କରାଚୀ: ଆସନ୍ତା ବର୍ଷର ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ଲାଗି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କରିଥିବା ଦାବିକୁ ଭାରତ ସମର୍ଥନ କରିଛି। ଏହି ସୂଚନା ଦେଇଛନ୍ତି ପିସିବିର ମୁଖ୍ୟ ଏହସାନ ମନି। ସିଙ୍ଗାପୁରଠାରେ ସମ୍ପ୍ରତି ଅନୁଷ୍ଠିତ ହୋଇଯାଇଥିବା ଏସୀୟ କ୍ରିକେଟ୍ ପରିଷଦ ବୈଠକରେ ପିସିବି ଦାବିକୁ ଭାରତ ସମର୍ଥନ କରିଥିଲା। କିନ୍ତୁ ମ୍ୟାଚ୍ ଗୁଡିକ କେଉଁଠାରେ ଖେଳାଯିବ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ। ଭାରତ ସରକାର ଯଦି ଭାରତୀୟ ଦଳକୁ ପାକିସ୍ତାନ ପଠାଇବାକୁ ଅନୁମତି ପ୍ରଦାନ କରନ୍ତି ତେବେ ଆମେ ଏହାକୁ ପାକିସ୍ତାନରେ କରିବୁ ନହେଲେ ୟୁଏଇ ଦ୍ବିତୀୟ ବିକଳ୍ପ ରହିଛି ବୋଲି ମନି କହିଛନ୍ତି। ଆସନ୍ତା ବର୍ଷର ଏସିଆ କପ୍ ସେପ୍ଟେମ୍ବର ମାସରେ ଆୟୋଜିତ ହେବ। ଏହା ପରେ ପରେ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳାଯିବ। ଗତ ଏସିଆ କପ୍କୁ ଭାରତ ୟୁଏଇରେ ଆୟୋଜନ କରିଥିଲା। କାରଣ ପାକିସ୍ତାନ ଦଳକୁ ଭାରତ ଗସ୍ତ ଲାଗି ଅନୁମତି ମିଳିନଥିଲା। ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରାଇ ଆଣିବା ଆମ ପ୍ରାଥମିକତାରେ ରହିଛି, କିନ୍ତୁ ଏହା ଭାରତୀୟ ଦଳକୁ ସେମାନଙ୍କ ସରକାରଙ୍କ ଅନୁମତି ଉପରେ ନିର୍ଭରଶୀଳ ବୋଲି ମନି କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ବର୍ଷ ପ୍ରାରମ୍ଭରେ ଏସିଆନ୍ ଇମର୍ଜିଂ ନେସନ୍ସ କପ୍ କରାଚୀ ଏବଂ ଦୁବାଇରେ ଖେଳାଯାଇଥିଲା। ଭାରତ ନିଜର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିଥିଲା। ପାକିସ୍ତାନ ନିଜର ପ୍ରାରମ୍ଭିକ ରାଉଣ୍ଡ୍ ମ୍ୟାଚ୍ ଗୁଡ଼ିକ କରାଚୀରେ ଖେଳିବା ପରେ ଚୂଡାନ୍ତ ରାଉଣ୍ଡ୍ ପାଇଁ ୟୁଏଇ ଗସ୍ତ କରିଥିଲା। ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍ ସମ୍ପର୍କ ସମ୍ଭବ ହୋଇନଥିଲେ ମଧ୍ୟ ଦୁଇ କ୍ରିକେଟ୍ ବୋର୍ଡ ମଧ୍ୟରେ ସମ୍ପର୍କ ଭଲ ରହିଛି ବୋଲି ମନି ସ୍ବୀକାର କରିଥିଲେ।