୨୬ରୁ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ, ବିସିସିଆଇର ନିଷ୍ପତ୍ତି

ଆଇପିଏଲ ପ୍ରଶାସନିକ ପରିଷଦରେ ସ୍ଥାନପାଇଲେ ପ୍ରଜ୍ଞାନ ଓଝା

କୋଲକାତା : ଆସନ୍ତା ଡିସେମ୍ବର ୨୬ରୁ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ ହେବ । ଏ ନେଇ ବିସିସିଆଇ ସ୍ପଷ୍ଟ କରିଛି । ଆଜି କୋଲକାତାଠାରେ ଅନୁଷ୍ଠିତ ବିସିସିଆଇର ୯୦ତମ ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ନିଆଯାଇଥିବା ଆଉ ଏକ ନିଷ୍ପତ୍ତି ଅନୁସାରେ  ଓଡ଼ିଆ କ୍ରିକେଟ ଖେଳାଳି ପ୍ରଜ୍ଞାନ ଓଝାଙ୍କୁ ଆଇପିଏଲ ପ୍ରଶାସନିକ ପରିଷଦ ବା ଗଭର୍ଣ୍ଣିଂ କାଉନସିଲରେ ସ୍ଥାନ ମିଳିଛି । ଭାରତୀୟ କ୍ରିକେଟର୍ସ ଆସୋସିଏସନର ପ୍ରତିନିଧିଭାବେ ତାଙ୍କୁ ଏଥିରେ ସ୍ଥାନ ଦିଆଯାଇଛି ।

ଏହି ଗସ୍ତରେ ଭାରତୀୟ ଦଳ ୩ଟି ଟେଷ୍ଟ ଓ ୩ଟି ଏକଦିବସୀୟ ଖେଳିବ । କିନ୍ତୁ ୪ଟି ଟି-୨୦ ମ୍ୟାଚ ଆସନ୍ତା ବର୍ଷ ଖେଳାଯିବ ।  ଡିସେମ୍ବର ୨୬ରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ମଧ୍ୟ ଘୋଷଣା କରିଥିଲା ଯେ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ ହେବ ନାହିଁ ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଭାରତୀୟ ଦଳ  ନ୍ୟୁଜିଲାଣ୍ଡ ସହ ଖେଳାଯାଉଥିବା ୨ୟ ଟେଷ୍ଟର କିଛି ଦିନ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତା ଓ ଡିସେମ୍ବର ୧୭ ତାରିଖରେ ଜୋହାନ୍ସବର୍ଗଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥାନ୍ତା ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକାରେ କରୋନା ଭୁତାଣୁର ନୂଆ ପ୍ରଜାତି ଓମିକ୍ରନ ଚିହ୍ନଟ ହେବା ପରେ ସମଗ୍ର ବିଶ୍ବରେ ଆତଙ୍କ ଖେଳିଯାଇଛି । ଏଥିପାଇଁ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟକ୍ରମକୁ ନେଇ ସଂଦେହ ଦେଖାଯାଇଥିଲା । ତେବେ ଏହି ଗସ୍ତ ପାଇଁ ଭାରତ ସରକାରଙ୍କ ଅନୁମତି ଆବଶ୍ୟକ ହେବ । କାରଣ ପୂର୍ବରୁ ଏ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ ସୂଚନା ଦେଇସାରିଛନ୍ତି ।

 

ସମ୍ବନ୍ଧିତ ଖବର