କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ ଟେବୁଲ ଶୀର୍ଷରେ ଭାରତ

ଦୁବାଇ: ନ୍ୟୁଜିଲାଣ୍ଡ୍‌ ନିକଟରୁ ପ୍ରଥମ ଦିନିକିଆ ମ୍ୟାଚ୍‌ ହାରିଯିବା ସତ୍ତ୍ବେ ଆୟୋଜକ ଭାରତ ଆଇସିସି ପୁରୁଷ କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି। ତେବେ ପ୍ରଥମ ମ୍ୟାଚ୍‌ରେ ଭାରତକୁ ୭ ୱିକେଟ୍‌ରେ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ୍‌ ୨ ସ୍ଥାନ ଉଠି ଟେବୁଲ୍‌ର ଚତୁର୍ଥରେ ପହଞ୍ଚିଛି। ଏହି ବିଜୟ ନ୍ୟୁଜିଲାଣ୍ଡ୍‌କୁ ୧୦ ପଏଣ୍ଟ୍‌ ଦେଇଛି। ଭାରତ ୧୯ ମ୍ୟାଚ୍‌ରୁ ୧୨୯ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିଲା ବେଳେ ଇଂଲଣ୍ଡ (୧୨୫ ପଏଣ୍ଟ, ୧୮ ମ୍ୟାଚ୍‌), ଅଷ୍ଟ୍ରେଲିଆ (୧୨୦ ପଏଣ୍ଟ, ୧୮ ମ୍ୟାଚ୍‌), ନ୍ୟୁଜିଲାଣ୍ଡ୍‌ (୧୨୦ ପଏଣ୍ଟ୍‌, ୧୬ ମ୍ୟାଚ୍‌) ଏବଂ ବାଂଲାଦେଶ (୧୨୦ ପଏଣ୍ଟ୍‌, ୧୮ ମ୍ୟାଚ୍‌) ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ବକପ୍‌କୁ ଶ୍ରେଷ୍ଠ ୮ ଦଳ ହିଁ ସିଧାସଳଖ ଯୋଗ୍ୟତା ହାସଲ କରିବେ। ୫ ଆସୋସିଏଟ୍‌ ଦଳ ସହିତ ଅବଶିଷ୍ଟ ଦଳଗୁଡ଼ିକ ଯୋଗ୍ୟତାପର୍ଯ୍ୟାୟ ଖେଳିବେ। ଏହି ପର୍ଯ୍ୟାୟରୁ ଶ୍ରେଷ୍ଠ ୨ ଦଳ ହିଁ ବିଶ୍ବକପ୍‌ର ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଭାରତ ଆୟୋଜକ ଦୃଷ୍ଟିରୁ ସିଧାସଳଖ ଯୋଗ୍ୟତା ହାତେଇସାରିଛି।

ସମ୍ବନ୍ଧିତ ଖବର