ଅଖିଳଙ୍କୁ ସ୍ୱର୍ଣ୍ଣ; ଶୀର୍ଷରେ ଭାରତ

ବନ୍ଧୁକ ଚାଳନା ବିଶ୍ୱକପ୍‌

ଗୁଆଡାଲାଜାରା (ମେକ୍ସିକୋ): ଚଳିତ ବର୍ଷର ପ୍ରଥମ ବନ୍ଧୁକ ଚାଳନା ବିଶ୍ୱକପ୍‌ ପଦକ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହି ବୃହତ୍‌ ସଫଳତା ହାତେଇଛି। ଏହି ବିଶ୍ୱକପ୍‌ରେ ମୋଟ ୯ (୪ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୪ କାଂସ୍ୟ) ପଦକ ହାସଲ କରି ଭାରତ ମଧ୍ୟ ପ୍ରଥମ ଥର ଲାଗି ଶୀର୍ଷ ସ୍ଥାନ ଦଖଲ କରିବା ନିଶ୍ଚିତ ହୋଇଛି। ଭାରତ ପଛକୁ ଚୀନ୍‌ ୫ (୨ ସ୍ୱର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ) ପଦକ ସହ ଦ୍ୱିତୀୟ ଏବଂ ଆମେରିକା ୫ (୨ ସ୍ୱର୍ଣ୍ଣ, ୧ ରୌପ୍ୟ, ୨ କାଂସ୍ୟ) ପଦକ ତୃତୀୟ ସ୍ଥାନରେ ରହିଛି। ପ୍ରତିଯୋଗିତା ଶେଷ ହେବାକୁ ଆଉ ଗୋଟିଏ ଦିନ ସହ ଗୋଟିଏ ଇଭେଣ୍ଟ୍‌ ବାକି ଥିବାରୁ ଭାରତ ଶୀର୍ଷରେ ଅଭିଯାନ ଶେଷ କରିବା ନିଶ୍ଚିତ ହୋଇଯାଇଛି। ଶନିବାର ଭାରତୀୟ ଯୁବ ତାରକା ଅଖିଳ ସିଓରାନ୍‌ ପୁରୁଷ ୫୦ ମିଟର ରାଇଫଲ୍‌ ଥ୍ରି ପୋଜିସନ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ନବମ ପଦକ ଭେଟି ଦେଇଥିଲେ। ଫାଇନାଲ୍‌ରେ ସେ ୪୫୫.୬ ପଏଣ୍ଟ୍‌ ସହ ପ୍ରଥମ ସ୍ଥାନରେ ରହିଥିଲେ। ଏଥି ସହିତ ବିଶ୍ୱକପ୍‌ ପଦାର୍ପଣରେ ସ୍ୱର୍ଣ୍ଣ ପଦକ ଜିତିବାରେ ସିଓରାନ୍‌ ଚତୁର୍ଥ କନିଷ୍ଠ ଭାରତୀୟ ବନ୍ଧୁକଚାଳକ ବିବେଚିତ ହୋଇଛନ୍ତି। ସିଓରାନ୍‌ଙ୍କ ପଛକୁ ଅଷ୍ଟ୍ରିଆର ବର୍ନାହାଡ୍‌ ପିକଲ୍‌ (୪୫୨) ରୌପ୍ୟ ଏବଂ ହଙ୍ଗେରିଆର ପେନି (୪୪୨.୩) କାଂସ୍ୟ ପଦକ ଜିତିଥିଲେ। ତେବେ ଭାରତୀୟ ତାରକା ସଞ୍ଜୀବ ରାଜପୁତ (୪୩୦.୯) ଚତୁର୍ଥ ଏବଂ ସ୍ୱପ୍ନିଲ କୁସାଲେ (୪୦୭.୨) ଷଷ୍ଠ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ ଭାରତୀୟ ଖେଳାଳି ସୁମିତ ସିଂହ ପୁରୁଷ ସ୍କିଟ୍‌ର ଫାଇନାଲ୍‌ରେ ପହଞ୍ଚି ଆଉ ଏକ ପଦକ ଜିତିବାର ଆଶା ସଂଚାର କରିଛନ୍ତି। ପ୍ରଥମ ଥର ଲାଗି ବିଶ୍ୱକପ୍‌ରେ ଶୀର୍ଷ ସ୍ଥାନ ହାସଲ କରିଥିବାରୁ ଅଲିମ୍ପିଆନ୍‌ ଅଭିନବ ବିନ୍ଦ୍ରା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ବନ୍ଧୁକ ଚାଳନାରେ ନୂଆ ଯୁଗ ଆରମ୍ଭ ହେବା ସହ ଆଗାମୀ ଅଲିମ୍ପିକ୍ସରେ ସଫଳତା ପାଇବାର ସେତୁ ପଡ଼ିଲା ବୋଲି ବିନ୍ଦ୍ରା କହିଛନ୍ତି।

ସମ୍ବନ୍ଧିତ ଖବର