ଭାରତ-ଶ୍ରୀଲଙ୍କା ଟେଷ୍ଟ୍‌ ଫିକ୍ସ ଥିଲା

ଅଲ୍‌ଜଜିରାର ଚାଞ୍ଚଲ୍ୟକାର ଦାବି

ଦୁବାଇ: ମ୍ୟାକ୍ସ ଫିକ୍ସିଂ ଭୂତ ପୁଣି ଥରେ ଫେରିଛି। ଏଥର ଭାରତ ଓ ଶ୍ରୀଲଙ୍କା ସହ ଅଷ୍ଟ୍ରେଲିଆ କ୍ରିକେଟ୍‌କୁ ଏହି ଭୁତ ଗ୍ରାସ କରିଛି। ଗତବର୍ଷ ଗଲ୍‌ରେ ଖେଳା ଯାଇଥିବା ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍‌ ଓ ୨୦୧୬ରେ ସେହି ଗଲ୍‌ରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍‌ ଫିକ୍ସ ହୋଇଥିଲା ବୋଲି ଅଲ୍‌ଜଜିରା ଟେଲିଭିଜନରେ ଆସନ୍ତା ରବିବାର ପ୍ରସାରିତ ହେବାକୁ ଥିବା ଏକ ପ୍ରାମାଣିକ ଚିତ୍ରରେ ଏଭଳି ଚାଞ୍ଚଲ୍ୟକାର ଦାବି କରାଯାଇଛି। ଏହି ଦୁଇ ଟେଷ୍ଟ୍‌ରେ ବୁକିଙ୍କ ଦାବି ମୁତାବକ ଓ ମନଚହାଁ ପିଚ୍‌ ପ୍ରସ୍ତୁତ କରାଯାଇଥିଲା ବୋଲି ସଂପୃକ୍ତ ରିପୋର୍ଟରେ କୁହା ଯାଇଛି।
କାତାରରେ ମୁଖ୍ୟାଳୟ ଥିବା ଅଲ୍‌ଜଜିରା ଟେଲିଭିଜନର ନିଜସ୍ୱ ତଦନ୍ତକାରୀ ଦଳ ଏହାର ଠୋସ୍‌ ପ୍ରମାଣ ପାଇଥିବା ମଧ୍ୟ ଦାବି କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଗଲ୍‌ର ଏହି ଦୁଇଟି ଯାକ ଟେଷ୍ଟ୍‌ରେ ଅସାମାଜିକ ତତ୍ତ୍ୱ ଏବଂ ବୁକି ପଡ଼ିଆ କର୍ମଚାରୀ (ଗ୍ରାଉଣ୍ଡ ଷ୍ଟାଫ୍‌)ଙ୍କୁ ଅର୍ଥ ଦେଇ କିଣି ନେଇଥିଲେ। ସେଥିପାଇଁ ସେମାନଙ୍କ ଦାବି ମୁତାବକ ଏବଂ କହିବା ଅନୁସାରେ ହିଁ ପଡ଼ିଆ କର୍ମଚାରୀମାନେ ପିଚ୍‌ ପ୍ରସ୍ତୁତ କରିଥିଲେ। ସେହିଭଳି ଚଳିତ ବର୍ଷ ନଭେମ୍ବର ମାସରେ ସେହି ଗଲ୍‌ରେ ଖେଳା ଯିବାକୁ ଥିବା ଶ୍ରୀଲଙ୍କା-ଇଂଲଣ୍ଡ ଟେଷ୍ଟ୍‌କୁ ଫିକ୍ସ କରିବାକୁ ମଧ୍ୟ ବୁକିମାନେ ପ୍ରୟାସ କରିଥିଲେ। ହେଲେ ସେଥିରେ ସେତେଟା ସଫଳତା ହାସଲ କରି ପାରି ନଥିଲେ। ଦୁଇ ଜଣ ପ୍ରଥମଶ୍ରେଣୀ କ୍ରିକେଟର୍‌ଙ୍କ ସହ ଜଣେ କ୍ରିକେଟ୍‌ ପ୍ରଶାସକ ଏହି ଚ୍ୟାନେଲର ଷ୍ଟିଙ୍ଗ ଅପରେସନ୍‌ରେ ଧରା ପଡ଼ିଥିବା ଜଣା ପଡ଼ିଛି। ପ୍ରାମାଣିକ ଚିତ୍ରଟି ରବିବାର ପ୍ରସାରିତ ହେବାକୁ ଥିଲେ ମଧ୍ୟ ଏହାର ଝଲକ ଚ୍ୟାନେଲ ତା’ େଓ୍ଵବସାଇଟ୍‌ରେ ପ୍ରକାଶ କରିଛି। ସେଥିରୁ ଜଣେ ଭାରତୀୟ ଖେଳାଳି ଯେ ଏହି କେଳେଙ୍କାରୀରେ ସଂପୃକ୍ତ ଅଛନ୍ତି ତାର ସଂକେତ ମିଳିଛି। ଫିକ୍ସିଂର ପୂରା ବିବରଣୀ ପ୍ରମାଣ ସହ ରବିବାର ରାତି ୧୦ଟାରେ ‘କ୍ରିକେଟ୍‌ସ ମ୍ୟାଚ୍‌ ଫିକ୍ସର’ ଶୀର୍ଷକ ଏହି ପ୍ରାମାଣିକ ଚିତ୍ରରେ ପ୍ରକାଶ କରାଯିବ। ଘଟଣା ପଦାକୁ ଆସିବା ପରେ ଆଇସିସି ମଧ୍ୟ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି। ଆଇସିସି ତା’ େଓ୍ଵବସାଇଟ୍‌ରେ ଏଥିନେଇ ପ୍ରକାଶ କରିଥିବା ବିଜ୍ଞପ୍ତିରେ କହିଛି ଯେ ଏକ ଖବର ସରବରାହ ସଂସ୍ଥା ଦ୍ୱାରା କ୍ରିକେଟ୍‌ ଦୁର୍ନୀତି ନେଇ କରାଯାଇଥିବା ତଦନ୍ତ ବିଷୟରେ ଆମେ ଜାଣିଛୁ। ଆମେ ଏହି କାର୍ଯ୍ୟକ୍ରମରେ ଦେଖାଯିବାକୁ ଥିବା ଦୃଶ୍ୟ ଏବଂ ତଥ୍ୟକୁ ତର୍ଜମା କରିବୁ। ସବୁ ଅଭିଯୋଗକୁ ଆମେ ଅତ୍ୟନ୍ତ ଗୁରୁତ୍ୱ ଦେବୁ। ଆମେ ଏଥିନେଇ ତଦନ୍ତ ଆରମ୍ଭ କରି ସାରିଛୁ। ଆମ ଅଧିକାରୀମାନେ ବିଭିନ୍ନ ଦେଶର କ୍ରିକେଟ୍‌ ବୋର୍ଡର ଦୁର୍ନୀତି ନିବାରଣ ସଂସ୍ଥା ସହ ସମନ୍ଵୟ ରକ୍ଷା କରି ମାମଲାର ଟିକିନିଖି ତଦନ୍ତ କରୁଛନ୍ତି। ଆମ ପାଖରେ ଯେତିକି ତଥ୍ୟ ଅଛି ତାକୁ ଆମେ ପୂର୍ଣ୍ଣ ଉପଯୋଗ କରୁଛୁ। ସବୁ ପ୍ରମାଣ ଏବଂ ତଥ୍ୟ ଆମକୁ ହସ୍ତାନ୍ତର କରିବାକୁ ମଧ୍ୟ ସଂପୃକ୍ତ ଟିଭି ଚ୍ୟାନେଲକୁ ଅନୁରୋଧ କରିଛୁ।

ଷ୍ଟିଙ୍ଗ୍‌ ଅପରେସନ୍‌ରେ ପ୍ରମାଣ
‘ଦି ଅଷ୍ଟ୍ରେଲିଆ’ ଖବରକାଗଜରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ଅଲ୍‌ଜଜିରା ତଦନ୍ତକାରୀମାନେ ଫିକ୍ସରଙ୍କୁ ଧରିବା ଲାଗି ଗୁପ୍ତ କ୍ୟାମେରା ବ୍ୟବହାର କରିଥିଲେ। ସେମାନେ ଏହା ସାହାଯ୍ୟରେ ଭାରତୀୟ ପ୍ରଥମ ଶ୍ରେଣୀ କ୍ରିକେଟର ରବିନ ମୋରିସ୍‌, ଦୁବାଇରେ ରହୁଥିବା ଭାରତୀୟ ବ୍ୟବସାୟୀ ଗୌରବ ରାଜକୁମାର ଓ ଗଲ୍‌ ଷ୍ଟାଡିୟମ୍‌ ସହକାରୀ ପ୍ରବନ୍ଧକ ଥରଙ୍ଗା ଇନ୍ଦିକା ଫିକ୍ସିଂ କରିବାର ବାଟ ବାହାର କରିବା ଲାଗି ଆଲୋଚନା ପର୍ଯ୍ୟାଲୋଚନା କରୁଥିବାର ଦୃଶ୍ୟକୁ ରେକର୍ଡ କରି ନେଇଥିଲେ। ଶ୍ରୀଲଙ୍କାର ପ୍ରଥମ ଶ୍ରେଣୀ କ୍ରିକେଟର ଥରିନ୍ଦୁ ମେଣ୍ଡିସଙ୍କୁ ମଧ୍ୟ ତଦନ୍ତକାରୀ ଗୁପ୍ତ କ୍ୟାମେରାରେ ସୁଟିଂ କରିଥିଲେ। ସେ ମଧ୍ୟ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା ଜଣାପଡ଼ିଛି। ଚ୍ୟାନେଲର ସାମ୍ବାଦିକମାନଙ୍କୁ ଚିହ୍ନି ନପାରି ପିଚ୍‌ରେ ଗଡ଼ବଡ଼ କରିବାକୁ ଗଲ୍‌ କର୍ମଚାରୀଙ୍କୁ ଲାଞ୍ଚ ଦେଇଥିବା କଥା ମୋରିସ୍‌ କ୍ୟାମେରା ଆଗରେ ସ୍ୱୀକାର କରିଥିବା ରିପୋର୍ଟରେ ଦାବି ହୋଇଛି। ଏପରିକି ଆମ ଇଚ୍ଛା ଅନୁସାରେ ଯେମିତି ଚାହିଁବା ସେମିତି ପିଚ୍‌ ପ୍ରସ୍ତୁତ କରିପାରିବା ବୋଲି ମୋରିସ୍‌ କହୁଥିଲା ବେଳେ କ୍ୟାମେରା ଫ୍ରେମରେ ଧରା ପଡ଼ିଥିବା କଥା ଚ୍ୟାନେଲ ଦାବି କରିଛି। ମୋରିସଙ୍କ ଦାବି ସତ ବୋଲି ମଧ୍ୟ ଇନ୍ଦିକା ସ୍ୱୀକାର କରିଥିଲେ। ସେ କହିଥିଲେ ସ୍ପିନ୍‌, ପେସ୍‌ ଏବଂ ବ୍ୟାଟିଂ ପିଚ୍‌ ଯେମିତି ବି ପ୍ରସ୍ତୁତ କରିବାରେ କୌଣସି ଅସୁବିଧା ନାହିଁ। ଏହା ଆରାମରେ ହୋଇଯିବ। ଗଲ୍‌ରେ ହୋଇଥିବା ଆଉ ଏକ ବୈଠକ ବେଳେ ଇନ୍ଦିକାଙ୍କୁ ଦେଖାଇ ମୋରିସ୍‌ କହିଥିଲେ ଯେ ସେ ହିଁ ମୁଖ୍ୟ କ୍ୟୁରେଟର। ସେ ସବୁ କିଛି କରି ପାରିବେ। ଆପଣ ଯେମିତି ଚାହିଁବେ ସେମିତି ପିଚ୍‌ ପ୍ରସ୍ତୁତ କରି ପାରିବେ। ସେ ଗଲ୍‌ ଷ୍ଟାଡିୟମର ସହକାରୀ ପ୍ରବନ୍ଧକ ମଧ୍ୟ। ରିପୋର୍ଟ ଅନୁସାରେ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ବୁକିଙ୍କ ଦାବି ମୁତାବକ ବୋଲରଙ୍କୁ ସୁହାଇଲା ଭଳି ପିଚ୍‌ ପ୍ରସ୍ତୁତ ହୋଇଥିଲା। ଅନ୍ୟ ପକ୍ଷରେ ଭାରତ-ଶ୍ରୀଲଙ୍କା ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଲା ଭଳି ପ୍ରସ୍ତୁତ କରାଯାଇଥିଲା।

ଫିକ୍ସିଂକୁ ପ୍ରମାଣିତ କରୁଛି ପରିସଂଖ୍ୟାନ
ରିପୋର୍ଟରେ କରାଯାଇଥିବା ଦାବି ମୁତାବକ ଅଷ୍ଟ୍ରେଲିଆ ଏହି ଟେଷ୍ଟର ପ୍ରଥମ ପାଳିରେ ୧୦୬ ଏବଂ ଦ୍ୱିତୀୟ ପାଳିରେ ମାତ୍ର ୧୮୩ ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା। ଏହି ମ୍ୟାଚ୍‌କୁ ଅଢ଼େଇ ଦିନ ଭିତରେ ୨୨୯ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା। ଗତବର୍ଷ ଜୁଲାଇ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳା ଯାଇଥିବା ଭାରତ-ଶ୍ରୀଲଙ୍କା ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ୬୦୦ ରନ୍‌ର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ପ୍ରଥମ ପାଳିରେ ୨୯୧ ଏବଂ ଦ୍ୱିତୀୟରେ ୨୪୫ ରନ୍‌ କରି ୩୦୪ ରନ୍‌ର ବୃହତ୍‌ ବ୍ୟବଧାନରେ ହାରିଥିଲା। ଭାରତ ତା’ର ଦ୍ୱିତୀୟ ପାଳିରେ ୩ ଓ୍ଵିକେଟ୍‌ ବିନିମୟରେ ୨୪୦ ରନ୍‌ କରି ପାଳି ଘୋଷଣା କରିଥିଲା।

ମୁଖ୍ୟନାୟକ ମୋରିସ୍‌ ଓଡ଼ିଶାରୁ ଖେଳିଥିଲେ
ଭାରତୀୟ ପ୍ରଥମ ଶ୍ରେଣୀ କ୍ରିକେଟର ରବିନ ମୋରିସ୍‌ ଏହି ଫିକ୍ସିଂ କେଳେଙ୍କାରୀର ମୁଖ୍ୟ ନାୟକ ବୋଲି ଦାବି ହେଉଛି। ୪୧ ବର୍ଷୀୟ ମୋରିସ୍‌ ମୁମ୍ବାଇ ଏବଂ ଓଡ଼ିଶା ପକ୍ଷରୁ ପ୍ରଥମ ଶ୍ରେଣୀ, ଲିଷ୍ଟ ଏ ଏବଂ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳି ସାରିଛନ୍ତି। ୧୯୯୭-୯୮ରେ ମୁମ୍ବାଇ ପକ୍ଷରୁ ସେ ନିଜ ରଣଜୀ ଜୀବନ ଆରମ୍ଭ କରିଥିଲେ। ୨୦୦୯ରେ ବନ୍ଦ ହୋଇ ଯାଇଥିବା ବିବାଦୀୟ ଇଣ୍ଡିଆନ୍‌ କ୍ରିକେଟ୍‌ ଲିଗ୍‌ ବା ଆଇସିଏଲରେ ସେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ମୁମ୍ବାଇ ଚାମ୍ପ୍ସ ଦଳରୁ ଖେଳିଥିଲେ। ୨୦୦୪-୦୫ରେ ସେ ମୁମ୍ବାଇ ଦଳରୁ ଅବଶିଷ୍ଟ ଭାରତ ବିପକ୍ଷରେ ଇରାନି କପ ମଧ୍ୟ ଖେଳିଥିଲେ। ଡାହାଣହାତୀ ବ୍ୟାଟିଂ କରିବା ସହ ସେ ମଧ୍ୟ ଡହାଣହାତୀ ମଧ୍ୟମଗତି ବୋଲିଂ କରି ପାରନ୍ତି। ସେ ୧୯୭୬ ନଭେମ୍ବର ୬ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୯୫/୯୬ରେ ମୋରିସ୍‌ ମୁମ୍ବାଇ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ। ମୋଟ ଉପରେ ସେ ୪୨ ପ୍ରଥମ ଶ୍ରେୀ, ୫୧ ଲିଷ୍ଟ ଏ ଏବଂ ୨ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର