ଜୁଲାଇରେ ଭାରତର ଶ୍ରୀଲଙ୍କା ଗସ୍ତ: ଧାୱନ୍‌ଙ୍କୁ ମିଳିପାରେ ନେତୃତ୍ବ, ହାର୍ଦିକ୍‌ ବି ଦୌଡ଼ରେ

ସବୁ ମ୍ୟାଚ୍‌ ପ୍ରେମଦାସାରେ ଖେଳାଯିବ, ଭାରତୀୟ ଦଳ ପାଇଁ ୭ ଦିନିଆ ସଂଗରୋଧ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇରେ ଧଳା ବଲ୍‌ ଶୃଙ୍ଖଳା ଖେଳିବାକୁ ଭାରତୀୟ କ୍ରିକେଟ୍‌ ଦଳ ଶ୍ରୀଲଙ୍କା ଗସ୍ତ କରିବାର ଆପାତତଃ ସୂଚୀ ସ୍ଥିର କରାଯାଇଛି। ଯଦିଓ ଏନେଇ କିଛି ଆନୁଷ୍ଠାନିକ ଘୋଷଣା ହୋଇନାହିଁ, ତଥାପି ସାଂପ୍ରତିକ କୋଭିଡ୍‌ ସ୍ଥିତି ସୁଧୁରିଥିଲେ ଏହି ଶୃଙ୍ଖଳା ସମ୍ଭବ ହୋଇପାରିବ। ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳ ୩ ଲେଖାଏଁ ଦିନିକିଆ ଓ ଟି-୨-୦ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବ। ହେଲେ ସେହି ସମୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ପାଇଁ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଥିବାରୁ ଅଧିକାଂଶ ପ୍ରମୁଖ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଉପଲବ୍‌ଧ ହୋଇପାରିବେନି। ଏକଥା ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଆଭାସ ଦେଇସାରିଛନ୍ତି। ସେହି ଦୃଷ୍ଟିରୁ ଏକ ଦ୍ବିତୀୟସ୍ତରର ଦଳ ଶ୍ରୀଲଙ୍କା ଯିବ ବୋଲି ସେ କହିଛନ୍ତି। ତେବେ ଦଳ ଏତେଟା ଦୁର୍ବଳ ରହିବନି। ବିଶେଷକରି ଆଇପିଏଲ୍‌ ଖେଳିଥିବା ଅଧିକାଂଶ ଦକ୍ଷ ସୀମିତ ଓଭର ଖେଳାଳି ସୁଯୋଗ ପାଇବେ ଏବଂ ଶ୍ରୀଲଙ୍କାକୁ ତା’ ଘରୋଇ ମାଟିରେ ବେଶ୍‌ ଟକ୍କର ଦେଇପାରିବେ ବୋଲି କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ବାମହାତୀ ଓପ୍‌ନର ଶିଖର ଧାୱନ୍‌ଙ୍କୁ ଦଳର ନେତୃତ୍ବ ଭାର ଅର୍ପଣ କରାଯାଇପାରେ ବୋଲି ଏବେଠୁ ଚର୍ଚ୍ଚା ହେଲାଣି। ଧାୱନ୍‌ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ୩୪ ଟେଷ୍ଟ୍‌, ୧୪୨ ଦିନିକିଆ ଏବଂ ୬୫ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ପ୍ରତିନିଧିତ୍ବ କରିସାରିଛନ୍ତି। ସେ ମଧ୍ୟ ଅଧାରୁ ବନ୍ଦ ରହିଥିବା ଚଳିତ ବର୍ଷର ଆଇପିଏଲ୍‌ରେ ଅଗ୍ରଣୀ ରନ୍‌ ସ୍କୋରର୍‌ (୩୮୦ ରନ୍‌, ୮ ମ୍ୟାଚ୍‌) ରହିଥିଲେ। ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ଖେଳିଥିବା ଧାୱନ୍‌ଙ୍କର ହାରାହାରି ୫୪.୩୮ ରହିଥିଲା। ଏହା ପୂର୍ବରୁ ୨୦୧୮ରେ ସେ ରୋହିତ ଶର୍ମାଙ୍କ ସହଯୋଗୀ (ଉପଅଧିନାୟକ) ଭାବେ ନିଦାସ ଟ୍ରଫି ଖେଳିଥିଲେ। ଯେଉଁଥିରେ ଭାରତ ବିଜେତା ହୋଇଥିଲା।

ଧାୱନ୍‌ଙ୍କ ନେତୃତ୍ବରେ ଭୁବନେଶ୍ବର କୁମାର, ପୃଥ୍ବୀ ସ’, ହାର୍ଦିକ୍‌ ପାଣ୍ଡ୍ୟା ଓ ଇଶାନ କିଷନ ଦଳରେ ପ୍ରମୁଖ ସଦସ୍ୟ ଭାବେ ସାମିଲ ହେବେ। ଏମାନଙ୍କ ବ୍ୟତୀତ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିବା ସୂର୍ଯ୍ୟକୁମାର ଯାଦବ, ସ୍ପିନର ରାହୁଲ ଚହର, ବାମହାତୀ ପେସର୍‌ ଚେତନ ସାକାରିୟା ଏବଂ ରାହୁଲଙ୍କ ସଂପର୍କିୟ ଦୀପକ ଚହର ମଧ୍ୟ ଦଳରେ ସାମିଲ ହେବାର ସମ୍ଭାବନା ଅଧିକ ରହିଛି। ସେହିପରି ଧାୱନ ଓ ପୃଥ୍ବୀଙ୍କ ବ୍ୟତୀତ ତୃତୀୟ ଓପ୍‌ନର ଭାବେ କର୍ଣ୍ଣାଟକର ଦେବଦତ୍ତ ପଡିକଲଙ୍କୁ ସୁଯୋଗ ମିଳିପାରେ।

ଅନ୍ୟପକ୍ଷରେ ନେତୃତ୍ବ ପାଇଁ ଧାୱନ୍‌ଙ୍କୁ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟାଙ୍କ ସହ ଦ୍ବିମୁଖୀ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ ବୋଲି କୁହାଯାଉଛି। ଯଦି ଶ୍ରେୟସ ଆୟର ଫିଟ୍‌ ନହୁଅନ୍ତି ତାହାଲେ ଧାୱନ୍‌ ଓ ପାଣ୍ଡ୍ୟାଙ୍କ ମଧ୍ୟରେ ନେତୃତ୍ବ ପାଇଁ ଲଢ଼େଇ ହୋଇପାରେ। ଆଉ ଯଦି ଆୟର ଫିଟ୍‌ ହୋଇ ଉପଲବ୍‌ଧ ‌ହୁଅନ୍ତି, ତାହାଲେ ସେ ସିଧାସଳଖ ପ୍ରଥମ ପସନ୍ଦର ଅଧିନାୟକ ରହିବେ ବୋଲି ଗୋଟିଏ ସୂତ୍ରରୁ କୁହାଯାଇଛି।

ସବୁ ମ୍ୟାଚ୍‌ ପ୍ରେମଦାସାରେ ଖେଳାଯିବ
ଭାରତୀୟ କ୍ରିକେଟ୍‌ ଦଳ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଥିଲା ବେଳେ କରୋନା ଯୋଗୁଁ ସବୁ ମ୍ୟାଚ୍‌ ଗୋଟିଏ ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି ସ୍ଥିର ହୋଇଛି। ଜୁଲାଇ ୧୩ ତାରିଖରୁ ଉଭୟ ଦିନିକିଆ ଓ ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଥିଲା ବେଳେ ସମସ୍ତ ୬ ମ୍ୟାଚ୍‌ କଲମ୍ବୋର ଆର୍‌ ପ୍ରେମଦ‌ାସା ଷ୍ଟାଡିୟମ୍‌ରେ ହିଁ ଖେଳାଯିବାର ଯୋଜନା କରିଛୁ ବୋଲି କହିଛନ୍ତି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡର ପ୍ରଶାସନିକ କମିଟି ଅଧ୍ୟକ୍ଷ ଅର୍ଜୁନ ଡି’ ସିଲ୍‌ଭା। ଜୁଲାଇ ୧୩ରୁ ଦିନିକିଆ ଶୃଙ୍ଖଳା ଖେଳାଯିବା ପରେ ୨୨ରୁ ୨୭ ତାରିଖ ମଧ୍ୟରେ ଟି-୨୦ ଶୃଙ୍ଖଳା ଖେଳାଯିବ। ଏପର୍ଯ୍ୟନ୍ତ ପୂରା ସୂଚୀ ପ୍ରେମଦାସାରେ ଆୟୋଜନ ହେବ ବୋଲି ସ୍ଥିର ହୋଇଛି। ତେବେ ସେତେବେଳର ପରିସ୍ଥିତି ଉପରେ ସବୁକିଛି ନିର୍ଭର କରିବ ବୋଲି ସେ କହିଛନ୍ତି।

ଏହି ଗସ୍ତରେ ଭ୍ରମଣକାରୀ ଭାରତୀୟ ଦଳ ବାଧ୍ୟତାମୂଳକ ୭ ଦିନିଆ ସଂଗରୋଧରେ ରହିବ। ପ୍ରଥମ ୩ ଦିନ କଠୋର ସଂଗରୋଧ ମଧ୍ୟରେ ରହିବା ପରେ ପରବର୍ତୀ ୪ ଦିନ ସେମାନଙ୍କୁ ଅଭ୍ୟାସ ପାଇଁ ଅନୁମତି ମିଳିବ ବୋଲି ଅର୍ଜୁନ କହିଛନ୍ତି। ଯଦି ପରିସ୍ଥତିକୁ ଦେଖି ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କିଛି ପରିବର୍ତନ ଆଣନ୍ତି, ତାହାଲେ ଭାରତୀୟ ଦଳକୁ ଖାପଖୁଆଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ୩ ବର୍ଷ ବ୍ୟବଧାନରେ ଭାରତୀୟ ଦଳ ପ୍ରଥମ ଥର ଲାଗି ଶ୍ରୀଲଙ୍କା ଗସ୍ତ କରିବ। ସାଂପ୍ରତିକ କରୋନା ମହାମାରୀ ସ୍ଥିତି ମଧ୍ୟରେ ଶ୍ରୀଲଙ୍କା ସଫଳତାର ସହ ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷ ଆନ୍ତର୍ଜାତିକ ଶୃଙ୍ଖଳା ଆୟୋଜନ କରିସାରିଥିବାରୁ ଭାରତର ଗସ୍ତ ସୂଚୀ ମଧ୍ୟ ସଫଳତାର ସହ ସଂପନ୍ନ ହୋଇପାରିବ ବୋଲି ଅର୍ଜୁନ ଡି’ ସିଲ୍‌ଭା ବିଶ୍ବାସ ରଖିଛନ୍ତି।

ସମ୍ବନ୍ଧିତ ଖବର