ନୂଆଦିଲ୍ଲୀ: ଆଗାମୀ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ବୁଧବାର ଦ୍ୱିତୀୟ ପର୍ଯ୍ୟାୟରେ ୨୦୦ ଜଣିଆ ଭାରତୀୟ ଦଳ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ୍ରେ ପାଦଥାପିଛି। ଆସନ୍ତା ମାସ ୪ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯେଗିତା ଆୟୋଜିତ ହେବ। ଆଗୁଆ ପ୍ରସ୍ତୁତି ଏବଂ ଅଷ୍ଟ୍ରେଲିଆ ପରିବେଶ ସହ ଖାପଖୁଆଇବା ପାଇଁ ପୂର୍ବରୁ କିଛି ଖେଳାଳି ସେଠାରେ ପହଞ୍ଚି ଅଭ୍ୟାସ ଚଳାଇଛନ୍ତିି।
ସୂଚନାଯୋଗ୍ୟ, ଭାରତୀୟ ଅଲିମ୍ପିକ୍ ସଂଘ ୨୨୧ ଜଣ ଖେଳାଳିଙ୍କ ସମେତ ୩୨୫ ଜଣଙ୍କୁ ଗୋଲ୍ଡକୋଷ୍ଟ ପଠାଇଛି। ଏହି ବୃହତ୍ ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ାବିତ୍ମାନେ ୧୫ ଭିନ୍ନ ଭିନ୍ନ କ୍ରୀଡ଼ା ଶୃଙ୍ଖଳରେ ପ୍ରତିନିଧିତ୍ୱ କରିବେ। ଜଳକ୍ରୀଡ଼ା, ଦୌଡ଼କୁଦ, ବ୍ୟାଡ୍ମିଣ୍ଟନ, ବାସ୍କେଟ୍ବଲ୍, ମୁଷ୍ଟିଯୁଦ୍ଧ, ସାଇକେଲଚାଳନା, ଜିମ୍ନାଷ୍ଟିକ୍ସ, ହକି, ଲନ୍ ବାଉଲ୍ସ, ବନ୍ଧୁକଚାଳନା, ସ୍କ୍ଵାସ୍, ଟେବୁଲ ଟେନିସ୍, ଭାରୋତ୍ତୋଳନ, କୁସ୍ତି ଓ ଦିବ୍ୟାଙ୍ଗ କ୍ରୀଡ଼ାରେ ଭାରତ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହି ଭାରତୀୟ ଦଳରେ ଓଡ଼ିଶାରୁ ୭ ଜଣ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରେ ମହିଳା ହକିରେ ୪ ଓ ପୁରୁଷ ହକିରେ ଜଣେ ସ୍ଥାନ ପାଇଥିଲା ବେଳେ ମହିଳା ହେପ୍ଟାଥଲନ୍ରେ ପୂର୍ଣ୍ଣିମା ହେମ୍ବ୍ରମ୍ ଏବଂ ମହିଳା ଭାରୋତ୍ତୋଳନରେ ସରସ୍ୱତୀ ରାଉତ ଏବଂ ଜିମ୍ନାଷ୍ଟିକ୍ସରେ ରାକେଶ କୁମାର ପାତ୍ର ଗୋଲ୍ଡକୋଷ୍ଟ ଯାତ୍ରା କରିଛନ୍ତି।