ପାଲେମ୍ବାଙ୍ଗ୍: ଇଣ୍ଡୋନେସିଆରେ ଆଉ ଗୋଟିଏ ଦିନ ପରେ ଆରମ୍ଭ ହେବ ଏସୀୟ କ୍ରୀଡ଼ାର ଅଷ୍ଟାଦଶ ସଂସ୍କରଣ। ଦୁଇ ଦିନ ତଳେ ଭାରତୀୟ ହକି ଓ କୁସ୍ତି ଦଳ ଜାକର୍ତା ପହଞ୍ଚିଥିଲା ବେଳେ ଗୁରୁବାର ଟେନିସ୍ (ଉଭୟ ପୁରୁଷ ଓ ମହିଳା) ଦଳ ପାଲେମ୍ବାଙ୍ଗ୍ରେ ପହଞ୍ଚିଯାଇଛି। ତେବେ ପୁରୁଖା ଖେଳାଳି ତଥା ୧୮ ଥର ଗ୍ରାଣ୍ଡ୍ସ୍ଲାମ୍ ବିଜେତା ଲିଆଣ୍ଡର ପେସ୍ ଅପ୍ରତ୍ୟାଶିତ ଭାବେ ଓହରିଯିବା ଭାରତକୁ ଅଡୁଆରେ ପକାଇଛି। ଜଣେ ଯୁଗଳ ବିଶେଷଜ୍ଞଙ୍କୁ ସାଥୀ ଭାବେ ନ ପାଇବାରୁ ପେସ୍ ଓହରିଯାଇଛନ୍ତି। ‘ବାରମ୍ବାର ଅନୁରୋଧ କରିବା ସତ୍ୱେ ମୋତେ ଜଣେ ବିଶେଷଜ୍ଞ ଯୁଗଳ ଖେଳାଳି ଦିଆଗଲା ନାହିଁ। ଏଥି ପାଇଁ ମୁଁ ଇଣ୍ଡୋନେସିଆରେ ଖେଳିବି ନାହିଁ’ ବୋଲି ପେସ୍ ଗୁରୁବାର ଏକ ବିବୃତି ଜାରି କରିଛନ୍ତି। ସୁମିତ ନଗଲଙ୍କୁ ପେସ୍ଙ୍କ ସହ ସାଥୀ କରି ଖେଳିବାକୁ କୁହାଯାଇଥିଲା। ନାଗଲ ଅତି ଖରାପ ଫର୍ମରେ ରହିଛନ୍ତି। ନିଜର ପ୍ରଥମ ୯ ପେସାଦାର ସର୍କିଟର ପ୍ରଥମ ରାଉଣ୍ଡ୍ରେ ସେ ହାରିଛନ୍ତି। ଅନ୍ୟପକ୍ଷରେ ରୋହନ ବୋପାନ୍ନା ଓ ଦିବିଜ୍ ଶରନ୍ ଏକାଠି ଖେଳିବାକୁ ଆଇଟା ସ୍ଥିର କରିଛି। ଏବେ ପେସ୍ ଓହରିଯିବାରୁ ନାଗଲ ଓ ରାମକୁମାର ରାମନାଥନ୍ ଭାରତର ଦ୍ୱିତୀୟ ଯୁଗଳ ଯୋଡ଼ି ହେବା ନିଶ୍ଚିତ ହୋଇଛି। ଶେଷ ଥର ପାଇଁ ପେସ୍ ୨୦୦୬ରେ ଏସୀୟ କ୍ରୀଡ଼ାରେ ଖେଳିଥିଲେ। ୪୫ ବର୍ଷ ବୟସ୍କ ପେସ୍ ଏସୀୟ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରି ଟେନିସ୍ରୁ ଅବସର ନେବାର ଲକ୍ଷ୍ୟ ରଖିଥିଲେ। ୧୯୯୪ ହିରୋସୀମା ସଂସ୍କରଣରୁ ଆରମ୍ଭ କରି ଏପର୍ଯ୍ୟନ୍ତ ସେ ଏସୀୟ କ୍ରୀଡ଼ାରେ ୫ ସ୍ୱର୍ଣ୍ଣ ପଦକ ସହ ୮ ପଦକ ନିଜ ନାମରେ କରିଛନ୍ତି। ଭାରତ ମଧ୍ୟ ଗତ ୨୦୧୪ ସଂସ୍କରଣରେ ଟେନିସ୍ରୁ ୫ ପଦକ (ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ସାଙ୍ଗକୁ ୩ କାଂସ୍ୟ) ଜିତିଥିଲା। ଶେଷଥର ପାଇଁ ପେସ୍ଙ୍କୁ ପଚାରିବାରେ ସେ ସିନ୍ସିନାଟିରେ ଖେଳିବା ପରେ ପାଲେମ୍ବାଙ୍ଗ୍ ପହଞ୍ଚିବେ ବୋଲି ଭାରତୀୟ ଦଳର ଅଧିନାୟକ ଓ ପ୍ରଶିକ୍ଷକ ଜୀସାନ୍ ଅଲ୍ଲୀ କହିଥିଲେ। କିନ୍ତୁ ପେସ୍ ସିନ୍ସିନାଟିରେ ଖେଳିନଥିବା ଜଣାପଡ଼ିଥିଲା। ପାଲେମବାଙ୍ଗ୍ ନ ଆସି ଏବେ ଓହରିଯାଇଥିବା ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି।
ଓହରିଗଲେ ପେସ୍
ଭାରତୀୟ ଟେନିସ୍ ଦଳ ପାଲେମ୍ବାଙ୍ଗ୍ ପହଞ୍ଚିଲା