ଇନ୍ଦୋରରେ ଆଧିପତ୍ୟ: ଶ୍ରୀଲଙ୍କା ୭ ୱିକେଟ୍‌ରେ ହାରିଲା, ଭାରତ ୧-୦ରେ ଆଗୁଆ

ଇନ୍ଦୋର: ଇନ୍ଦୋର ‌ଟ୍ବେଣ୍ଟି-୨୦କୁ ଭାରତୀୟ କ୍ରିକେଟ୍‌ ଦଳ ୭ ୱିକେଟ୍‌ରେ ଜିତି ନେଇଛି। ପ୍ରତିପକ୍ଷ ଶ୍ରୀଲଙ୍କା ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଭାରତ ଏହାକୁ ୧୭.୩ ଓଭରରେ ମାତ୍ର ୩ ୱିକେଟ୍ ହରାଇ ହାସଲ କରିନେଇଛି। ତା’ସହ କୋହଲି ବାହିନୀ ବିଜୟରୁ ୨୦୨୦ର ଅଭିଯାନ ଆରମ୍ଭ କରିଛି। ଯୁବ ଦ୍ରୁତ ବୋଲର ନଭଦୀପ ସୈନି ତାଙ୍କ ଘାତକ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଅପେକ୍ଷାକୃତ ଛୋଟିଆ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ପକ୍ଷରୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ (୪୫) ଓ ଶିଖର ଧାୱନ (୩୨) ପ୍ରଥମ ୱିକେଟ୍‌ରେ ୭୧ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ତେବେ ଉଭୟ ୧୫ ରନ୍ ଭିତରେ ନିଜ ନିଜ ୱିକେଟ୍ ହରାଇ ପ୍ୟାଭିଲିୟନ ବାହୁଡ଼ିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ଶ୍ରେୟସ୍ ଆୟର (୩୪) ଏବଂ ଅଧିନାୟକ ବିରାଟ କୋହଲି ତୃତୀୟ ୱିକେଟ୍‌ରେ ଦ୍ରୁତ ୫୧ ରନ୍ ସଂଗ୍ରହ କରି ଭାରତ ବିଜୟକୁ ପକ୍କା କରି ନେଇଥିଲେ। ଆୟର ୩୪ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ତେବେ କୋହଲି ୩୦ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଲାହିରୁ କୁମାରଙ୍କୁ ଛକା ମାରି ସେ ହିଁ ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଏହି ସହଜ ବିଜୟ ପରେ ଭାରତ ମଧ୍ୟ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଥିଲା। ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବାରୁ ପୁନେରେ ଶୁକ୍ରବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ମ୍ୟାଚ୍ ଏବେ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି।

ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି-୨୦କୁ ବର୍ଷା ଧୋଇନେଇଥିଲା। ଦ୍ବିତୀୟ ‌ମ୍ୟାଚ୍ କିନ୍ତୁ ସୁରୁଖୁରୁରେ ଶେଷ ହୋଇଛି। ଏଥିରେ ଭାରତୀୟ ବୋଲର ତାଙ୍କ ଚମକ ଦେଖାଇଛନ୍ତି। ବିଶେଷ କରି ଦୁଇ ଯୁବ ଦ୍ରୁତ ବୋଲର ଶାର୍ଦୁଲ ଠାକୁର (୩/୨୩) ଏବଂ ନଭଦୀପ ସୈନି (୨/୧୮) ନିଜ ନିଜ ଭିତରେ ୫ ୱିକେଟ୍ ବାଣ୍ଟିନେବା ପରେ ଶ୍ରୀଲଙ୍କା ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୪୨ ରନ୍ କରିଥିଲା। ଦୀର୍ଘ ଚାରି ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ଯଶପ୍ରୀତ ବୁମରା ବି ଅପେକ୍ଷାକୃତ ଭଲ ବୋଲିଂ କରି ୩୨ ରନ୍‌ରେ ଗୋଟିଏ ୱିକେଟ୍ କରାୟତ କରିଥିଲେ। ସେହିଭଳି ସ୍ପିନର କୁଲଦୀପ ଯାଦବ (୨/୩୮) ପୁଣି ଥରେ ତାଙ୍କ ସ୍ପିନ୍ କମାଲ ଦେଖାଇବାକୁ ସକ୍ଷମ ହୋଇଥିଲେ। ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ୱିକେଟ୍ ଅକ୍ତିଆର କରିବା ପରେ ଶ୍ରୀଲଙ୍କା ବଡ଼ ସ୍କୋର କରି ପାରି ନଥିଲା। ବିଶେଷ କରି ଶାର୍ଦୁଲ ଊନ୍ନବିଂଶ ଓଭରରେ ତିନିଟି ୱିକେଟ୍ ନେଇ ସିଂହଳୀ ଦଳକୁ ପୂରା ଘାଇଲା କରି ଦେଇଥିଲେ। ଶ୍ରୀଲଙ୍କା ପକ୍ଷରୁ କୁଶଲ ପେରେରା ସର୍ବାଧିକ ୩୪ ରନ୍ କରିଥିଲା ବେଳେ ଜଣେ ହେଲେ ବି ବ୍ୟାଟର୍‌ ଅର୍ଧଶତକ ହାସଲ କରି ପାରି ନଥିଲେ। ୩୮ ରନ୍‌ରେ ପ୍ରଥମ ୱିକେଟ୍ ହରାଇବାର ଝଟ୍‌କାରୁ ଶ୍ରୀଲଙ୍କା ତା’ ପାଳି ଶେଷ ପର୍ଯ୍ୟନ୍ତ ବାହାରି ପାରି ନଥିଲା। ସ୍ପିନର ଧନଞ୍ଜୟ ଡି’ ସିଲଭା (୧୭ ରନ୍, ୧୩ ବଲ୍) ଓ ୱାନିନ୍ଦୁ ହସରଙ୍ଗା ଡି’ସିଲଭା (୧୬*ରନ୍, ୧୦ ବଲ୍) ଶେଷ ଆଡ଼କୁ ଦ୍ରୁତ ବ୍ୟାଟିଂ କରିବାରୁ ଶ୍ରୀଲଙ୍କା ଦେଢ଼ ଶହ ରନ୍‌ର ନିକଟତର ହୋଇପାରିଥିଲା। ଭାରତ ଆଜି ଟସ୍ ଜିତି ଭ୍ରମଣକାରୀ ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ସମ୍ବନ୍ଧିତ ଖବର