ଭାରତ ବନାମ ଶ୍ରୀଲଙ୍କା: ପ୍ରଥମ ଟେଷ୍ଟ୍‌ରେ ବର୍ଷା ବିପଦ

କୋଲକାତା: ସମାନ ଦଳ ହେଲେ ଅଲଗା ସ୍ଥାନ। ମାତ୍ର ଅଢ଼େଇ ମାସର ବ୍ୟବଧାନ ପରେ ଶ୍ରୀଲଙ୍କା ଓ ଭାରତ ପୁଣି ଥରେ ମୁହାଁ ମୁହିଁ ହେବେ। ଏଥର କିନ୍ତୁ ନୂଆ ସ୍ଥାନରେ ମୁକାବିଲା କରିବେ। ସେତେବେଳେ ଶ୍ରୀଲଙ୍କାରେ ଲଢ଼େଇ କରିଥିବା ଏହି ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଏବେ ଭାରତ ମାଟିରେ ମୁହାଁ ମୁହିଁ ହେବେ।

ଜୁଲାଇ-ଅଗଷ୍ଟରେ ଶ୍ରୀଲଙ୍କାକୁ ଭାରତ ତା’ରି ମାଟିରେ ଧୂଳି ଚଟାଇଥିଲା। ତିନି ଟିକିଆ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଥିଲା। ଭାରତ ଏଥର ଘରେ ସେହି ୩ ଟେଷ୍ଟ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ଯାହାର ଶୁଭାରମ୍ଭ ଗୁରୁବାରଠାରୁ ଐତିହାସିକ ଇଡେନ୍‌ ଗାର୍ଡେନ୍‌ ପଡ଼ିଆରେ ହେବାର ଅଛି। ହେଲେ ବର୍ଷା ଖେଳ ବିଗାଡ଼ି ଦେଇପାରେ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ବେଙ୍ଗଲ-ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ଗୁରୁବାର ମଧ୍ୟ ବର୍ଷା ଜାରି ରହିବାର ପୂର୍ବାନୁମାନ ଅଛି। ସେଥିପାଇଁ ପ୍ରଥମ ଟେଷ୍ଟ ବର୍ଷା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ବୁଧବାର ଦିନ ତମାମ ଝିପି ଝିପି ବର୍ଷା ଲାଗି ରହିବାରୁ ଇଡେନ୍‌ ପିଚ୍‌କୁ ସାରା ଦିନ ତମ୍ବୁ ତଳେ ରଖା ଯାଇଥିଲା। ଏପରିକି ବର୍ଷା ପାଇଁ ଉଭୟ ଦଳ ଆଜି ଆଦୌ ଅଭ୍ୟାସ କରି ପାରି ନଥିଲେ। ସେଥିପାଇଁ ଗୁରୁବାର ଖେଳ ନିର୍ଧାରିତ ସମୟରେ ଆରମ୍ଭ ହେବା ନେଇ ମଧ୍ୟ ସନ୍ଦେହ ରହିଛି।

ଗତ ଶ୍ରୀଲଙ୍କା ଗସ୍ତ ବେଳେ ଭାରତ ଟେଷ୍ଟ, ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ଜିତି ୯-୦ ବିଜୟ ପାଇଥିଲା। ଏହା ପରେ ଅବଶ୍ୟ ଶ୍ରୀଲଙ୍କା ୟୁଏଇରେ ଖେଳିଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ୨-୦ର ଜିତି ସଫଳ ପ୍ରତ୍ୟାବର୍ତନ କରିଥିଲା। ହେଲେ ଦିନିକିଆ ଶୃଙ୍ଖଳାରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ୦-୫ରେ ପରାଜିତ ହୋଇଥିଲା। ଜୁଲାଇ-ଅଗଷ୍ଟର ଶ୍ରୀଲଙ୍କା ଗସ୍ତଠାରୁ ଭାରତ ୧୩ ଦିନିକିଆ ଏବଂ ୬ ଟେ୍ଵଣ୍ଟି-୨୦ ଜିତି ସାରିଛି। ଭାରତୀୟ ଦଳରେ ଅଧିକାଂଶ ଖେଳାଳି ରଣଜୀ ଟ୍ରଫିରେ ସକ୍ରୀୟ ଥିବାରୁ ଟେଷ୍ଟକୁ ପୁଣି ଥରେ ଆପଣାଇବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି। ଅଶ୍ୱିନ ୩୦୦ ଓ୍ଵିକେଟ୍‌ଠାରୁ ମାତ୍ର ୮ ଓ୍ଵିକେଟ୍‌ ଦୂରରେ ରହିଛନ୍ତି। ୫୨ ଟେଷ୍ଟ ଖେଳି ୨୯୨ ଓ୍ଵିକେଟ୍‌ କରାୟତ କରିଛନ୍ତି। ଇଡେନ୍‌ ଟେଷ୍ଟରେ ତାଙ୍କ ପାଖରେ ବ୍ୟକ୍ତିଗତ ମାଇଲଖୁଣ୍ଟର ସୁଯୋଗ ରହିବ। ଦ୍ରୁତତମ ୩୦୦ ଓ୍ଵିକେଟର କୀର୍ତ୍ତିମାନ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବୋଲର ଡେନିସ୍‌ ଲିଲିଙ୍କ ନାଁରେ ରହିଛି। ସେ ୫୬ ଟେଷ୍ଟରେ ୩୦୦ ଓ୍ଵିକେଟ୍‌ ପୂରଣ କରିଥିଲେ।

ଭାରତରେ କେବେବି ଜିତିନି ଶ୍ରୀଲଙ୍କା

ଶ୍ରୀଲଙ୍କା ୧୯୮୨ ମସିହାରେ ପ୍ରଥମ ଥର ପାଇଁ ଭାରତରେ ଟେଷ୍ଟ ଖେଳିଥିଲା। ଗତ ୩୫ ବର୍ଷ ଭିତରେ ସିଂହଳୀ ଦଳ ଭାରତ ମାଟିରେ ୧୬ ଟେଷ୍ଟ ଖେଳିଛି। ହେଲେ ଗୋଟିଏ ହେଲେ ମ୍ୟାଚ୍‌ ଜିତିବାର ସୌଭାଗ୍ୟ ପାଇ ନାହିଁ। ଏଥର ବି ଦୀନେଶ ଚାନ୍ଦିମାଳଙ୍କ ନେତୃତ୍ୱରେ ଏକ ଅନଭିଜ୍ଞ ଦଳ ନେଇ ଶ୍ରୀଲଙ୍କା ଭାରତ ଆସିଛି। ସେଥିପାଇଁ ଏହି ଦଳ ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ଏବଂ ସ୍ପିନର ରଙ୍ଗଣା ହେରାଥଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ରହିବ। ଅନ୍ୟ ପକ୍ଷରେ ଭାରତର ଆତ୍ମବିଶ୍ୱାସ ଢେର ଉଚ୍ଚରେ ରହିଛି । ଇଡେନ୍‌ ଗାର୍ଡେନର ଘାସୁଆ ପିଚ୍‌ରେ ଚୟନକୁ ନେଇ କିଛିଟା ଦ୍ୱନ୍ଦ୍ୱ ଥିଲେ ମଧ୍ୟ ଭାରତ ପାଇଁ ବ୍ୟସ୍ତ ହେବାର ସେମିତି କିଛି କାରଣ ନାହିଁ। ଭୁବନେଶ୍ୱର କୁମାର ଶେଷ ଥର ପାଇଁ ମାର୍ଚ ମାସରେ ଧର୍ମଶାଳାରେ ଟେଷ୍ଟ କ୍ରିକେଟ୍‌ ଖେଳିଥିଲେ। ତାଙ୍କୁ ଇଡେନରେ ଭଲ ସହାୟତା ମିଳିବାର ଆଶା ଅଧିକ। ଉମେଶ ଯାଦବ ଏବଂ ମହମ୍ମଦ ସାମି ଅନ୍ୟ ଦୁଇ ଦ୍ରୁତ ବୋଲର ଭାବେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇ ପାରନ୍ତି। ସ୍ପିନ୍‌ ବିଭାଗରେ ଆର ଅଶ୍ୱିନ ଏବଂ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ। ମୁରଲୀ ବିଜୟ ଦୀର୍ଘ ଦିନ ପରେ ଦଳକୁ ଫେରିଛନ୍ତି। ହେଲେ ସେ କଟକ ରଣଜୀ ମ୍ୟାଚ୍‌ରେ ଶତକ ହାସଲ କରି ନିଜ ପୁରୁଣା ଲୟକୁ ଫେରି ସାରିଛନ୍ତି। ସେ ଫେରିବା ପରେ ଶିଖର ଧାଓ୍ଵନ ଏବଂ ଲୋକେଶ ରାହୁଲଙ୍କ ମଧ୍ୟରୁ ଜଣକୁ ଦଳରେ ସ୍ଥାନ ମିଳିବ। ଚେତେଶ୍ୱର ପୂଜାରା ଘରୋଇ କ୍ରିକେଟ୍‌ରେ ଦୁଇଟି ଶତକ ଅର୍ଜନ କରି ସାରିଛନ୍ତି। ଅଧିନାୟକ କୋହଲି ବି ରନ୍‌ କରିବାକୁ ବ୍ୟଗ୍ର ଥିବେ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ରୋହିତ ଶର୍ମା, ଋଦ୍ଧିମାନ ସାହା, ଆର ଅଶ୍ୱିନ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଉମେଶ ଯାଦବ, ମହମ୍ମଦ ସାମି।
ସମ୍ଭାବ୍ୟ ଶ୍ରୀଲଙ୍କା: ଦୀନେଶ ଚାନ୍ଦିମାଳ (ଅଧିନାୟକ), ଲାହିରୁ ଥିରିମାନେ (ଉପ ଅଧିନାୟକ), ଦିମୁଥ କରୁଣାରତ୍ନେ, ସଦିରା ସମରବିକ୍ରମା। ନିରୋସାନ ଡିକେଓ୍ଵଲା, ଦିଲରୁଆନ ପେରେରା, ରଙ୍ଗଣା ହେରାଥ, ସୁରଙ୍ଗ ଲାକମଲ, ଲାହିରୁ ଗମାଙ୍ଗେ, ଆଞ୍ଜେଲୋ ମାଥ୍ୟୁସ, ଲକ୍ଷ୍ମଣ ସନ୍ଦାକନ, ଦସୁନ ସନକା।

ପ୍ରାରମ୍ଭିକ ଯୋଡ଼ିକୁ ନେଇ ଦ୍ୱନ୍ଦ୍ୱ

ଭିଭିଏସ୍‌ ଲକ୍ଷ୍ମଣ

ମାତ୍ର ୨ ମାସ ତଳେ ନିଜ ମାଟିରେ ଭାରତ ନିକଟରୁ ୦-୩ରେ ଟେଷ୍ଟ ଶୃଙ୍ଖଳା ହାରିଯିବା ଘଟଣା ଶ୍ରୀଲଙ୍କା ଦଳକୁ ଏବେ ବି ଆନ୍ଦୋଳିତ କରୁଥିବ। ଏଭଳି ନୈରାଶ୍ୟଜନକ ସ୍ମୃତି ନେଇ ସିଂହଳୀ ଦଳ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବାକୁ ଗତ ସପ୍ତାହରୁ ଭାରତରେ ପାଦ ଥାପିଛି। ଶ୍ରୀଲଙ୍କା ତା’ର ଏହି ଗସ୍ତରେ ଗୁରୁବାରଠୁ କୋଲ୍‌କାତାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ରେ ପ୍ରଥମ ଟେଷ୍ଟ ଖେଳିବ। ଦୀନେଶ ଚାନ୍ଦିମଲ୍‌ଙ୍କ ନେତୃତ୍ୱାଧୀନ ସିଂହଳୀ ଦଳ ଶକ୍ତିିଶାଳୀ ଭାରତ ବିପକ୍ଷରେ ସତର୍କ ରହିବ। ଏପରିକି ଆଗକୁ ଦଳ ପାଇଁ କ’ଣ କ’ଣ ସବୁ ଅପେକ୍ଷା କରିଛି ସେ ଚିନ୍ତା କରୁଥିବେ। ହେଲେ ଘରୋଇ ମାଟିରେ ଭାରତ ନିକଟରୁ ପରାଜୟ ସତ୍ତ୍ୱେ ୟୁଏଇରେ ଶକ୍ତିଶାଳୀ ବୋଲିଂ ବାହିନୀ ଭାବେ ପରିଗଣିତ ପାକିସ୍ତାନକୁ ୨-୦ରେ ଧୂଳି ଚଟେଇବା ଶ୍ରୀଲଙ୍କା ଦଳ ଓ ଖେଳାଳିଙ୍କ ଆତ୍ମବିଶ୍ୱାସ ଖୁବ୍‌ ବଢାଇ ଦେଇଛି। ପୁଣି ପୂର୍ବ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍‌ଙକ୍‌ ପ୍ରତ୍ୟାବର୍ତନ ଦଳର ମନୋବଳ ଦ୍ୱିଗୁଣିତ କରିଦେଇଛି। ଦଳ ତା’ର ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତଠୁ ପ୍ରତିଶୋଧ ନେବାର ପ୍ରୟାସ କରିବାର ଲକ୍ଷ୍ୟ ରଖିଥିବ।

ଗତ ଜୁଲାଇ-ଅଗଷ୍ଟରେ ନିଜ ଘରେ ଲଜ୍ଜାଜନକ ଶୃଙ୍ଖଳା ପରାଜୟ ବରଣ କରିଥିବା ଶ୍ରୀଲଙ୍କା ଏଥରର ପାଲଟା ଗସ୍ତରେ ବି ବିରାଟ କୋହଲିଙ୍କ ଭାରତୀୟ ଦଳ ନିକଟରୁ ନିସ୍ତାର ପାଇଲା ଭଳି ଜଣାପଡୁନି। ପୁଣି ପ୍ରଥମ ପାଳିରେ ବଡ଼ ସ୍କୋର୍‌ କରିବା ଏବଂ ପରେ ବୋଲରଙ୍କ ଦକ୍ଷତା ମୁତାବକ ବୋଲି କରି ବଡ଼ ସ୍କୋର୍‌ର ଚାପ ପ୍ରତିପକ୍ଷ ଉପରେ ପକାଇବା ଫର୍ମୁଲା ଭାରତ ଭଲ ଭାବେ ଜାଣିଛି। ଏହି ଦୃଷ୍ଟିରୁ ଭାରତ ଏହା ପୂର୍ବରୁ ଖେଳିଥିବା ଘରୋଇ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ୍‌, ଇଂଲଣ୍ଡ, ବାଂଲାଦେଶ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିସାରିଥିବାର ପ୍ରମାଣ ମିଳେ। ଏହା ପରୋକ୍ଷରେ ଶ୍ରୀଲଙ୍କା ପାଇଁ ଚେତାବନୀ ଥିବ।

ନିକଟରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍‌ଗୁଡ଼ିକୁ ବଞ୍ଚିତ ହୋଇଥିବା ମହମ୍ମଦ ସାମି, ଉମେଶ ଯାଦବ, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଓ ରବୀନ୍ଦ୍ର ଜାଦେଜା ଟେଷ୍ଟ ପାଇଁ ବ୍ୟାକୁଳ ଅଛନ୍ତି। ଏହି ବୋଲିଂ ଗୋଷ୍ଠୀର ପ୍ରତ୍ୟେକ ଖେଳାଳି ଚଳିତ ଋତୁରେ ରଣଜୀ ଟ୍ରଫି ଖେଳି ନିଜ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ହେଲେ ଇଡେନ୍‌ ଗାର୍ଡେନ୍‌କୁ ଓହ୍ଲାଇବା ପୂର୍ବରୁ ଚୂଡାନ୍ତ ଏକାଦଶ ବାଛିବା ନେଇ ଭାବୁକ ଗୋଷ୍ଠୀ ଚିନ୍ତାରେ ପଡ଼ିବା ନିଶ୍ଚିତ। ଗତ ପ୍ରାୟ ଦେଢ଼ବର୍ଷ ହେଲା ଇଡେନ୍‌ ପିଚ୍‌ ସ୍ପିନରଙ୍କ ତୁଳନାରେ ବିଶେଷତଃ ଦ୍ରୁତ ବୋଲରଙ୍କୁ ସୁହାଇ ଆସୁଥିବା ଦେଖାଯାଇଛି। ଏପରିସ୍ଥଳେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ୫ ବୋଲର ନୀତି କୋହଲି ଆପଣେଇବେ ନା ୪ ବୋଲର ଖେଳାଇ ଜଣେ ଅତିରିକ୍ତ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସୁଯୋଗ ଦେବେ ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଉଥିବାରୁ ହୁଏତ ଦଳରେ ଭୁବନେଶ୍ୱର କୁମାରଙ୍କୁ ପଞ୍ଚମ ବୋଲର ଭାବେ ଖେଳାଇବାକୁ ଦଳ ଚିନ୍ତା କରିପାରେ। ଅନ୍ୟପକ୍ଷରେ ଅତିରିକ୍ତ ବ୍ୟାଟ୍‌ସମ୍ୟାନ୍‌ ଭାବେ ରୋହିତ ଶର୍ମାଙ୍କୁ ଖେଳାଇବାର ଯୋଜନାକୁ ମଧ୍ୟ ଏଡ଼ାଇ ଦେଇହେବ ନାହିଁ। ଏହା ବ୍ୟତୀତ ଶିଖର ଧାଓ୍ଵନ୍‌, ଲୋକେଶ ରାହୁଲ୍‌ ଓ ମୁରଲୀ ବିଜୟଙ୍କ ମଧ୍ୟରୁ ପ୍ରାରମ୍ଭିକ ଯୋଡ଼ିକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ଗତ ଶ୍ରୀଲଙ୍କା ଶୃଙ୍ଖଳାରୁ ଧାଓ୍ଵନ୍‌ ଦମ୍‌ଦାର ଫର୍ମରେ ଅଛନ୍ତି। ସେହିପରି ଟେଷ୍ଟରେ ରାହୁଲ୍‌ ମଧ୍ୟ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ଅନ୍ୟପକ୍ଷରେ ବିଜୟ ଗତ ୪ ବର୍ଷ ଧରି ଭାରତର ଶ୍ରେଷ୍ଠ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାବେ ଉଭା ହୋଇଛନ୍ତି। ଉଭୟ ରାହୁଲ୍‌ ଓ ବିଜୟ ମଧ୍ୟ ରଣଜୀରେ ବଡ଼ ପାଳି ଖେଳି ନିଜ ନିଜର ସ୍ଥିତି ଜାହିର କରିଛନ୍ତି। ଏତିକି କହିବି ଯେ କେଉଁ ଦୁଇ ଜଣ ଶ୍ରୀଲଙ୍କା ବିପକ୍ଷ ଇଡେନ୍‌ ଟେଷ୍ଟରେ ପାଳି ଆରମ୍ଭ କରିବେ ତାହା ବାଛିବା ସହଜ ନୁହେଁ। (ଗେମ୍‌ପ୍ଲାନ୍‌)

ସମ୍ବନ୍ଧିତ ଖବର