କଲମ୍ବୋ: ରବିବାରଠୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତର ରହସ୍ୟମୟୀ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପଦାର୍ପଣ କରିପାରନ୍ତି। କାରଣ ବରୁଣ ଏକାସାଙ୍ଗରେ ଅଫ୍ ବ୍ରେକ୍, କ୍ୟାରମ ବଲ, ଲେଗ୍ ସ୍ପିନ୍ ଭଳି ଯାଦୁଗରି ବଲ୍ ପକାଇ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇପାରୁଥିବା ଆଇପିଏଲ୍ରେ ଦେଖିବାକୁ ମିଳିଛି। ତେଣୁ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ତାଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିପାରନ୍ତି।
ଏଥିପୂର୍ବରୁ ଖରାପ ଫିଟ୍ନେସ ଓ ଆହତ ଜନିତ ସମସ୍ୟା ପାଇଁ ବରୁଣ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଖେଳିପାରିନଥିଲେ। ବର୍ତ୍ତମାନ ୟୁଏଇରେ ହେବାକୁଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଭାରତ ଜଣେ ସ୍ପିନରର ସନ୍ଧାନରେ ଥିବାବେଳେ ଶ୍ରୀଲଙ୍କାରେ ବରୁଣଙ୍କୁ ନେଇ ଏହି ପରୀକ୍ଷା କରାଯିବା ସମ୍ଭାବନା ଅଧିକ ରହିଛି।
ବରୁଣ ଟେନିସ ବଲ୍ରୁ କ୍ରିକେଟ ଆରମ୍ଭ କରିଥିଲା ବେଳେ ବହୁ ବିଳମ୍ବରେ ପେସାଦାର କ୍ରିକେଟରେ ପ୍ରବେଶ କରିଥିଲେ। ତେବେ ତାମିଲନାଡୁ ପ୍ରିମିୟର ଲିଗ୍ରେ ଦମ୍ଦାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ଆଇପିଏଲ୍ରେ ସୁଯୋଗ ମିଳିଥିଲା। ଏପରି ଯାତ୍ରା ପରେ ଯଦି ସେ ଭାରତୀୟ ବିଶ୍ବକପ୍ ଦଳରେ ସ୍ଥାନ ପାଇଯାଆନ୍ତି, ତାହେଲେ ଏହା ଚମତ୍କାରଠୁ କମ୍ ହେବନାହିଁ। ବରୁଣଙ୍କ ବ୍ୟତୀତ ଦେବଦତ୍ତ ପାଡ଼ିକଲ ଓ ଋତୁରାଜ ଗାଏକ୍ବାଡ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ପଦାର୍ପଣ କରିପାରନ୍ତି। ଅନ୍ୟପକ୍ଷରେ ଇଶାନ କିଶାନ ଓ ସଞ୍ଜୁ ସାମସନ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ। ଏମାନଙ୍କ ସହିତ ଦୁଇ ପାଣ୍ଡ୍ୟା ଭ୍ରାତା ହାର୍ଦ୍ଦିକ ଓ କ୍ରୁନାଲ ଟ୍ବେଣ୍ଟି-୨୦ ଦଳରେ ପୂର୍ବରୁ ସ୍ଥାନ ପକ୍କା କରି ରଖିଛନ୍ତି। ଭୁବନେଶ୍ବର କୁମାର ଓ ଦୀପକ ଚହରଙ୍କ ଉପରେ ଦ୍ରୁତ ବୋଲିଂ ଭାର ରହୁଥିଲା ବେଳେ ସ୍ପିନ ବିଭାଗରେ କ୍ରୁନାଲ ଓ ଚକ୍ରବର୍ତ୍ତୀଙ୍କ ସହିତ ୟୁଝ୍ବେନ୍ଦ୍ର ଚହଲ ସାମିଲ ହେବେ।
ଭାରତ ବିପକ୍ଷରେ ଶ୍ରୀଲଙ୍କା ଘରୋଇ ଦିନିକିଆ ଶୃଙ୍ଖଳାରେ ୯ ବର୍ଷ ପରେ ପ୍ରଥମ ମ୍ୟାଚ ଜିତିଥିବାରୁ ଏହା ଏକମାତ୍ର ସାନ୍ବନା ହେବ। ଯୁବ ଅଧିନାୟକ ଦାସୁନ ସନକାଙ୍କ ନେତୃତ୍ବରେ ଶ୍ରୀଲଙ୍କା ଦଳକୁ ଏବେ ପଡ଼ିଆରେ କିଛି କରିସ୍ମା କରିବାକୁ ହେବ। ଦଳରେ ଭାନୁକା ରାଜପାକ୍ସ, ଚାମିକା କରୁଣାରତ୍ନେ, ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କୁ ନେଇ ଶ୍ରୀଲଙ୍କା ଶକ୍ତିଶାଳୀ ହୋଇପାରିଛି। ଅକିଳ ଧନଞ୍ଜୟ ଓ ପ୍ରବୀଣ ଜୟୱିକ୍ରମ ଗତ ମ୍ୟାଚରେ ଯେଉଁଭଳି ଭାବେ ବୋଲିଂ କରିଥିଲେ ସେଥିରୁ ଜଣାପଡୁଛି ଯେ ପ୍ରେମଦାସା ପିଚ୍ରେ ବଲ୍ ଭଲ ଟର୍ଣ୍ଣ କରୁଛି। ଜୁଲାଇ ମାସରେ ପଡ଼ିଆରେ କାକର ପଡୁଥିଲେ ବି ତାହା ଏହି ବୋଲରଙ୍କ ଉପରେ ସେଭଳି କିଛି ଫରକ ପକାଇବନି। ସମ୍ଭାବ୍ୟ ଭାରତୀୟ ଦଳ: ଶିଖର ଧାୱନ (ଅଧିନାୟକ), ପୃଥ୍ବୀ ସ’, ଇଶାନ କିଶାନ (ୱିକେଟ୍ରକ୍ଷକ), ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଦୀପକ ଚହର, ରାହୁଲ ଚହର/କୁଲଦୀପ ଯାଦବ ଓ ୟୁଝ୍ବେନ୍ଦ୍ର ଚହଲ।
ସମ୍ଭାବ୍ୟ ଶ୍ରୀଲଙ୍କା ଦଳ: ଅଭିଷ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା, ଭାନୁକା ରାଜପାକ୍ସ, ଧନଞ୍ଜୟ ଡି’ସିଲ୍ଭା, ଚରିଥ ଅସାଲଙ୍କା, ଦାସୁନ ସନକା, ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ଈସୁରୁ ଉଦାନା, ଅକିଲ ଧନଞ୍ଜୟ ଓ ଦୁଷ୍ମନ୍ତ ଚାମିରା।