ନୂଆଦିଲ୍ଲୀ: ଏସିଆ କପ୍ରେ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ସୃଷ୍ଟି ହୋଇଥିବା ସଂଶୟ ଦୂର ହୋଇଛି। ଭାରତ ପୂର୍ବଭଳି ପାକିସ୍ତାନ ସହିତ କୌଣସି ଦ୍ବିପାକ୍ଷିକ କ୍ରୀଡ଼ା ସଂପର୍କ ରଖିବ ନାହିଁ, କିନ୍ତୁ କୌଣସି ବହୁରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଏହା ପାକିସ୍ତାନ ସହ ଖେଳିବାରେ କିଛି ସମସ୍ୟା ନାହିଁ ବୋଲି କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଏକ ଜାତୀୟ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ପ୍ରତିକ୍ରିୟାରେ କ୍ରୀଡ଼ା ମନ୍ତ୍ରଣାଳୟ ଉପରୋକ୍ତ ସ୍ପଷ୍ଟୀକରଣ ରଖିବା ପରେ ଏସିଆ କପ୍ରେ ପାକିସ୍ତାନ ସହ ଭାରତ ମ୍ୟାଚ୍ ଖେଳିବ ବୋଲି ସ୍ପଷ୍ଟ ହୋଇଛି। ୨୦୧୨-୧୩ ମସିହାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍ ସଂପର୍କ ବନ୍ଦ ରହିଛି। ଉଭୟ ଦେଶ ପରସ୍ପରର ମାଟିରେ ବା ବିଦେଶର ନିରପେକ୍ଷ ସ୍ଥାନରେ କୌଣସି ଦ୍ବିପାକ୍ଷିକ କ୍ରିକେଟ୍ ସିରିଜ୍ ଖେଳି ନାହାନ୍ତି। ଏହି ସ୍ଥିତି ଆଗକୁ ମଧ୍ୟ ଜାରି ରହିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ପାକିସ୍ତାନ ସହ ଭାରତ କ୍ରିକେଟ୍ ବା ଅନ୍ୟ କୌଣସି କ୍ରୀଡ଼ାରେ ଦ୍ବିପାକ୍ଷିକ ଶୃଂଖଳା ଖେଳିବ ନାହିଁ। କିନ୍ତୁ ଆଇସିସି ବା ଅନ୍ୟ କୌଣସି ବହୁରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ସରକାର ଭାରତୀୟ ଦଳକୁ ପାକିସ୍ତାନ ବିପକ୍ଷରେ ଖେଳିବାରୁ ରୋକିବେ ନାହିଁ। କାରଣ ଆମେ ଅଲିମ୍ପିକ୍ ଚାର୍ଟର୍ ପାଳନ କରିବୁ ବୋଲି ମନ୍ତ୍ରଣାଳୟ ତରଫରୁ ଅଧିକାରୀ ଜଣକ କହିଛନ୍ତି।
ଭାରତୀୟ ଦଳଗୁଡ଼ିକୁ କୌଣସି ବହୁପାକ୍ଷିକ ପ୍ରତିଯୋଗିତା ପାଇଁ ପାକିସ୍ତାନ ଯାତ୍ରା କରିବାକୁ ଅନୁମତି ଦିଆଯିବ କି ନାହିଁ ବୋଲି ପଚରାଯିବାରୁ, ଅଧିକାରୀ ଜଣକ କହିଛନ୍ତି ‘ସେହି ପରିସ୍ଥିତିରେ, ଆମେ କିଛି ନିଷ୍ପତ୍ତି ନେବା ପୂର୍ବରୁ ପରିସ୍ଥିତିର ଆକଳନ ଓ ଯାଞ୍ଚ କରିବୁ। ବହୁପାକ୍ଷିକ ଇଭେଣ୍ଟ୍ ହୋଇଥିଲେ ବି, ଆମେ ଆମର ଖେଳାଳିଙ୍କୁ ସେଠାକୁ ନିଶ୍ଚିନ୍ତରେ ପଠାଇପାରିବୁ ନାହିଁ। କାରଣ ପାକିସ୍ତାନ ଏଭଳି ଏକ ଦେଶ ଯାହା ନିଜକୁ ଏକ ଡମ୍ପ୍ ଟ୍ରକ୍ ବୋଲି ଘୋଷଣା କରିବାରେ କୌଣସି ଦ୍ୱିଧା ପ୍ରକାଶ କରେ ନାହିଁ ଏବଂ ଭାରତକୁ ଚମକୁଥିବା ମର୍ସିଡିଜ୍ ଭାବି ଧକ୍କା ଦେଇପାରେ’ ବୋଲି ସେ କହିଛନ୍ତି। ତେବେ ଭାରତର ନୂତନ କ୍ରୀଡ଼ା ନୀତି ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ କ୍ରୀଡ଼ା ସଂପର୍କକୁ କୌଣସି ପରିସ୍ଥିତିରେ ଅନୁମତି ଦେଉ ନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
ମୁମ୍ବାଇ: ଏସିଆ କପ୍ରେ ପାକିସ୍ତାନ ସହ ଭାରତ ଖେଳିବା ଉଚିତ କି ନୁହେଁ, ସେ ପ୍ରସଂଗରେ ବିତର୍କ ସରଗରମ ହେବାରେ ଲାଗିଛି। ଟୁର୍ନାମେଣ୍ଟ ପୂର୍ବରୁ ଏହି ପ୍ରସଂଗ ଚର୍ଚ୍ଚାର ଏକ ପ୍ରମୁଖ ବିନ୍ଦୁ ପାଲଟିଛି। ସମ୍ପ୍ରତି, ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ଭାରତୀୟ କିଂବଦନ୍ତିମାନେ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ (ଡବ୍ଲୁସିଏଲ୍)ରେ ପାକିସ୍ତାନ ବିପକ୍ଷରେ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କିଛିଲୋକ ଏସିଆ କପ୍ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସପକ୍ଷରେ ଅଛନ୍ତି। ଏହା ଏକ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟର ଅଂଶ ଓ ଏଥିସହିତ ଏକ ସମ୍ମାନଜନକ ଟାଇଟଲ୍ ଜଡ଼ିତ ଅଛି। ତେଣୁ ଏଥିରେ ପାକିସ୍ତାନ ସହ ଖେଳାଯିବାରେ ଅସୁବିଧା ନାହିଁ ବୋଲି ସେମାନେ ମତ ଦିଅନ୍ତି। ହେଲେ, ଏକ ବଡ଼ ଗୋଷ୍ଠୀ ଏହାକୁ ବୟକଟ କରିବା ପାଇଁ ସମାନ ଭାବରେ ଆହ୍ୱାନ ଦେଇଛନ୍ତି। ଗତ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ପରବର୍ତ୍ତୀ ସମୟରେ ମେ’ ମାସରେ ଭାରତର ‘ଅପରେସନ୍ ସିନ୍ଦୁର’ ରୂପରେ ପାକିସ୍ତାନ ସହ ସଂକ୍ଷିପ୍ତ ଯୁଦ୍ଧ ପରିପ୍ରେକ୍ଷୀରେ ଶତ୍ରୁଦେଶ ବିପକ୍ଷରେ ଖେଳିବାକୁ ଅନେକେ ନାପସନ୍ଦ କରିଛନ୍ତି।
ଭାରତ-ପାକିସ୍ତାନ ମ୍ୟାଚ୍ ବିଷୟରେ ଏକ ସାକ୍ଷାତକାରରେ ପୂର୍ବତନ କ୍ରିକେଟର୍ ସୁରିନ୍ଦର ଖାନ୍ନା କହିଛନ୍ତି, ମ୍ୟାଚ୍ ଖେଳିବା କଥା ହେଉଛି ସରକାରଙ୍କ ନିଷ୍ପତ୍ତି। ମୁଁ ଏହା ଉପରେ କହିବା ପାଇଁ ବହୁତ ଛୋଟ ବ୍ୟକ୍ତି। ଜଣେ ଖେଳାଳି ଭାବରେ କହିବି, କ୍ରୀଡ଼ା ରହିବା ଉଚିତ। କିନ୍ତୁ ସେହି ସମୟରେ, ମୁଁ ଅନୁଭବ କରେ ଯେ ସୀମାରେ ରକ୍ତପାତ ମଧ୍ୟ ବନ୍ଦ ହେବା ଦରକାର। ‘ବହୁତ ହୋଇଗଲା’ ବୋଲି ସୁରିନ୍ଦର ମତ ରଖିଛନ୍ତି। ‘ତେବେ ଆଇସିସି ବା ବହୁରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଏକ ଟାଇଟଲ୍ ବାଜିରେ ଲାଗୁଥିବାରୁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ବୁଝାପଡ଼ୁଛି। କିନ୍ତୁ ଉଭୟ ପାର୍ଶ୍ବରେ ସୀମାରେ ନିର୍ଦ୍ଦୋଷ ଲୋକଙ୍କ ହତ୍ୟା ବନ୍ଦ ହେବା ଦରକାର’ ବୋଲି ସେ କହିଛନ୍ତି।