ସଂଦେହ ଦୂର କଲେ ଜୟ ଶାହା, ଭାରତୀୟ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ

ମୁମ୍ବାଇ : ଓମିକ୍ରନ ଆତଙ୍କ ମଧ୍ୟରେ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ଯେଉଁ ସଂଦେହ ଦେଖାଯାଇଥିଲା ତାହାକୁ ଦୂର କରିଛନ୍ତି ବିସିସିଆଇ ସଚିବ ଜୟ ଶାହା । ସେ କହିଛନ୍ତି ଯେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରି ସେଠାରେ ୩ଟି ଟେଷ୍ଟ ଓ ୩ଟି ଏକଦିବସୀୟ ଖେଳିବ । କିନ୍ତୁ ୪ଟି ଟି-୨୦ ମ୍ୟାଚ ପରବର୍ତ୍ତୀ ଏକ ସମୟରେ ଖେଳାଯିବ । ତେବେ କେବେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଯିବ ସେ ସମ୍ପର୍କରେ ସେ ସୂଚନା ଦେଇ ନାହାନ୍ତି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଭାରତୀୟ ଦଳ  ନ୍ୟୁଜିଲାଣ୍ଡ ସହ ଖେଳାଯାଉଥିବା ୨ୟ ଟେଷ୍ଟର କିଛି ଦିନ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତା ଓ ଡିସେମ୍ବର ୧୭ ତାରିଖରେ ଜୋହାନ୍ସବର୍ଗଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥାନ୍ତା । କିନ୍ତୁ ଏବେ ଏହି କାର୍ଯ୍ୟସୂଚୀ ଟିକିଏ ବିଳମ୍ବ ହେବାର ସମ୍ଭାବନା ରହିଛି ।

ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କଲେ ଖେଳାଳିମାନଙ୍କୁ କଠୋର ବାୟୋବବଲ ମଧ୍ୟରେ ରଖାଯିବ । ଓମିକ୍ରନ ଆତଙ୍କ ଦୃଷ୍ଟିରୁ କଟକଣାକୁ ଆହୁରି କଡ଼ାକଡ଼ି କରାଯିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକାରେ କରୋନା ଭୁତାଣୁର ନୂଆ ପ୍ରଜାତି ଓମିକ୍ରନ ଚିହ୍ନଟ ହେବା ପରେ ସମଗ୍ର ବିଶ୍ବରେ ଆତଙ୍କ ଖେଳିଯାଇଛି । ଏହି ପ୍ରଜାତି ସବୁଠାରୁ ଅଧିକ ବେଗରେ ସଂକ୍ରମିତ ହେଉଥିବାରୁ ଚିନ୍ତା ପ୍ରକାଶ ପାଇଛି ।

 

 

ସମ୍ବନ୍ଧିତ ଖବର