ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତ କରି ସେଠାରେ ଏକ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳାରେ ତୃତୀୟ ଦଳ ଭାବେ ବାଂଲାଦେଶ ସାମିଲ ହୋଇଛି। ଏବେ ଏକ ଲମ୍ବା ଗସ୍ତରେ ଦକ୍ଷିଣ ଆଫ୍ରିକା ଯାଇଥିବା ଭାରତୀୟ ଦଳ ଫେବ୍ରୁଆରି ୨୪ ତାରିଖରେ ଶୃଙ୍ଖଳା ଶେଷ କରି ଫେରିବା ପରେ ଶ୍ରୀଲଙ୍କା ଗସ୍ତ କରିବ। ଶ୍ରୀଲଙ୍କାରେ ଆୟୋଜିତ ତ୍ରିରାଷ୍ଟ୍ରୀୟ ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ ଶୃଙ୍ଖଳା ମାର୍ଚ ୬ରୁ ଆରମ୍ଭ ହୋଇ ୧୮ରେ ଶେଷ ହେବ। ଏହି ୧୩ ଦିନିଆ ଶୃଙ୍ଖଳାରେ ଫାଇନାଲ୍କୁ ମିଶାଇ ମୋଟ ୭ ମ୍ୟାଚ୍ ସ୍ଥାନ ପାଇଛି। ଏହି ଶୃଙ୍ଖଳା ନିଦାସ ଟ୍ରଫି ନାମରେ ନାମିତ ହୋଇଛି। ବିଶେଷକରି ଶ୍ରୀଲଙ୍କା ସ୍ୱାଧୀନତାର ୭୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଏହି ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଆୟୋଜନ କରାଯାଉଛି। ରାଉଣ୍ଡ୍ ରବିନ୍ ଢାଞ୍ଚାରେ ଖେଳାଯିବାକୁ ଥିବା ଏହି ଶୃଙ୍ଖଳାରେ ପ୍ରତ୍ୟେକ ଦଳ ପରସ୍ପର ସହ ୨ ଲେଖାଏଁ ମ୍ୟାଚ୍ ଖେଳିବେ। ସେଥିରୁ ଶ୍ରେଷ୍ଠ ଦୁଇ ମଧ୍ୟରେ ୧୮ ତାରିଖରେ ଫାଇନାଲ୍ ଖେଳାଯିବ। ଆଉ ସମସ୍ତ ମ୍ୟାଚ୍ କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ଖେଳାଯିବ।
ମ୍ୟାଚ୍ ସୂଚୀ
ମାର୍ଚ ୬: ଶ୍ରୀଲଙ୍କା ବନାମ ଭାରତ।
ମାର୍ଚ ୮: ବାଂଲାଦେଶ ବନାମ ଭାରତ।
ମାର୍ଚ ୧୦: ଶ୍ରୀଲଙ୍କା ବନାମ ବାଂଲାଦେଶ।
ମାର୍ଚ ୧୨: ଭାରତ ବନାମ ଶ୍ରୀଲଙ୍କା।
ମାର୍ଚ ୧୪: ଭାରତ ବନାମ ବାଂଲାଦେଶ।
ମାର୍ଚ ୧୬: ଶ୍ରୀଲଙ୍କା ବନାମ ବାଂଲାଦେଶ।
ମାର୍ଚ ୧୮ ତାରିଖ: ଫାଇନାଲ୍।