ଅଷ୍ଟ୍ରେଲିଆ ଗଲେ କୋହଲି ସେନା

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଦୁଇ ମାସିଆ ଅଷ୍ଟ୍ରେଲିଆ ଗସ୍ତ ନେଇ ଶୁକ୍ରବାର ସ୍ବଦେଶ ଛାଡ଼ିଛି। ଏହି ଗସ୍ତରେ ଭାରତୀୟ ଦଳ ୩ ଟ୍ବେଣ୍ଟି-୨୦, ୪ ଟେଷ୍ଟ୍ ଏବଂ ୩ ଦିନିକିଆ ଅନ୍ତର୍ଜାତୀୟ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଅଷ୍ଟ୍ରେଲିଆରେ କେବେ ବି ଭାରତ ଟେଷ୍ଟ୍ ଶୃଙ୍ଖଳା ଜିତିନ ଥିବାରୁ ଏହି ଗସ୍ତ ମଧ୍ୟ ଆଉ ଏକ ଅଗ୍ନୀ ପରୀକ୍ଷା ଭଳି ହେବ। ଅନ୍ୟପକ୍ଷରେ ବଲ୍‌ ବିକୃତ ବିବାଦରେ ଫସି ଷ୍ଟିଭେନ୍ ସ୍ମିଥ ଏବଂ ଡେଭିଡ୍ ୱାର୍ନର ନିଲମ୍ବିତ ଥିବାରୁ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ନଭେମ୍ବର ୨୧ ତାରିଖରୁ ଟେଷ୍ଟ୍ ଶୃଙ୍ଖଳା ବ୍ରିସ୍‌ବେନରୁ ଆରମ୍ଭ ହେଉଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାରେ ଭାରତ ଟେଷ୍ଟ୍‌କୁ ୨-୦ରେ, ଦିନିକିଆକୁ ୩-୧ରେ ଏବଂ ଟ୍ବେଣ୍ଟି-୨୦କୁ ୩-୦ରେ ଜିତିଥିଲେ ବି ଏବେ ନୂଆ ରାଇଜରେ ନୂଆ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛି। ଶେଷ ଦୁଇ ବିଦେଶ ଗସ୍ତରେ କୋହଲିଙ୍କ ଦଳ ୧-୨ରେ ଦକ୍ଷିଣ ଆଫ୍ରିକାଠାରୁ ଏବଂ ୧-୪ରେ ଇଂଲଣ୍ଡଠାରୁ ହାରିଥିଲା।

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ନିଜ ଦଳ ସଦସ୍ୟଙ୍କୁ ଖେଳରେ ନିଜ ଚରିତ୍ର ଦେଖାଇବାକୁ ଆହ୍ବାନ କରିଛନ୍ତି। ବୋଲିଂରେ ଆମେ ୨୦ ୱିକେଟ୍‌ ଦେବାକୁ ଦକ୍ଷ, କିନ୍ତୁ ବ୍ୟାଟିଂରେ ତୁମକୁ ଏକାଠି ଖେଳିବାର ଅଛି। ନିମ୍ନକ୍ରମରେ ନିର୍ଭୟ ବ୍ୟାଟିଂର ପରାମର୍ଶ ଦେଇଛନ୍ତି କୋହଲି। ଆମକୁ କଣ କରିବାକୁ ପଡ଼ିବ ବୁଝିସାରିଛୁ ବୋଲି ସେ କହିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆରେ ପଡ଼ିଆ ଭିତରେ ହେଉଥିବା ସ୍ଲେଜିଂ ତଥା ବାକ୍ୟ ବିନିମୟ ସମ୍ପର୍କରେ କୋହଲି କହିଛନ୍ତି ‘ମୋ ଖେଳ ଜୀବନର ପ୍ରାରମ୍ଭିକ ଦିନଗୁଡ଼ିକରେ ମୁଁ ଅପରିପକ୍ବ ଥିଲି, ଏବେ କିନ୍ତୁ ଏଭଳି କୌଣସି କଥା ଆମ ଏକାଗ୍ରତାକୁ ବିଗାଡ଼ିପାରିବ ନାହିଁ।’

ସମ୍ବନ୍ଧିତ ଖବର