ନୂଆଦିଲ୍ଲୀ: ଟୋକିଓ ଓ ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିବା ପରେ ଭାରତୀୟ ଦଳ ଏବେ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ଉପରେ ନଜର ରଖିଛି। ତେବେ ଲଗାତାର ଦୁଇଥର କାଂସ୍ୟ ଜିତି ଭାରତ ତାହାର ଭିତ୍ତି କେତେ ମଜବୁତ୍ ତାହା ଜଣାଇଦେଇଛି। ୪ ବର୍ଷ ପରେ ଭାରତ ନିଶ୍ଚିତ ସ୍ବର୍ଣ୍ଣ ପଦକ ଜିତିବ ବୋଲି ସ୍ବିଜରଲାଣ୍ଡର ପ୍ରଖ୍ୟାତ ଅନୁସନ୍ଧାନକାରୀ ତଥା ଦୁଃସାହସିକ କ୍ରୀଡ଼ା ପ୍ରଶିକ୍ଷକ ମାଇକ୍ ହର୍ଣ୍ଣ ଆଶା ରଖିଛନ୍ତି। ସ୍ବିଜରଲାଣ୍ଡର ଆଲ୍ପସ୍ଠାରେ ଭାରତୀୟ ଦଳର ତିନିଦିନିଆ ମାନସିକ ଦୃଢ଼ତା ଶିବିରରେ ମାଇକ୍ ସମସ୍ତ ଖେଳାଳିଙ୍କ ସହ ନିକଟତର ହୋଇପାରିଥିଲେ। ତେଣୁ ଖେଳାଳିମାନଙ୍କ ନିଷ୍ଠା ଓ ଖେଳିବା ବେଳେ ସେମାନଙ୍କର ଏକାଗ୍ରତାକୁ ପରଖିବା ପରେ ମାଇକ୍ କହିଛନ୍ତି, ଯେଉଁ କାଂସ୍ୟ ପଦକ ଭାରତ ଜିତିଛି ତାହା ଖେଳାଳିମାନଙ୍କର ସମର୍ପଣ ଭାବନାର ପ୍ରତିବିମ୍ବ ଏବଂ ମୁଁ ବିଶ୍ବାସ କରେ କି ଭବିଷ୍ୟତ ସଫଳତା ପାଇଁ ସେମାନଙ୍କର ଏକ ମଜବୁତ୍ ଭିତ୍ତି ସ୍ଥାପନ ହୋଇସାରିଛି। ଏପରିକି ପରବର୍ତ୍ତୀ ଅଲିମ୍ପିକ୍ସରେ ସେମାନେ ନିଶ୍ଚୟ ସ୍ବର୍ଣ୍ଣ ଜିତିବେ ବୋଲି ମାଇକ୍ ଏକ ସାକ୍ଷାତକାରରେ କହିଛନ୍ତି।
ମାଇକ୍ କହିଛନ୍ତି, ଦଳର ପ୍ରଦର୍ଶନ ଉଚ୍ଚକୋଟିର ଥିଲା। ଏପରିକି ଭାରତ ସ୍ବର୍ଣ୍ଣ ପଦକର ଖୁବ୍ ନିକଟତର ହୋଇଯାଇଥିଲା। ପ୍ରତିଯୋଗିତାସାରା ଖେଳାଳିମାନେ ଉଲ୍ଲେଖନୀୟ ଦକ୍ଷତା, ରଣନୀତି ଓ ମାନସିକ ଦୃଢ଼ତାର ପରିପ୍ରକାଶ କରିଛନ୍ତି। ତଥାପି ଅଲିମ୍ପିକ୍ସରେ ପଦକ ଜିତିବା ଏକ ଗୁରୁତ୍ବପୂର୍ଣ୍ଣ ସଫଳତା। ପ୍ୟାରିସ୍ ଅଭିଯାନ ଆରମ୍ଭରୁ ସେମାନଙ୍କ ଖେଳକୁ ଟିକିନିଖି ଭାବେ ଦେଖିଛି। ସେମାନଙ୍କ ସହନଶୀଳତା ଓ ଚାପକୁ ପରିଚାଳନା କରିବାର ଦକ୍ଷତାରେ ମୁଁ ଅତ୍ୟନ୍ତ ପ୍ରଭାବିତ। ସେମାନଙ୍କ ପାଖରେ ଗର୍ବ କରିବା ପାଇଁ ବହୁତ କିଛି ଅଛି ଓ ଏହି ଯାତ୍ରାର ଏକ ଛୋଟିଆ ଅଂଶ ହୋଇପାରିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି ବୋଲି ମାଇକ୍ କହିଛନ୍ତି। ଭାରତୀୟ ଖେଳାଳିଙ୍କ ସହ ମାଇକ୍ଙ୍କ ମାନସିକ ଦୃଢ଼ତା ଶିବିରରେ ଆଲ୍ପସ୍ର ବରଫ ପାହାଡ଼ ଉପରେ ଚଢ଼ିବା, ଘାସ ଉପରେ ଶୋଇବା ଇତ୍ୟାଦି ସାମିଲ ଥିଲା। ପୂର୍ବରୁ ୨୦୧୧ କ୍ରିକେଟ୍ ବିଶ୍ବକପ୍ ବିଜେତା ଭାରତୀୟ ଦଳ ସହିତ ୨୦୧୪ରେ ଆଇପିଏଲ୍ ବିଜେତା କୋଲକାତା ନାଇଟ୍ ରାଇଡର୍ସ ଓ ୨୦୧୪ରେ ଜର୍ମାନୀର ଫୁଟ୍ବଲ୍ ବିଜେତା ଦଳ ସହିତ ମାଇକ୍ କାମ କରିସାରିଛନ୍ତି।
ନୂଆଦିଲ୍ଲୀ: ଭାରତୀୟ ହକି ଦଳ ଲଗାତାର ଅଲିମ୍ପିକ୍ସ କାଂସ୍ୟ ଜିତିବା ପରେ ଦେଶରେ ହକି ପ୍ରତି ଭଲପାଇବା ଓ ପ୍ରଶଂସକଙ୍କ ସଂଖ୍ୟାରେ ଆହୁରି ବୃଦ୍ଧି ହୋଇଛି। ଯାହାର ପ୍ରମାଣ ଖେଳାଳିମାନଙ୍କର ଘର ବାହୁଡ଼ା ପରେ ଦେଖିବାକୁ ମିଳିଛି। ଏପରିକି ବିଭିନ୍ନ ରାଜ୍ୟର ସରକାରମାନେ ସେମାନଙ୍କ ଖେଳାଳିଙ୍କ ପାଇଁ କୋଟିକୋଟି ଟଙ୍କାର ପୁରସ୍କାର ସହିତ ଉଚ୍ଚପଦବିର ସରକାରୀ ଚାକିରି ଯୋଗାଇ ଦେଇଛନ୍ତି। ତେଣୁ ପଦକର ହ୍ୟାଟ୍ରିକ୍ ଦେଖିବାକୁ ହେଲେ ଖେଳାଳିମାନଙ୍କୁ ଆର୍ଥିକ ଭାବେ ପ୍ରୋତ୍ସାହନ ଦେବା ଜରୁରି ହୋଇପଡ଼ିଛି। ମୁଖ୍ୟତଃ କ୍ରିକେଟ୍ ପରି ହକିରେ ମଧ୍ୟ କେନ୍ଦ୍ରୀୟ ଚୁକ୍ତିର ଆବଶ୍ୟକତା ଉପରେ ଏବେ ଆଲୋଚନା କରିବାର ବେଳ ଆସିଥିବା ପୂର୍ବତନ ଖେଳାଳି ଅର୍ଜୁନ ହଲପ୍ପା କହିଛନ୍ତି। ଦିନ ଥିଲା ହକିକୁ ଗରିବମାନଙ୍କ ଖେଳ କୁହାଯାଉଥିଲା। କିନ୍ତୁ ଏବେ ଅନେକ କର୍ପୋରେଟ୍ ସଂସ୍ଥା ସିଧାସଳଖ ଭାବେ ଏହା ସହିତ ଯୋଡ଼ି ହେଲେଣି। ଯାହାର ଫଳସ୍ବରୂପ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ୨୦୧୩ରେ ଆରମ୍ଭ ହୋଇଥିଲା। ଏଥିରୁ ବାହାରିଥିବା ଖେଳାଳିମାନଙ୍କୁ ନେଇ ଭାରତ କନିଷ୍ଠ ବିଶ୍ବକପ୍ (୨୦୨୬) ମଧ୍ୟ ଜିତିଥିଲା। ପରେ ଟୋକିଓରେ ସ୍ବର୍ଣ୍ଣ ପଦକ ଓ ଏବେ ପ୍ୟାରିସ୍ରେ ସମାନ ସଫଳତା ଏହାର ପରିଣାମ ଭାବେ ଆସିଛି। ଭାରତରେ ମଧ୍ୟ ଲଗାତାର ଦୁଇଥର ବିଶ୍ବକପ୍ ଆୟୋଜନ ହୋଇଥିଲା ବେଳେ ଭାରତୀୟ ଦଳ ନିଜ ଦକ୍ଷତାକୁ ପରଖିପାରିଛି। ବିଶେଷକରି ହକିକୁ ଓଡ଼ିଶା ସରକାରଙ୍କ ସମର୍ଥନ ଏହି ଖେଳକୁ ଏବେ ବହୁତ ଆଗକୁ ନେଇପାରିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଓ ଭୁବନେଶ୍ବରରେ କଳିଙ୍ଗ ଷ୍ଟାଡିୟମ୍ରେ ହକି ପାଇଁ ସ୍ବତନ୍ତ୍ର ଷ୍ଟାଡିୟମ୍ ଖୋଲାଯିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପ୍ରସାରିତ ହୋଇଛି। ତେଣୁ ହକିରେ ଭବିଷ୍ୟତ ଉଜ୍ବଳ ବୋଲି କୁହାଯାଇପାରିବ।
ଦେଖିବାକୁ ଗଲେ ଭାରତୀୟ ହକି ପାଇଁ ପରବର୍ତ୍ତୀ ଦୁଇ ବର୍ଷ ବହୁତ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି। ୨୦୨୬ ବିଶ୍ବକପ୍ ପରେ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ସ୍ଥାନ ପକ୍କା କରିବା ଭାରତ ପାଇଁ ଆହ୍ବାନ ରହିବ। ଏଥିପାଇଁ ଖେଳାଳିମାନଙ୍କୁ ନୈତିକ ସମର୍ଥନ, ସାମାଜିକ ଓ ଆର୍ଥିକ ଭାବେ ସୁରକ୍ଷା ପ୍ରଦାନ ପାଇଁ ହକି ଇଣ୍ଡିଆ ପକ୍ଷରୁ ପଦକ୍ଷେପ ନେବା ସମୟ ଆସିଛି। ଦୁଇ ବର୍ଷ ତଳେ ହୋଇଥିବା ଘୋଷଣା ଅନୁସାରେ ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କ ପାଇଁ ପ୍ରତ୍ୟେକ ବିଜୟ ପିଛା ୫୦ ହଜାର ଲେଖାଏଁ ଓ ପ୍ରଶିକ୍ଷକ ସହାୟକମାନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ। କିନ୍ତୁ ପ୍ରଦର୍ଶନ ଅନୁସାରେ ଖେଳାଳିମାନଙ୍କ ସହ ବାର୍ଷିକ ଚୁକ୍ତି କରାଗଲେ, ସେମାନେ ନିଜନିଜର ପ୍ରଦର୍ଶନ ପାଇଁ ଉତ୍ତରଦାୟୀ ରହିବେ ବୋଲି ହଲପ୍ପା କହିଛନ୍ତି। ଯଦି କେନ୍ଦ୍ରୀୟ ଚୁକ୍ତି ଲାଗୁ କରାଯାଏ, ତାହେଲେ ଏହା ଗେମ୍ ଚେଞ୍ଜର ହୋଇଯିବ। ଖେଳାଳିମାନଙ୍କୁ ଅଧିକ ଭଲ ଖେଳିବାକୁ ଏହା ଉତ୍ସାହ ଯୋଗାଇବ। ଭଲ ଖେଳୁଥିବା ଖେଳାଳି ଉଚ୍ଚ ଗ୍ରେଡ୍ରେ ରହି ଅଧିକ ଅର୍ଥ ରୋଜଗାର କରିପାରିବେ। ତେଣୁ ଦଳ ଏହା ସିଧାସଳଖ ଲାଭ ପାଇପାରିବ ବୋଲି ହଲପ୍ପା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/dgjgjddgjdgj.jpg)