ଦାମ୍ବୁଲା: ଶ୍ରୀଲଙ୍କାରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତା। ବିଜୟରୁ ଭାରତ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ୭ ଥରର ବିଜେତା ଭାରତ ୭ ୱିକେଟ୍‌ରେ ଚିରପ୍ରତିଦ୍ବନ୍ଦୀ ପାକିସ୍ତାନକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ୧୯.୨ ଓଭରରେ ୧୦୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୭ ଜଣ ବ୍ୟାଟ୍‌ର ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଦୀପ୍ତି ଶର୍ମା ୩ ଏବଂ ରେଣୁକା ସିଂହ, ପୂଜା ବସ୍ତ୍ରକାର, ଶ୍ରେୟଙ୍କା ପାଟିଲ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଭାରତ ୩୫ ବଲ୍‌ ପୂର୍ବରୁ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି‌ ନେଇଥିଲା। ସ୍ମୃତି ମନ୍ଧାନା ୪୫ (୩୧ ବଲ୍‌, ୯ ଚୌକା) ଓ ଶେଫାଳି ବର୍ମା ୪୦ (୨୯ ବଲ୍‌, ୬ ଚୌକା, ୧ ଛକା) ପ୍ରଥମ ୱିକେଟ୍‌ରେ ୯.୩ ଓଭରରେ ୮୫ ରନ୍‌ର ଭାଗୀଦାରି ଗଢ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଦୀପ୍ତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ଖେଳାଯାଇଥିବା ଉଦ୍‌ଘାଟନୀ ମୁକାବିଲାରେ ନେପାଳ ୬ ୱିକେଟ୍‌ରେ ୟୁଏଇକୁ ହରାଇଛି।

Advertisment

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ୧୯.୨ ଓଭରରେ ୧୦୮/୧୦ (ସିଦ୍ରା ଅମିନ ୨୫, ତୁବା ହୁସେନ ୨୨, ଫତିମା ସାନା ୨୨*, ଦୀପ୍ତି ଶର୍ମା ୩/୨୦, ରେଣୁକା ସିଂହ ୨/୧୪, ଶ୍ରେୟଙ୍କା ପଟେଲ ୨/୧୪, ପୂଜା ବସ୍ତ୍ରକାର ୨/୩୧)। ଭାରତ ୧୪.୧ ଓଭରରେ ୧୦୯/୩ (ସ୍ମୃତି ମନ୍ଧାନା ୪୫, ଶେଫାଳି ବର୍ମା ୪୦, ସୟେଦା ଅରୁବ ଶାହ ୨/୯, ନାଶ୍ରା ସାନ୍ଧୁ ୧/୨୦)।