କୋଲକାତା: ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର କହିଛନ୍ତି, ଅଷ୍ଟ୍ରେଲିଆ ବିପକ୍ଷରେ ଶନିବାର ହେବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ର ଦାବିଦାର ହେଉଛି ଭାରତ। ନ୍ୟୁଜିଲାଣ୍ଡରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ୨୦୩ ରନ୍ରେ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଫେବ୍ରୁଆରି ୩ରେ ଭାରତର ଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ସହିତ ହେବ।
ଗାଙ୍ଗୁଲି କହିଛନ୍ତି, ଭାରତୀୟ ୧୯ ବର୍ଷରୁ କମ୍ ଟିମ୍ ଭଲ ପ୍ରଦର୍ଶନ କରୁଛି। ଟିମ୍ରେ ପୃଥ୍ଵୀ ସ, ଶୁଭମାନ ଗିଲ୍, କମଲେଶ ନାଗରକୋଟି, ଶିଭବ ମାଭି ଓ ଈଶାନ ପୋରେଲଙ୍କ ଭଳି ଉଦିୟମାନ ଖେଳାଳି ଅଛନ୍ତି। ଆମ ବୋର୍ଡର ସଦସ୍ୟମାନେ ୧୯ ବର୍ଷରୁ କମ୍ ଓ ବରିଷ୍ଠ ଖେଲାଳିଙ୍କୁ ପ୍ରସ୍ତୁତ କରିବାରେ ବହୁତ ସମୟ ଦେଇଛନ୍ତି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗାଙ୍ଗୁଲି କହିଛନ୍ତି, ଆପଣ ଭିତ୍ତିଭୂମି ବିନା ଖେଳାଳିଙ୍କୁ ପ୍ରସ୍ତୁତ କରିପାରିବେ ନାହିଁ। ବ୍ୟବସ୍ଥା କରିବା ପାଇଁ ଆମ ପାଖକୁ ସମୟ ଆସିଛି। ଆଗାମୀ ୫ବର୍ଷରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବ୍ୟତୀତ ଭାରତୀୟ କ୍ରିକେଟ ବିଶ୍ୱରେ ସର୍ବଶ୍ରେଷ୍ଠ ହେବ।
ଭାରତୀୟ ବରିଷ୍ଠ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳାରେ ସମ୍ଭାବନାକୁ ନେଇ ଆଶାବାଦୀ ଦେଖାଯାଉଛନ୍ତି। ଗାଙ୍ଗୁଲି କହିଛନ୍ତି, ଜୋହାନେସବର୍ଗ ଟେଷ୍ଟରେ ଭାରତର ବିଜୟ ପରେ ଭାରତ ଭଲ ଫର୍ମକୁ ଆସିଛି। ଏବି ଡିଭିଲିୟର୍ସ ଖେଳୁ ନଥିବାରୁ ଦକ୍ଷିଣ ଆଫ୍ରିକାକୁ କଠିନ ହେବ।