ଇଣ୍ଡିଜ୍‌କୁ ମୂଳପୋଛ ଲକ୍ଷ୍ୟରେ ଭାରତ

ଘରୋଇ ମାଟିରେ ସର୍ବାଧିକ ଦିନିକିଆ ଶୃଙ୍ଖଳା ମୂଳପୋଛ ପରାଜୟ

ପୋର୍ଟ ଅଫ୍‌ ସ୍ପେନ୍‌: ଲଗାତାର ଭାବେ ଦୁଇଟି ରୋମାଞ୍ଚକ ବିଜୟ ପାଇଥିବା ଭାରତୀୟ ଦଳ ଏବେ ୩-୦ରେ ୱେଷ୍ଟଇଣ୍ଡିଜ୍‌କୁ ମୂଳପୋଛ କରିବା ଲକ୍ଷ୍ୟରେ ରହିଛି। ବୁଧବାର ରାତିରେ ତୃତୀୟ ଦିନିକିଆ ଖେଳାଯିବାକୁ ଥିବାରୁ ଶିଖର ଧାୱନଙ୍କ ଯୁବ ଦଳ ଏଭଳି ଆଶା ବାନ୍ଧିଛି। ‌କୌଣସି ଏକ ନିର୍ଦ୍ଧିଷ୍ଟ ଦେଶ ବିପକ୍ଷରେ ଲଗାତାର ୧୨ ବିଜୟ ସହ ଭାରତ ରବିବାର ରାତିରେ ବିଶ୍ବ କୀର୍ତ୍ତିମାନ ରଚିଥିଲା। ପାକିସ୍ତାନ (୧୧ ଲଗାତାର ଶୃଙ୍ଖଳା ବିଜୟ ବନାମ ଜିମ୍ବାୱେ) କୀର୍ତ୍ତିମାନକୁ ପଛରେ ପକାଇଥିଲା। ଏବେ ମୂଳପୋଛ ବିଜୟ ସହ ଏହି ସଫଳତାକୁ ଶେଷ କରିବାକୁ ଉଦ୍ୟମ କରିବ ଭାରତୀୟ ଦଳ। ଶୃଙ୍ଖଳା ଜିତି ସାରିଥିବାରୁ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଆଉ କିଛି ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ସମାନ ସମୟରେ ଯେଭଳି ଦଳର ସନ୍ତୁଳନ ବିଗିଡି ନଯାଏ ଦେଖିବାକୁ ହେବ। ଶିଖର ଧାୱନଙ୍କ ସହ ଶୁବମନ ଗିଲ୍‌ ଭଲ ଖେଳୁଥିବାରୁ ଋତୁରାଜ ଗାଏକ୍ବାଡ ସୁଯୋଗ ପାଇବା ସମ୍ଭାବନା କମ୍‌।

ଗିଲ୍‌ ଦୁଇଟି ବଢ଼ିଆ ପାଳି (୬୪, ୪୩) ଖେଳି ସାରିଥିବାରୁ ବସିନପାରନ୍ତି। ଆଇପିଏଲ୍‌ ପ୍ରଦର୍ଶନ ଆଧାରରେ ଗାଏକ୍ବାଡ୍‌ ସୁଯୋଗ ପାଇଥିଲେ ମଧ୍ୟ ଗତ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ପେସ୍‌ ବୋଲିଂ ବିପକ୍ଷରେ ପ୍ରଭାବହୀନ ରହିଥିଲେ। ପ୍ରଥମ ଦୁଇ ଦିନିକିଆରେ ବିଫଳ ହେବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଦଳ ବାଦ୍‌ ଦେବା ସପକ୍ଷରେ ନାହିଁ। ଶ୍ରେୟସ ଆୟର ଓ ସଞ୍ଜୁ ସାମସନ୍‌ ଦ୍ବିତୀୟ ମ୍ୟାଚ୍‌ରେ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକୀୟ ପାଳି ଖେଳିଥିବାରୁ ନିଜକୁ ସୁରକ୍ଷିତ ରଖିଛନ୍ତି। ସେହି ଦୃଷ୍ଟିରୁ ଈଶାନ କିଶନଙ୍କୁ ସୁଯୋଗ ମିଳିବା ଆଶା କମ୍‌ ରହିଛି। ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ହେଉଛି ଉପ ଅଧିନାୟକ ରବୀନ୍ଦ୍ର ଜାଦେଜା ଆହତ ହୋଇ ପ୍ରଥମ ୨ ଦିନିକିଆରୁ ବାଦ୍‌ ପଡ଼ିଥିବାରୁ ଏହି ମ୍ୟାଚ୍‌କୁ ଫେରିବେ କି ନା ସ୍ପଷ୍ଟ ହୋଇନାହିଁ। ରବିବାର ରାତିରେ ଅକ୍ଷର ପଟେଲଙ୍କ ମ୍ୟାଚ୍‌ ବିଜୟୀ ଅର୍ଦ୍ଧଶତକ (୩୫ ବଲ୍‌ରୁ ୬୪*) ମନୋରଂଜନ ଭରା ଥିବାରୁ ଏବେ ପ୍ରଶଂସକମାନେ ତାଙ୍କୁ ବୋଲିଂ ଅଲରାଉଣ୍ଡର୍‌ ଭାବେ ନିୟମିତ ଦେଖିବାକୁ ମଧ୍ୟ ପସନ୍ଦ କରିବେ।

ଅନ୍ୟପକ୍ଷରେ ବାଂଲାଦେଶ ନିକଟରୁ ଚଳିତ ମାସରେ ୦-୩ରେ ହାରିଥିବାରୁ ଘରୋଇ ୱେଷ୍ଟଇଣ୍ଡିଜ୍ ଆଉ ଏକ ଅନୁରୂପ ମୂଳପୋଛକୁ ଏଡ଼ାଇବାକୁ ଚେଷ୍ଟା କରିବ। ଏକତ୍ରିତ ଭାବେ ଦଳ ଲଢ଼ି ପାରୁନଥିବାରୁ ପରାଜୟ ବରଣ କରୁଛି। ଭାରତ ବିପକ୍ଷରେ ଉଭୟ ମ୍ୟାଚ୍‌ରେ ୩୦୦ରୁ ଊର୍ଧ୍ବ ସ୍କୋର୍‌ କରିଥିଲେ ମଧ୍ୟ ଦଳକୁ ପରାଜୟ ପାର୍ଶ୍ବରେ ରହିବାକୁ ପଡ଼ିଛି। ସାଇ ହୋପ୍‌, ନିକୋଲାସ୍ ପୂରନ, ରୋଭମାନ ପାୱେଲ, ରୋମାରିଓ ସେଫର୍ଡଙ୍କ ଉପରେ ମାତ୍ରାଧିକ ନିର୍ଭର କରୁଥିବାରୁ ଦଳ ଏଭଳି ଦଶା ଭୋଗୁଛି। ବୁଧବାର ରାତିରେ ସାନ୍ତ୍ବନାମୂଳକ ବିଜୟ ସହ ୱେଷ୍ଟଇଣ୍ଡିଜ୍‌ ଲଗାତାର ୮ ଦିନିକିଆ ପରାଜୟ ବରଣର ଧାରାକୁ ଭାଙ୍ଗିବାକୁ ମଧ୍ୟ ଲକ୍ଷ୍ୟ ରଖିବ। କୋଭିଡ୍‌ ସଂକ୍ରମିତ ଜାସନ୍ ହୋଲ୍ଡର ବୁଧବାର ମ୍ୟାଚ୍‌ ଖେଳିବେ କି ନା ସ୍ପଷ୍ଟ କରାଯାଇନାହିଁ।

ଭାରତ (ସମ୍ଭାବ୍ୟ ଏକାଦଶ): ଶିଖର ଧାୱନ୍‌ (ଅଧିନାୟକ), ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଡା, ସଞ୍ଜୁ ସାମ୍‌ସନ (ୱିକେଟ୍‌ରକ୍ଷକ), ଶାର୍ଦୁଳ ଠାକୁର, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ/ରବୀନ୍ଦ୍ର ଜାଦେଜା, ଆୱେଶ ଖାନ୍‌/ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ।

ୱେଷ୍ଟଇଣ୍ଡିଜ (ସମ୍ଭାବ୍ୟ ଏକାଦଶ): ସାଇ ହୋପ୍‌ (ଉପଅଧିନାୟକ), କାଇଲ ମାୟର୍ସ, ସାମରା ବ୍ରୁକ୍ସ/ କିସି କାର୍ଟି, ବ୍ରେଣ୍ଡନ କିଙ୍ଗ୍‌, ନିକୋଲାସ ପୂରନ (ଅଧିନାୟକ), ରୋଭ୍‌ମାନ ପାୱେଲ, ଅକିଲ ହୋସେନ, ରୋମାରିଓ ସେଫର୍ଡ/କିମୋ ପଲ୍‌, ଅଲ୍‌ଜେରି ଯୋସେଫ୍‌, ଜୟଦେନ୍‌ ସିଲ୍ସ, ହେଡେନ୍‌ ୱାଲ୍‌ସ।

୩୯ବର୍ଷର ପ୍ରତୀକ୍ଷା
କୁଇନ୍ସ ପାର୍କ ଓଭାଲରେ ବୁଧବାର ମ୍ୟାଚ୍‌କୁ ଯଦି ଭାରତ ଜିତିଯାଏ ତେବେ ଏକ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିବ। ଏଥି ପାଇଁ ଭାରତ ୩୯ ବର୍ଷର ପ୍ରତୀକ୍ଷାରେ ରହିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ମାଟିରେ ଅନ୍ୟୁନ ୩ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ କେବେ ମୂଳପୋଛ ବିଜୟ ହାସଲ କରିନାହିଁ। ଏହି କାରବୀୟ ଦେଶରେ ଭାରତ ୧୯୮୩ରୁ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳୁଥିଲେ ମଧ୍ୟ ଅନ୍ୟୁନ ୩-୦ରେ କେବେ ଜିତିପାରିନାହିଁ। ଗତ ଥର ଭାରତ ପାଇଁ ଏହି ସ‌ୁଯୋଗ ପାଇଥିଲେ ମଧ୍ୟ ବର୍ଷା କାରଣରୁ ତୃତୀୟ ଦିନିକିଆ ଧୋଇଯିବାରୁ ଭ୍ରମଣକାରୀ ଦଳକୁ ୨-୦ରେ ସନ୍ତୁଷ୍ଟ‌ ହେବାକୁ ପଡିଥିଲା। ଅନ୍ୟପକ୍ଷରେ ଭାରତ ପାଇଁ ମଧ୍ୟ ଏହା ଗୋଟିଏ କ୍ୟାଲେଣ୍ଡର୍‌ ବର୍ଷରେ ଗୋଟିଏ ଦଳ ବିପକ୍ଷରେ ଯୁଗଳ ଶୃଙ୍ଖଳା ବିଜୟର ସୁଯୋଗ ରହିଛି। ପୂର୍ବରୁ ମାତ୍ର ୨ ଦେଶ ଜିମ୍ବାୱେ ଏବଂ ବାଂଲାଦେଶ ଏଭଳି କରିପାରିଥିଲେ। ଜିମ୍ବାୱେ ବାଂଲାଦେଶକୁ ଘରେ ୪-୦ ଏବଂ କେନିଆରେ ୩-୦ରେ ପରାସ୍ତ କରିଥିଲା। ସେହିଭଳି ୨୦୦୬ର କେନିଆ ବିପକ୍ଷରେ ବାଂଲାଦେଶ ଘରେ ଓ ବାହାରେ ସମାନ ୩-୦ରେ ଜିତିଥିଲା। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ୨୫ ଥର ମୂଳପୋଛ ପରାଜୟର ଦ୍ବାରଦେଶରେ ପହଞ୍ଚିଥିଲେ ମଧ୍ୟ ମାତ୍ର ୩ ଥର ଶେଷ ମ୍ୟାଚ୍‌‌ରେ ଏହାକୁ ଏଡ଼ାଇବାରେ ସକ୍ଷମ ହୋଇଛି। ତଥାପି ୱେଷ୍ଟଇଣ୍ଡିଜ୍‌ ମୋଟ ୨୨ ଥର ମୂଳପୋଛ ପରାଜୟ ଳଭିଥିଲା ବେଳେ ସେଥିରୁ ୭ ଥର ଘରୋଇ ମାଟିରେ ଭୋଗିଛି।

ସମ୍ବନ୍ଧିତ ଖବର