ମାଞ୍ଚେଷ୍ଟର : ମାଞ୍ଚେଷ୍ଟର ଟେଷ୍ଟରେ ସଂଘର୍ଷ ଜାରି ରଖିଛି ଟିମ ଇଣ୍ଡିଆ । ଅଧିନାୟକ ଶୁବମନ ଗିଲ୍ ଏକ ଲଢୁଆ ଶତକ ଅର୍ଜନ କରି ଆଉଟ ହେବା ପରେ ଭାରତ ଉପରେ ବିପଦ ବଢିଯାଇଛି । ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୪ ଓ୍ବିକେଟ ହରାଇ ୨୨୩ ରନ କରିଛି ଓ ଇନିଂସ ପରାଜୟ ଏଡ଼େଇବାକୁ ଭାରତକୁ ଆହୁରି ୮୮ ରନ କରିବାକୁ ହେବ ।
କ୍ରିଜରେ ରବୀନ୍ଦ୍ର ଜାଦେଜା ଓ ଓ୍ବାସିଂଟନ ସୁନ୍ଦର ଅଛନ୍ତି । ଭାରତର ଅବଶିଷ୍ଟ ଲଢେଇ ଏବେ ଏହି ଦୁଇ ଜଣ ବ୍ୟାଟରଙ୍କ ହାତରେ ରହଛି, କାରଣ ଆହତ କାରଣରୁ ଋଷଭ ପନ୍ତ ବ୍ୟାଟିଂ କରିବାକୁ ଆସିବା ନେଇ ସନ୍ଦେହ ରହିଛି । ପନ୍ତଙ୍କ ପରେ ଆସିବାକୁ ଥିବା ଶାର୍ଦ୍ଦୁଲ ଠାକୁର କିଛି ସମୟ ବ୍ୟାଟିଂ କରିବାର କ୍ଷମତା ରଖନ୍ତି । ତାଙ୍କ ପରେ ଭାରତର ଟେଲ ଏଣ୍ଡର ଆରମ୍ଭ ହୋଇଯିବ । ଚଳିତ ସିରିଜରେ ଭାରତୀୟ ଟେଲ ଏଣ୍ଡରମାନେ ବିଶେଷକିଛି ପ୍ରଦର୍ଶନ କରିପାରିନାହାନ୍ତି । କିନ୍ତୁ ଆଜି ସେମାନଙ୍କଠାରୁ ଦଳ ଏକ ବଡ଼ ଆଶା ରଖିବ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୩୫୮ ରନରେ ଅଲଆଉଟ ହୋଇଥିଲା । ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ବିଶାଳ ୬୬୯ ରନ କରିଥିଲା ।