ଭାରତ-ଶ୍ରୀଲଙ୍କା ଶୃଙ୍ଖଳା ଘୁଞ୍ଚିଲା; ୧୭ରୁ ଦିନିକିଆ, ୨୪ରୁ ଟି-୨୦

କଲ‌ମ୍ବୋ : ଜୁଲାଇ ୧୩ ତାରିଖରୁ ଆରମ୍ଭ ‌ହେବାକୁ ଥିବା ଭାରତ-ଶ୍ରୀଲଙ୍କା ସୀମିତ ଓଭର ଶୃଙ୍ଖଳାକୁ‌ କୋଭିଡ୍‌ ପରିସ୍ଥିତି ଲାଗି ୪ ଦିନ ଘୁଞ୍ଚାଇ ଦିଆଯାଇଛି। ଶ୍ରୀଲଙ୍କା ଶିବିରରେ କୋଭିଡ୍‌ ମାମଲା ଆସିବା କାରଣରୁ ଏଭଳି ପରିବର୍ତନର ଆବଶ୍ୟକତା ପଡ଼ିଛି। ଫଳରେ ଜୁଲାଇ ୧୩ ପରିବର୍ତେ ଜୁଲାଇ ୧୭ରୁ ଦିନିକିଆ ଶୃଙ୍ଖଳା ଏବଂ ଜୁଲାଇ ୨୧ ବଦଳରେ ଜୁଲାଇ ୨୪ରୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। ଶ୍ରୀଲଙ୍କା କ୍ରିକେଟ୍ ଏ ସମ୍ପର୍କରେ ବିସିସିଆଇ ଏବଂ ପ୍ରସାରଣକାରୀ ସଂସ୍ଥାକୁ ଜଣାଇଦେଇଥିଲା। ବିସିସିଆଇ ଏଥିରେ ସହମତି ହେବାରୁ ପରିବର୍ତିତ ସୂଚୀ ଉପରେ ମୋହର ଲାଗିଛି।

ଶୁକ୍ରବାରଠାରୁ ଶ୍ରୀଲଙ୍କା ଖେଳାଳିମାନେ ଜୈବ ବଳୟରେ ପ୍ରବେଶ କରିଥା’ନ୍ତେ। କିନ୍ତୁ ଦଳର ଦୁଇ ସଦସ୍ୟ ବ୍ୟାଟିଂ ପ୍ରଶିକ୍ଷକ ଗ୍ରାଣ୍ଟ୍ ଫ୍ଲାୱାର ଓ ଡାଟା ଆନାଲିଷ୍ଟ୍‌ ଜିଟି ନିରୋଶନ ପଜିଟିଭ ଆସିବାରୁ ସମସ୍ତଙ୍କୁ ଏକାନ୍ତବାସରେ ରଖାଯାଇଛି। ଅଧିକ ଦୁଇ ଦିନ ଏମାନେ ଏକାନ୍ତବାସରେ ରହିବା ପରେ ଆରଟି-ପିସିଆର୍‌ ଟେଷ୍ଟ୍ ନେଭେଟିଭ୍ ଆସିଲେ‌ ଦଳ ସହ ଯୋଗଦେବେ। ଏବେ ଜୁଲାଇ ୧୭, ୧୯, ୨୧ରେ ଦିନିକିଆ ଏବଂ ଜୁଲାଇ ୨୪, ୨୫, ୨୭ରେ ଟ୍ବେଣ୍ଟି-୨୦ ଖେଳାଯିବାକୁ ଶ୍ରୀଲଙ୍କା କ୍ରିକେଟ୍ ସଂଶୋଧିତ ସୂଚୀ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର