ଭାରତ ଓ ଶ୍ରୀଲଙ୍କା ଖେଳାଳିଙ୍କୁ ଓଡ଼ିଶୀରେ ସ୍ୱାଗତ

ବାରବାଟୀ ଟେ୍ଵଣ୍ଟି-୨୦: ଆଉ ୬ ଦିନ

ଭୁବନେଶ୍ୱର: ଡିସେମ୍ବର ୨୦ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଲାଗି ଓଡ଼ିଶା ସରକାର ମଙ୍ଗଳବାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସଚିବାଳୟରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ଓଡ଼ିଶା କ୍ରିକେଟ୍‌ ସଂଘ ଅଧ୍ୟକ୍ଷ ଧୀରେନ ପଲ୍ଲାଇ, କ୍ରୀଡ଼ା ସଚିବ ବିଶାଲ ଦେବ, ପୁଲିସ୍‌ କମିଶନର୍‌ ଓ୍ଵାଇ ବି ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ। ଉଭୟ ଭାରତ ଓ ଶ୍ରୀଲଙ୍କା ଦଳର ଖେଳାଳିଙ୍କୁ ଓଡ଼ିଶୀ ନୃତ୍ୟରେ ସ୍ୱାଗତ କରାଯିବ ଏବଂ ରାଜ୍ୟର ଗୌରବମୟ ଅତୀତ ଓ ସଂସ୍କୃତିଭରା ଐତିହ୍ୟର ନୁଖୁଣ ନିଦର୍ଶନ ଦେଖାଇବାର ସୁଯୋଗ ରହିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ବିମାନବନ୍ଦରରେ ଓଡ଼ିଶୀ ନୃତ୍ୟରେ ସ୍ୱାଗତ କରାଯିବ ବୋଲି ସେ କହିଥିଲେ। ଉଭୟ ଦଳର ଖେଳାଳିଙ୍କୁ ଓଡ଼ିଶା ସରକାର ମଧ୍ୟ ସମ୍ବର୍ଧିତ କରିବେ। ସେହିଭଳି ମ୍ୟାଚ୍‌ ପାଇଁ ଭୁବନେଶ୍ୱର କଟକ ଦୈତନଗରୀରେ ମୋଟ ୫୦୦୦ ପୁଲିିସ୍‌ ଓ ସୁରକ୍ଷାକର୍ମୀ ନିଯୁକ୍ତ ରହିବେ। ମ୍ୟାଚ୍‌ର ଘଣ୍ଟାକ ଆଗରୁ ଏକ ସାସ୍କୃତିକ କାର୍ଯ୍ୟକ୍ରମ ପାଇଁ ସରକାର ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଏଥି ପାଇଁ ବିସିସିଆଇର ଅନୁମତି ନେବାକୁ ପଡ଼ିବ ବୋଲି କହିଛନ୍ତି ଓସିଏ କାର୍ଯ୍ୟକାରୀ ସମିତି ଅଧ୍ୟକ୍ଷ ଧୀରେନ ପଲ୍ଲାଇ। ମ୍ୟାଚ୍‌କୁ ୨୦ ଲକ୍ଷ ଟଙ୍କାରେ ବୀମାଭୁକ୍ତ କରାଯାଇଛି। ଅନଲାଇନ୍‌ ଟିକେଟ୍‌ www.get2thegames.com ରେ ଉପଲବ୍‌ଧ ହେଉଥିବାବେଳେ ଡିସେମ୍ବର ୧୬୭ ତାରିଖରୁ କାଉଣ୍ଟର୍‌ରେ ଟିକେଟ୍‌ ବିକ୍ରୀ ହେବ।

ସମ୍ବନ୍ଧିତ ଖବର