭାରତ ପ୍ରଥମ ଟେଷ୍ଟକୁ ୩ ଦିନ ଭିତରେ ଜିତି ୧-୦ରେ ଆଗୁଆ ଥିବାରୁ ଅପ୍ରସ୍ତୁତ ଶ୍ରୀଲଙ୍କା ଚାପରେ ରହିଛି। ଭାରତ ଏବେ ୨-୦ରେ ମୂଳପୋଛ ବିଜୟ ଲକ୍ଷ୍ୟରେ ଥିବାବେଳେ ଶ୍ରୀଲଙ୍କା ସମ୍ମାନ ରଖିବାକୁ ସଂଘର୍ଷ କରିବ। ଏହି ଟେଷ୍ଟରେ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ବହୁ ପ୍ରତୀକ୍ଷିତ ଶତକ ମରୁଡ଼ିର ଅନ୍ତ ଘଟିବ ବୋଲି ଆଶା କରାଯାଉଛି। ବେଙ୍ଗାଲୁରୁ କୋହଲିଙ୍କ ପାଇଁ ‘ଆଧ୍ୟାତ୍ମିକ ଘର’ ଭାବେ ପରିଚିତ ଥିବାରୁ ଏଠାରେ ସେ ତାଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇବେ ବୋଲି ବିଶ୍ବାସ ମଧ୍ୟ ରହିଛି। ଦୀର୍ଘ ୨୮ ମାସ ହେବ କୋହଲିଙ୍କ ବ୍ୟାଟରୁ ଅନ୍ତର୍ଜାତୀୟ ଶତକ ଦେଖିବାକୁ ମିଳିନାହିଁ। ଶେଷ ଥର ପାଇଁ କୋହଲି ୨୦୧୯ରେ କୋଲ୍‌କାତାରେ ବାଂଲାଦେଶ ବିପକ୍ଷରେ ଶତକ (୧୩୬) ଅର୍ଜନ କରିଥିଲେ। ଏହା ପରେ ୨୮ ଟେ‌ଷ୍ଟ୍ ପାଳିରେ ମାତ୍ର ୬ ଥର ୫୦ ଅତିକ୍ରମ କରିଥିଲେ ମଧ୍ୟ କେବେ ତିନି ଅଙ୍କ ଛୁଇଁ ପାରିନାହାନ୍ତି। ବାଂଲାଦେଶ ବିପକ୍ଷ କୋଲକାତା ଟେଷ୍ଟ୍ ମଧ୍ୟ ଗୋଲାପି ବଲ୍‌ରେ ଖେଳାଯାଇଥିଲା। ଆଇପିଏଲ୍‌ ଆରମ୍ଭରୁ ଆର୍‌ସିବି ସହ ଜଡ଼ିତ ଥିବାରୁ ବାଙ୍ଗାଲୋର୍‌ କୋହଲିଙ୍କ ପାଇଁ ଦ୍ବିତୀୟ ଘର ଭଳି। ଏଠାରେ ନିଜ ୭୧ତମ ଅନ୍ତର୍ଜାତୀୟ ଶତକ ଜମାଇବେ ବୋଲି ପ୍ରଶଂସକ ମାନେ ଆଶା ରଖିଛନ୍ତି। ତେବେ ଉଭୟ ସୀମିତ ଓଭର ଓ ଟେଷ୍ଟ୍ ଅଧିନାୟକ ପଦରୁ ଓହରିଯିବା ପରେ କୋହଲି ଚାପରେ ଥିବାରୁ ବ୍ୟାଟିଂ ଲୟକୁ ଫେରିବାକୁ ସମୟ ଲାଗିବ। ମୋହାଲିରେ ନିଜ ଶତକ ଟେଷ୍ଟରେ ଅର୍ଦ୍ଧଶତକ ଜମାଇଥିଲେ ମଧ୍ୟ ଏହାକୁ ଲମ୍ବା ପାଳିରେ ପରିଣତ କରିପାରିନଥିଲେ।

Bengaluru: Indian Coach Rahul Dravid, Batting Coach Vikram Rathour, Captain Rohit Sharma and Vice Captain Jasprit Bumrah during a practice session ahead of the 2nd cricket test match between India and Sri Lanka, in Bengaluru, Thursday, Mar 10, 2022. (PTI Photo/Shailendra Bhojak) (PTI03_10_2022_000300B)

୨୦୨୨ରେ ଭାରତର ଶେଷ ଘରୋଇ ଟେଷ୍ଟ
ବେଙ୍ଗାଲୁରୁ ଟେଷ୍ଟ ଭାରତ ପାଇଁ ୨୦୨୨ ମସିହାର ଶେଷ ଘରୋଇ ଟେଷ୍ଟ୍ ହେବ। ଏହା ପରେ ଭାରତ ୨୦୨୨-୨୩ ଋତୁରେ ଆଉ ୭ଟି ଟେଷ୍ଟ ଖେଳିବାର ଥିଲେ ମଧ୍ୟ ଏସବୁ ଦେଶ ବାହାରେ ଓ ୨୦୨୩ରେ ଖେଳିବ। ବାଂଲାଦେଶ ଗସ୍ତରେ ୨ ଟେଷ୍ଟ ଏବଂ ଅଷ୍ଟ୍ରେଲିଆର ଭାରତ ଗସ୍ତରେ ୪ ଟେଷ୍ଟ୍ ବ୍ୟତୀତ ଇଂଲଣ୍ଡ୍ ବିପକ୍ଷ ଗତବର୍ଷର ଅସମ୍ପୂର୍ଣ୍ଣ ଶୃଙ୍ଖଳାର ଶେଷ ଟେଷ୍ଟ ଜୁନ୍‌ରେ ଖେଳିବ। ବେଙ୍ଗାଲୁରୁ ଟେଷ୍ଟ ପରେ ଭାରତୀୟ ଖେଳାଳିମାନେ ମାର୍ଚ୍ଚ ୨୬ରୁ ଆରମ୍ଭ‌ ହେବାକୁ ଯାଉଥିବା ଆଇପିଏଲ୍‌ରେ ସାମିଲ ହୋଇଯିବେ। ଉଭୟ ଭାରତ ଏବଂ ଶ୍ରୀଲଙ୍କା ଚତୁର୍ଥ ଥର ପାଇଁ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଛନ୍ତି ଏବଂ ସମାନ ୨ ବିଜୟ, ୧ ପରାଜୟ ଲଭିଛନ୍ତି।

ଭାରତ ସମ୍ଭାବ୍ୟ ୧୧: ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ୍‌, ହନୁମା ବିହାରୀ, ବିରାଟ କୋହଲି, ଋଷଭ ପନ୍ତ୍ (ୱିକେଟରକ୍ଷକ), ଶ୍ରେୟସ ଆୟର, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ୍‌/ମହମ୍ମଦ ସିରାଜ, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି।

ଶ୍ରୀଲଙ୍କା ସମ୍ଭାବ୍ୟ ୧୧: ଲାହିରୁ ଥିରିମାନେ, ଦିମୁଥ କରୁଣାରତ୍ନେ (ଅଧିନାୟକ), କୁସାଲ ମେଣ୍ଡିସ୍‌, ଆଞ୍ଜେଲୋ ମାଥ୍ୟୁସ, ଧନଞ୍ଜୟ ଡି’ସିଲଭା, ଚରିଥ ଅସଲଙ୍କା, ନିରୋଶନ ଡିକୱାଲା (ୱିକେଟରକ୍ଷକ), ସୁରଙ୍ଗା ଲକମଲ, ଲସିଥ ଏମ୍ବୁଲଦେନିୟା, ବିଶ୍ବ ଫର୍ଣ୍ଣାଣ୍ଡୋ, ପ୍ରବୀଣ ଜୟବିକ୍ରମା।

ଦଳୀୟ ସମନ୍ବୟ
ଚିନ୍ନାସ୍ବାମୀ ଟେଷ୍ଟ ଗୋଲାପି ବଲରେ ଖେଳାଯିବାକୁ ଥିବାରୁ ଫିଟ୍‌ ଘୋଷିତ ସ୍ପିନ୍ ଅଲରାଉଣ୍ଡର୍‌ ଅକ୍ଷର ପଟେଲ୍‌ କିମ୍ବା ମହମ୍ମଦ ସିରାଜଙ୍କୁ ଦଳ ଜୟନ୍ତ ଯାଦବଙ୍କ ବଦଳରେ ଖେଳାଇବାର ଯୋଜନା ରଖିଛି। ଉଭୟ ଅକ୍ଷର ଓ ସିରାଜ ଦିବାରାତ୍ର ଟେଷ୍ଟରେ ଭଲ ପ୍ରଦର୍ଶନ କରିବାର କ୍ଷମତା ରଖିଛନ୍ତି। ମୋହଲିରେ ଜୟନ୍ତ ଯାଦବ କିଛି ପ୍ରଭାବ ପକାଇପାରିନଥିଲେ। ଏପରିକି ଶ୍ରୀଲଙ୍କା ସଂଘର୍ଷ କରୁଥିଲେ ମଧ୍ୟ ଉଭୟ ପାଳିରେ ସେ ୧୭ ଓଭର ବୋଲିଂ କରି ୱିକେଟଶୂନ୍ୟ ରହିଥିଲେ। ଅନ୍ୟପକ୍ଷରେ ଅକ୍ଷର ପଟେଲ୍‌ ନିଜ ଗୋଲାପିବଲ୍ ଟେଷ୍ଟରେ ଅହମଦାବାଦରେ ଇଂଲଣ୍ଡକୁ ଘାଇଲା କରି ୧୧ ୱିକେଟ୍ ଦଖଲ କରିଥିଲେ। ଏପରିକି ଦ୍ବିତୀୟ ପାଳିରେ ବୋଲିଂ ଓପନ୍‌ କରିଥିଲେ। ତେବେ ଚିନ୍ନାସ୍ବାମୀ ପିଚ୍‌ରେ ଯଦି ଘାସ ରହିଥିବ ତେବେ ରୋହିତ ଶର୍ମା ନିଶ୍ଚିତ ଜୟନ୍ତ ଯାଦବଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ଖେଳାଇବାକୁ ପସନ୍ଦ କରିପାରନ୍ତି। ଏହି ଏକମାତ୍ର ପରିବର୍ତନ ହେବା ସମ୍ଭାବନା ରହିଛି। ହନୁମା‌ ବିହାରୀ ମୋହାଲିରେ ୩ ନମ୍ବର ସ୍ଥାନରେ ଖେଳି ଅର୍ଦ୍ଧଶତକ ଜମାଇଥିଲେ। ତାଙ୍କୁ ଆଉ ଏକ ସୁଯୋଗ ମିଳିବା ସମ୍ଭାବନା ରହିଛି। ତଥାପି ରୋହିତ ଶର୍ମା ସ୍ପଷ୍ଟ କରିସାରିଛନ୍ତି ଏହି ସ୍ଥାନ ବିହାରୀଙ୍କ ପାଇଁ ସ୍ଥାୟୀ ‌ହୋଇନାହିଁ।

ଶ୍ରୀଲଙ୍କାର ସଂଘର୍ଷ
ବହୁ ଦିଗଜ ଖେଳାଳିଙ୍କ ପ୍ରସ୍ଥାନ କାଳରେ ଥିବା ଶ୍ରୀଲଙ୍କା ଏବେ ଅନ୍ତର୍ଜାତୀୟ କ୍ରିକେଟରେ ସଂଘର୍ଷ କରୁଛି। ତଥାପି ଲଢ଼ୁଆ ଖେଳୁଥିବା ଶ୍ରୀଲଙ୍କାକୁ ଚଳିତ ଗସ୍ତରେ ଆହତ ସମସ୍ୟା ଅଧିକ ସଂଘର୍ଷ କରିବାକୁ ବାଧ୍ୟ କରିଛି। ପେସ୍‌ ବୋଲର ଲାହିରୁ କୁମାରା ଆହତ ଥିବାରୁ ତାଙ୍କ ବଦଳରେ ଦୁଷ୍ମନ୍ତ ଚାମିରା ଖେଳିପାରନ୍ତି। ପଥୁମ ନିଶଙ୍କା ମଧ୍ୟ ବେଙ୍ଗାଲୁରୁ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେଙ୍କୁ ପ୍ରଭାବୀ ତଥା ଉଦାହରଣପୂର୍ଣ୍ଣ ପ୍ରଦର୍ଶନ‌ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର