ବେଙ୍ଗାଲୁରୁ ଟେଷ୍ଟ : ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ, ୮୬ ରନରେ ହରାଇଲା ୬ଟି ଓ୍ବିକେଟ୍  

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ଦିବାରାତ୍ର ୨ୟ ଟେଷ୍ଟ ମ୍ୟାଚରେ ପ୍ରଥମ ଦିନରୁ ହିଁ ରୋମାଞ୍ଚ ଦେଖିବାକୁ ମିଳିଛି । ଭାରତର ପ୍ରଥମ ଇନିଂସ ସ୍କୋର ୨୫୨ ଜବାବରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଆଜିର ଖେଳ ସମାପ୍ତି ସୁଦ୍ଧା ଶ୍ରୀଲଙ୍କା ମାତ୍ର ୮୬ ରନରେ ୬ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଛି । ଦଳ ପକ୍ଷରୁ ଆଞ୍ଜେଲୋ ମାଥ୍ୟୁସ ସର୍ବାଧିକ ୪୩ ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ଟି, ମହମ୍ମଦ ସମ୍ମି ୨ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲ ଶସ୍ତାରେ ପାଭିଲିୟନ ଫେରିଯାଇଥିଲେ । ରୋହିତ ୧୫ ରନ ଓ ମୟଙ୍କ ୪ ରନ କରି ଆଉଟ୍ ହୋଇଥିଲେ । ତେବେ ଏମାନଙ୍କ ପରେ ଆସିଥିବା ହନୁମା ବିହାରି ଓ ବିରାଟ କୋହଲି ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ବିହାରି ୩୧ ରନ ଓ କୋହଲି ୨୩ ରନ କରି ଆଉଟ ହୋଇଥିଲେ । ତେବେ ଋଷଭ ପନ୍ତ ଓ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ପନ୍ତ୍ ୩୯ ରନ କରି ଏମ୍ବୁଲଡେନିଆଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବୀନ ଓ ଅକ୍ଷର ପଟେଲ ବିଶେଷ ଯୋଗଦାନ ଦେଇପାରିନଥିଲେ ।  ତେବେ ଆୟର ନିଜର ବ୍ୟାଟିଂ ଜାରି ରଖି ୯୨ ରନ କରି ଜୟବିକ୍ରମଙ୍କ ବଲରେ ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଏମ୍ବୁଲଡେନିଆ ଓ ଜୟବିକ୍ରମ ୩ଟି ଲେଖାଏଁ ଓ ଧନଞ୍ଜୟ ଡିସିଲଭା ୨ଟି ଓ୍ବିକେଟ ନେଇଥିଲେ ।

 

 

ସମ୍ବନ୍ଧିତ ଖବର