ଭାରତ-ଶ୍ରୀଲଙ୍କା ନିର୍ଣ୍ଣାୟକ ଟ୍ବେଣ୍ଟି-୨୦ ଆଜି, ବର୍ଷର ପ୍ରଥମ ଶୃଙ୍ଖଳା ବିଜୟ ଉପରେ ନଜର

ଲଢ଼େଇ ଭିତରେ ଉପଲଢ଼େଇ

ଶ୍ରୀଲଙ୍କା ସହ ଲଢ଼େଇ ସାଙ୍ଗକୁ ଭାରତୀୟ ଦଳରେ ମଧ୍ୟ ଏକାଧିକ ଉପଲଢ଼େଇ ଜାରି ରହିଥିଲା। ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଖେଳା ଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତୀୟ ଖେଳାଳିମାନେ ନିଜ ନିଜ ସ୍ଥାନ ପକ୍କା କରିବା ନେଇ ସୁସ୍ଥ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଥିଲେ। ଇନ୍ଦୋର ଭଳି ପୁଣେରେ ମଧ ଏହି ଧାରା ଲାଗି ରହିବ ବୋଲି ଆଶା କରାଯାଉଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତି ପାଇଁ ବିଶ୍ବକପ୍‌ରେ ତାଙ୍କ ପ୍ରାରମ୍ଭିକ ଯୋଡ଼ି କିଏ ‌ହେବ? ସେ ନେଇ ଶିଖର ଧାୱନ ଏବଂ ଲୋକେଶ ରାହୁଲଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ମନୀଷ ପାଣ୍ଡେ, ୟୁଜବେନ୍ଦ୍ର ଚହଲ ଏବଂ ସଞ୍ଜୁ ସାମସନ ବେଞ୍ଚରେ ବସି ବସି ଫେରିବେ କି ନାହିଁ, ସେ ନେଇ ଚର୍ଚା ବି ହେଉଛି। ଟସ୍ ଜିତିଲେ ଭାରତ ବ୍ୟାଟିଂ କରିବ ନା ବୋଲିଂ? ଏସବୁ କଥା କ୍ରିକେଟ୍‌ପ୍ରେମୀଙ୍କ ମନରେ ରୋମାଞ୍ଚ ଭରିଦେଇଛି। ଭାରତ ତା’ର ଗତ ତିନିଟି ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଗୋଟିଏ ଲେଖାଏଁ ମ୍ୟାଚ୍ ହାରିଛି। ଏହି ଫଳାଫଳ ଶୁକ୍ରବାର ଦୋହରାଇଲେ ଶ୍ରୀଲଙ୍କା ଶୃଙ୍ଖଳା ବଞ୍ଚାଇନେବ।

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲା ଶୁକ୍ରବାର ପୁଣେରେ ଖେଳାଯିବ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ବର୍ଷା ଧୋଇନେଲା ପରେ ଇନ୍ଦୋରରେ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଜିତି ଭାରତ ୧-୦ରେ ଆଗୁଆ ରହିଛି। ପୁଣେରେ ବିଜୟୀ ହେଲେ କୋହଲି ବାହିନୀ ଚଳିତ ବର୍ଷର ପ୍ରଥମ ଶୃଙ୍ଖଳା ବିଜୟ ହାସଲ କରିବ। ଅନ୍ୟପକ୍ଷରେ ପ୍ରତିପକ୍ଷ ଶ୍ରୀଲଙ୍କା ଏହି ମ୍ୟାଚ୍‌ ଜିତିଲେ ଶୃଙ୍ଖଳା ବଞ୍ଚାଇବାକୁ ସକ୍ଷମ ହେବ। ଇନ୍ଦୋରରେ ଭାରତୀୟ କ୍ରିକେଟ୍ ଦଳ ଏକାଧିକ ପରୀକ୍ଷା ନିରୀକ୍ଷା କରିଥିଲା। ଅଧିନାୟକ ବିରାଟ କୋହଲି ଯୁବ ତାରକା ଶ୍ରେୟସ୍ ଆୟରଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଛାଡ଼ି ନିଜେ ଚତୁର୍ଥ ସ୍ଥାନରେ ଖେଳିଥିଲେ। ଚାରି ମାସର ବ୍ୟବଧାନ ପରେ ଦଳକୁ ଫେରିଥିବା ଯଶପ୍ରୀତ ବୁମ୍‌ରା ନିଜ ତୃତୀୟ ଓଭର ପର୍ଯ୍ୟନ୍ତ ୱିକେଟ୍ ପାଇନଥିଲେ। ତେବେ ଦୁଇ ଯୁବ ବୋଲର ଶାର୍ଦୁଲ ଠାକୁର ଏବଂ ନଭଦୀପ ସୈନି ଏହି କ୍ଷତିକୁ ଭରଣା କରି ନେଇଥିଲେ। ପୁଣେରେ କୋହଲି ଓ ଆୟର ନିଜ ନିଜ ନୂଆ ସ୍ଥାନରେ ବ୍ୟାଟିଂ କରିବାର ସମ୍ଭାବନା ଅଧିକ। ସେପଟେ କୁଶଲ ପେରେରାଙ୍କୁ ଛାଡ଼ିଲେ ଅନ୍ୟ କୌଣସି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କର ସଠିକ୍ ମୁକାବିଲା କରିପାରିନଥିଲେ। ଭାରତୀୟ ବୋଲର ୧୪୦ କିଲୋମିଟର ବେଗରେ କରୁଥିବା ବୋଲିଂକୁ ଅଧିକାଂଶ ସିଂହଳୀ ବ୍ୟାଟ୍ସମ୍ୟାନ୍ ଆପାତତଃ ବୁଝି ପାରିନଥିଲେ। ଦୁଇ ଦଳ ମଧ୍ୟରେ ଥିବା ଫରକ ବି ସ୍ପଷ୍ଟ ବାରି ହୋଇଯାଇଥିଲା।

ମାଥ୍ୟୁସ ଫେରିପାରନ୍ତି
ଇନ୍ଦୋରରେ ସହଜ ବିଜୟ ପରେ ଭାରତ ତା’ର ଚୂଡ଼ାନ୍ତ ଦଳରେ ପରିବର୍ତନ କରିବା ସମ୍ଭାବନା କମ୍ ରହିଛି। ଏକମାତ୍ର ବିକଳ୍ପ ଭାବେ କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ନେଇପାରନ୍ତି। ମନୀଷ ପାଣ୍ଡେ ଓ ସଞ୍ଜୁ ସାମ୍‌ସନ ଦଳରେ ସ୍ଥାନ ପାଇବା ଆଶ କ୍ଷୀଣ। ସେପଟେ ଇସୁରୁ ଉଡାନା ଆହତ ହେବା ପରେ ୨୦୧୮ ମସିହା ଅଗଷ୍ଟ ମାସ ପରେ ଅଞ୍ଜେଲୋ ମାଥ୍ୟୁସ ଶୁକ୍ରବାର ଶ୍ରୀଲଙ୍କା ଦଳକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

ସମ୍ଭାବ୍ୟ ଭାରତ: ଶିଖର ଧାୱନ, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, ଋଷବ ପନ୍ତ, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ/ୟୁଜବେନ୍ଦ୍ର ଚହଲ, ଶାର୍ଦୁଲ ଠାକୁର, ଯଶପ୍ରୀତ ବୁମରା।

ସମ୍ଭାବ୍ୟ ଶ୍ରୀଲଙ୍କା: ଦନୁଷ୍କା ଗୁଣତିଲକ, ଅଭିସ୍କା ଫର୍ନାଣ୍ଡୋ, କୁଶଲ ପେରେରା, ଭାନୁସ୍କା ରାଜପାକ୍ସେ, ଓସାଦା ଫର୍ନାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦାସୁନ ସନକା, ଧନଞ୍ଜୟ ଡି’ ସିଲଭା, ୱାନିନ୍ଦୁ ହସରଙ୍ଗା, ଲସିଥ ମାଲିଙ୍ଗା (ଅଧିନାୟକ), ଲାହିରୁ କୁମାର।

ବୁମ୍‌ରାଙ୍କ ପାଇଁ ଚହଲଙ୍କୁ ଟପିବା ସୁଯୋଗ
ସୁସ୍ଥ ହୋଇ ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିବା ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରା ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ସ୍ପିନର୍ ୟୁଜବେନ୍ଦ୍ର ଚହଲଙ୍କ ସର୍ବାଧିକ ୱିକେଟ୍‌ ସଂଖ୍ୟାକୁ ଟପିବାର ସୁଯୋଗ ରହିଛି। ଉଭୟ ବୁମ୍‌ରା ଓ ଚହଲ୍‌ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ଏପର୍ଯ୍ୟନ୍ତ ସମାନ ୫୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରି ସର୍ବାଧିକ ତାଲିକାରେ ଭାରତୀୟ ଭାବେ ଯୁଗ୍ମ ଶୀର୍ଷରେ ରହିଛନ୍ତି। ଚଳିତ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଚହଲ୍‌ ଚୂଡାନ୍ତ ଏକାଦଶରେ ଖେଳିବାର ସୁଯୋଗ ପାଇନଥିବାରୁ ଶୁକ୍ରବାର ପୁଣେ ମ୍ୟାଚ୍‌ରେ ବୁମ୍‌ରା ତାଙ୍କୁ ଟପିବାର ଆଶା ବାନ୍ଧିଛନ୍ତି। ପୁଣେ ମ୍ୟାଚ୍‌ରେ ଆଉ ଗୋଟିଏ ଵିକେଟ୍ ଦଖଲ କଲେ ଚହଲଙ୍କୁ ଅତିକ୍ରମ କରିଯିବେ ବୁମ୍‌ରା। ଏଥି ସହିତ ପ୍ରଥମ ଭାରତୀୟ ବୋଲର ଭାବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ଵିକେଟ୍ ହାସଲକାରୀ ହେବେ। ବୁମ୍‌ରା ଅଦ୍ୟାବଧି ୪୪ ମ୍ୟାଚ୍ ଖେଳିଥିଲା ବେ‌ଳେ ଚହଲ ୩୬ ମ୍ୟାଚ୍‌ ଖେଳିଛନ୍ତି।

ଭଲ ପାଗ
ଗୁଆହାଟୀରେ ଲଗାଣ ବର୍ଷା ପାଇଁ ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି-୨୦ ବାତିଲ ହୋଇଯାଇଥିଲା। ପୁଣେରେ କିନ୍ତୁ ଏଭଳି କୌଣସି ଆଶଙ୍କା ପ୍ରାୟ ନାହିଁ। ଶୁକ୍ରବାର ଏଠାକାର ପାଗ ଶୁଖିଲା ଓ ଆକାଶ ନିର୍ମଳ ରହିବ ବୋଲି ପୂର୍ବାନୁମାନ ରହିଛି। ପୁଣେ ପିଚ୍ ଉଭୟ ବ୍ୟାଟର, ବୋଲରଙ୍କୁ ସମାନ ସୁଯୋଗ ଦେବ ବୋଲି ମଧ୍ୟ ଅନୁମାନ କରାଯାଇଛି। ତେବେ ଦ୍ବିତୀୟ ପାଳିରେ କାକର କିଛିଟା ସମସ୍ୟା ସୃଷ୍ଟି କରିପାରେ।

ସମ୍ବନ୍ଧିତ ଖବର