କୋହଲି କୀର୍ତ୍ତିରେ ଭାରତ ସୁଦୃଢ଼: ଭାରତ ପାଳି ୬୦୧/୫ରେ ଘୋଷିତ, ଦକ୍ଷିଣ ଆଫ୍ରିକା ୩୬/୩

ପୁନେ: ବିରାଟ କୋହଲିଙ୍କ କୀର୍ତ୍ତିମାନଭରା ସପ୍ତମ ‌ଦ୍ବିଶତକ (୨୪୫*) ଏବଂ ଅଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଦେଜାଙ୍କ ସହ ଦୁଇଟି ବଡ଼ ଭାଗୀଦାରି ବଳରେ ଭାରତ ପୁନେ ଟେଷ୍ଟ୍‌ରେ ନିଜ ସ୍ଥିତିକୁ ସୁଦୃଢ଼ କରି ନେଇଛି। ଉନ୍ନତ ରନ୍‌ ହାରରେ ବ୍ୟାଟିଂ କରି ଭାରତ ୫ ୱିକେଟ୍‌ରେ ୬୦୧ ରନ୍ ସହ ପ୍ରଥମ ପାଳିକୁ ଘୋଷଣା କରିଛି। ଜବାବରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୩୬ ରନ୍‌ରେ ୩ ୱିକେଟ୍ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ହାତରେ ୭ ୱି‌କେଟ୍ ଥିଲେ ମଧ୍ୟ ଫାପ୍ ଡୁ ପ୍ଲେସିସ୍‌ଙ୍କ ଦଳ ୫୬୫ ରନ୍‌ ପଛରେ ରହିଛି। ୪୦୨ ରନ୍ ଫଲୋଅନ୍ ସୀମା ଟପିବା ଏହି ଦଳ ପାଇଁ ପ୍ରଥମ ଲକ୍ଷ୍ୟ ହେବ।

ଶୁକ୍ରବାର ଭାରତ ୨୭୩/୩ରୁ ଖେଳିଥିଲା। ବ୍ୟକ୍ତିଗତ ଭାବେ ଅଧିନାୟକ ବିରାଟ କୋହଲି ୬୩*ରୁ ଏବଂ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ୧୮* ରନ୍‌ରୁ ଖେଳିଥିଲେ। ଉଭୟ ମଧ୍ୟାହ୍ନ ଭୋଜନ ପୂର୍ବରୁ ଭାରତକୁ କୌଣସି କ୍ଷତି ପହଞ୍ଚାଇନଥିଲେ। ଚତୁର୍ଥ ୱିକେଟ୍‌ ଭାଗୀଦାରିରେ ୧୭୮ ରନ୍ ଯୋଡ଼ିଥିଲେ। ମଧ୍ୟାହ୍ନ ବିରତି ପରେ ରାହାଣେ (୫୯, ୧୬୮ ବଲ୍‌, ୮ ଚୌକା)ଙ୍କୁ ସ୍ପିନର୍ କେଶବ ମହାରାଜ ୱିକେଟରକ୍ଷକ କ୍ବିଣ୍ଟନ୍ ଡି’କକ୍‌ଙ୍କ ହାତରେ କ୍ୟାଚ୍‌ କରାଇ ଏହି ଭାଗୀଦାରିକୁ ଭାଙ୍ଗିଥିଲେ। ଅନ୍ୟପଟେ କୋହଲି କିନ୍ତୁ ନିଜର ୨୬ତମ ଟେଷ୍ଟ୍‌ ଶତକକୁ ୧୭୧ ବଲ୍‌ରୁ ୧୬ ଚୌକା ସହାୟତାରେ ହାସଲ କରି ନେଇଥିଲେ। ରାହ‌ାଣେଙ୍କ ପରେ କୋହଲିଙ୍କ ସହ ଯୋଗ ଦେଇଥିବା ରବୀନ୍ଦ୍ର ଜାଦେଜା ଦ୍ରୁତ ବେଗରେ ଦ୍ବିଶତକ ଭାଗୀଦାରି ଗଢ଼ିଥିଲେ। ବିଶେଷ କରି ଚା’ପାନ ବିରତି ପରେ ୧୫.୩ ଓଭରରେ ଭାରତ ୧୨୮ ରନ୍ ଯୋଡ଼ିଥିଲା। ଏହା ପରେ କୋହଲି ଟେଷ୍ଟ୍ କ୍ରିକେଟ୍‌ରେ ନିଜର ସପ୍ତମ ଦ୍ବିଶତକ ହାସଲ କରିଥିଲେ। ଏ ‌କ୍ଷେତ୍ରରେ ସେ କେବଳ ପ୍ରଥମ ଭାରତୀୟ ନୁହେଁ ଅଷ୍ଟ୍ରେଲୀୟ ଅଧିନାୟକ ସାର୍ ଡନ୍ ବ୍ରାଡମ୍ୟାନଙ୍କୁ ପଛରେ ପକାଇ ଦେଇଥିଲେ। ଦ୍ବିଶତକ ହାସଲ ପାଇଁ କୋହଲି ୨୯୫ ବଲ୍ ଖେଳିଥିଲେ ଏବଂ ୨୮ ‌ଚୌକାର ସହାୟତା ନେଇଥିଲେ। ‌ଚା’ପାନ ବିରତି ପରେ ଦ୍ରୁତ ରନ୍‌ ସଂଗ୍ରହ କରିବାରେ ଲାଗିଥିଲେ କୋହଲି ଏବଂ ଜାଦେଜା। ଭାରତୀୟ ବଂଶୋଦ୍ଭବ ସ୍ପିନର୍‌ ମୁଥୁସାମୀଙ୍କ ଶିକାର ହୋଇ ଜାଦେଜା (୯୧, ୧୦୪ ବଲ୍‌, ୮ ଚୌକା, ୨ ଛକା) ନିଜ ଦ୍ବିତୀୟ ଟେଷ୍ଟ୍‌ ଶତକ ହାସଲରୁ ବଞ୍ଚିତ ରହିଥିଲେ। କୋହଲି ଏବଂ ଜାଦେଜାଙ୍କ ମଧ୍ୟରେ ପଞ୍ଚମ ୱିକେଟ୍‌ ପାଇଁ ୨୨୫ ରନ୍‌ର ଭାଗୀଦାରି ହୋଇଥିଲା। ଜାଦେଜାଙ୍କ ୱିକେଟ୍‌ର ପତନ ସହିତ କୋହଲି ତୁରନ୍ତ ପାଳି ଘୋଷଣା କରି ଦେଇଥିଲେ। ସେତେବେଳକୁ କୋହଲି (୨୫୪*, ୩୩୬ ବଲ୍‌, ୩୩‌ ଚୌକା, ୨ ଛକା) ଅଢ଼େଇ ଶହ ଟପି ସାରିଥିଲେ। ଯାହାକି ତାଙ୍କ ଖେଳ ଜୀବନରେ ପ୍ରଥମ ଥର ଘଟିଥିଲା। ୨୦୧୭ ମସିହାରେ ଦିଲ୍ଲୀରେ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଥିବା ୨୪୩ ରନ୍‌କୁ ପଛରେ ପକାଇ ଶ୍ରେଷ୍ଠ ଟେଷ୍ଟ୍ ପାଳି ଅର୍ଜନ କରିଥିଲେ। ପ୍ରଥମ ଦିନର ସମସ୍ତ ୩ ୱିକେଟ୍ ନେଇଥିବା କାଗିସୋ ରବାଦା ଶୁକ୍ରବାର ପ୍ରଭାବହୀନ ରହିଥିଲେ। ଦୁଇ ସ୍ପିନର୍‌ ମହାରାଜ ଓ ମୁଥୁସାମୀ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ। ୬୦୧ ରନ୍‌ର ବିଶାଳ ବୋଝ ଜବାବରେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଓଭରରେ ହିଁ ୱିକେଟ୍ ହରାଇଥିଲା। ନିଜର ପ୍ରଥମ ଦୁଇ ଓଭରରେ ଉମେଶ ଯାଦବ ପ୍ରାରମ୍ଭିକ ଯୋଡ଼ି ଡିନ୍ ଏଲଗାର (୬) ଏବଂ ଏଦେନ ମର୍କରାମ (୦)ଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ତେମ୍ବା ବାଭୁମା (୮)ଙ୍କୁ ମହମ୍ମଦ ସାମି ୱିକେଟ୍ ପଛପଟେ ରିଦ୍ଧିମାନ ସାହାଙ୍କ ଗ୍ଲୋଭ୍‌ସରେ କ୍ୟାଚ୍‌ କରାଇ ଅତିଥି ଦଳକୁ ତୃତୀୟ ଝଟକା ଦେଇଛନ୍ତି। ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ ଅନ୍ତର୍ଗତ ଏହି ମ୍ୟାଚ୍‌ ଏବେ ଭାରତ ନିୟନ୍ତ୍ରଣରେ ରହିଛି। ୩ ମ୍ୟାଚ୍‌ ଶୃଙ୍ଖଳାରେ ମଧ୍ୟ ଭାରତ ୧-୦ରେ ଆଗୁଆ ରହିଛି।

୭,୦୦୦ ରନ୍‌ ପୂର୍ଣ୍ଣ କଲେ କୋହଲି
ପୁନେ: ବ୍ୟକ୍ତିଗତ ଶ୍ରେଷ୍ଠ ପାଳି (୨୫୪*), ସପ୍ତମ ଦ୍ବିଶତକ ହାସଲରେ ପ୍ରଥମ ଭାରତୀୟ, ୯ ଥର ୧୫୦ ଟପି ବ୍ରାଡମ୍ୟାନଙ୍କୁ ଅତିକ୍ରମ କରିବା, ଅଧିନାୟକ ଭାବେ ୧୯ତମ ଶତକ ହାସଲ କରି ରିକି ପଣ୍ଟିଂଙ୍କ ସମକକ୍ଷ ହେବା ଭଳି ଏକାଧିକ କୀର୍ତ୍ତିମାନ କରିଥିବା ବିରାଟ କୋହଲି ଶୁକ୍ରବାର ମଧ୍ୟ ଟେଷ୍ଟ୍ କ୍ରିକେଟ୍‌ରେ ୭,୦୦୦ ରନ୍ ମାଇଲଖୁଣ୍ଟ୍ ଛୁଇଁଛନ୍ତି।
୧୩୮: ସାତ ହଜାର ଟେଷ୍ଟ୍‌ ରନ୍ ପାଇଁ କୋହଲି ୧୩୮ ପାଳି ଖେଳିଛନ୍ତି। ତାଙ୍କଠାରୁ କେବଳ ୱାଲି ହାମଣ୍ଡ (୧୩୧), ବୀରେନ୍ଦ୍ର ସେହବାଗ (୧୩୪), ସଚିନ ତେନ୍ଦୁଲକର (୧୩୬) କମ୍ ପାଳିରୁ ଏହି ମାଇଲଖୁଣ୍ଟ୍ ଛୁଇଁଥିଲେ। ଗ୍ୟାରି ସୋବର୍ସ ଏବଂ କୁମାର ସାଙ୍ଗାକାରା ମଧ୍ୟ ୧୩୮ ପାଳିରୁ ୭,୦୦୦ ରନ୍ ପୂର୍ଣ୍ଣ କରିଥିଲେ।
୭: ସପ୍ତମ ଦ୍ବିଶତକ ହାସଲ କରି କୋହଲି ଭାରତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହବାଗ (ଉଭୟ ୬ ଲେଖାଏଁ ଦ୍ବିଶତକ) ପଛରେ ପଡ଼ିଯାଇଛନ୍ତି। ବିଶ୍ବ କ୍ରିକେଟ୍‌ରେ କିନ୍ତୁ ସାର୍ ଡନ୍ ବ୍ରାଡମ୍ୟାନ୍‌ (୧୨), କୁମାର ସାଙ୍ଗାକାରା (୧୧), ବ୍ରାଏନ୍ ଲାରା (୯) ଆଗରେ ରହିଛନ୍ତି। କୋହଲି ଏବେ ୱାଲି ହାମଣ୍ଡ୍ ଏବଂ ମାହେଲା ଜୟବର୍ଧନେ (ସମସ୍ତେ ୭ ଦ୍ବିଶତକ)ଙ୍କ ସହ ମିଳିତ ଚତୁର୍ଥ ସ୍ଥାନରେ ରହିଛନ୍ତି।
୪୦: କୋହଲିଙ୍କ ୭ ଦ୍ବିଶତକ ମାତ୍ର ୪୦ ଟେଷ୍ଟ୍‌ ଭିତରେ ଆସିଛି। ୨୦୧୬ ଜୁନ୍‌ରେ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଦ୍ବିଶତକ ହାସଲ କରିଥିଲେ। ଏହା ଥିଲା ତାଙ୍କ ୪୨ତମ ଟେଷ୍ଟ। ଏହା ପରଠାରୁ ଆଝାର ଅଲୀ, ଆଲେଷ୍ଟର୍ କୁକ୍‌, ଷ୍ଟିଭେନ୍ ସ୍ମିଥ୍ କେବଳ ୨ ଲେଖାଏଁ ଦ୍ବିଶତକ ମାରିଛନ୍ତି। କୋହଲି ଏହି ଅବଧିରେ ନିଜର ସମସ୍ତ ୭ ଦ୍ବିଶତକ ହାସଲ କରିଛନ୍ତି। ଏହି ୩ ବର୍ଷ ମଧ୍ୟରେ ମିଳିତ ଭାବେ ଅନ୍ୟ ସବୁ ଭାରତୀୟ ମାତ୍ର ୩ ଦ୍ବିଶତକ ହାସଲ କରିଛନ୍ତି।
୧୬୯: କୋହଲିଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୌଣସି ଭାରତୀୟ ବ୍ୟାଟସମ୍ୟାନ୍‌ ୧୬୯ ରନ୍ ଟପି ନଥିଲେ। ୧୯୯୬-୯୭ରେ ସଚିନ ତେନ୍ଦୁଲକର କେପ୍‌ ଟାଉନ୍ ଟେଷ୍ଟ୍‌ରେ ୧୬୯ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିଶତକ ହାସଲ କରିବାରେ କୋହଲି ସପ୍ତମ ଅଧିନାୟକ ଏବଂ ୨୦୧୨ ମସିହାରେ ମାଇକେଲ୍ କ୍ଲାର୍କଙ୍କ ପରେ ପ୍ରଥମ।
୬: କୋହଲି ୬ଟି ବିଭିନ୍ନ ଦେଶ ବିପକ୍ଷରେ ଦ୍ବିଶତକ ହାସଲ କରିବାରେ କୁମାର ସାଙ୍ଗାକାରା ଓ ୟୁନିସ୍‌ ଖାନଙ୍କ ସମକକ୍ଷ ହୋଇଛନ୍ତି। ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍‌, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କୋହଲି ଅନ୍ୟୁନ ଗୋଟିଏ ଲେଖାଏଁ ଦ୍ବିଶତକ ମାରିଛନ୍ତି। କେବଳ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଦ୍ବିଶତକ ମାରିନାହାନ୍ତି।
୫: ପଞ୍ଚମ ଭାରତୀୟ ଭାବେ କୋହଲି ୨୫୦ ରନ୍‌ ଅତିକ୍ରମ କଲେ। ପୂର୍ବରୁ ଭିଭିଏସ୍ ଲକ୍ଷ୍ମଣ, ବୀରେନ୍ଦ୍ର ସେହବାଗ, ରାହୁଲ ଦ୍ରାବିଡ଼, କରୁଣ ନାୟର୍‌ ଏହି କ୍ଲବ୍‌ରେ ଥିଲେ। ସେହବାଗ କିନ୍ତୁ ୪ ଥର ୨୫୦ ଟପିଛନ୍ତି, ଅନ୍ୟମାନେ ଥରେ ଲେଖାଏଁ ଏଭଳି କରିପାରିଛନ୍ତି। କୋହଲି କିନ୍ତୁ ପ୍ରଥମ ଅଧିନାୟକ ଭାବେ ୨୫୦ ରନ୍‌ ଅତିକ୍ରମ କରିଛନ୍ତି।

ସମ୍ବନ୍ଧିତ ଖବର