ଭାରତ-ଇଂଲଣ୍ଡ ଟେଷ୍ଟ୍: ତୃତୀୟ ଦିନ ‌ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୨୫୭-୬

ଚେନ୍ନାଇ: ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଟେଷ୍ଟ୍ ମ୍ୟାଚ୍‌ର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ଟି ୱକେଟ ହରାଇ ୨୫୭ ରନ୍‌ ସଂଗ୍ରହ କରିଛି। ବିରାଟ ବାହିନୀ ଇଂଲଣ୍ଡର ପ୍ରଥମ ପାଳି ଆଧାରରେ ୩୨୧ ରନ୍‌ ପଛରେ ରହିଛି। ଇଂଲଣ୍ଡ ପ୍ରଥମ ପାଳିରେ ୫୭୮ ରନ୍ କରି ପ୍ରଥମ ଇନିଙ୍ଗସ୍‌ ପରିସମାପ୍ତି କରିଥିଲା। ଏଥିରେ ଅଧିନାୟକ ଜୋ ରୁଟ୍‌ଙ୍କ ଅବଦାନ ହେଉଛି ୨୧୮ ରନ୍।

ଆଜି ଭାରତୀୟ ଟିମ୍ ପକ୍ଷରୁ ଓପେନିଙ୍ଗ୍ କରିଥିଲେ ଶୁଭମନ୍ ଗିଲ୍ ଓ ରୋହିତ ଶର୍ମା। ୬ ରନ୍ କରିଥିବା ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମାଙ୍କୁ ଜୋଫ୍ରା ଆର୍ଚର୍ ଆଉଟ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିବା ଚେତେଶ୍ୱର ପୂଜାରା ୧୭୩ଟି ବଲ ଖେଳି ୭୩ ରନ୍‌ ଦଳ ପାଇଁ ଯୋଡ଼ିଥିଲେ। ଯୁବ ବ୍ୟାଟ୍‌ସମ୍ୟାନ ଶୁଭମନ୍ ୨୮ଟି ବଲ୍ ଖେଳି ୨୯ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ବିରାଟ କୋହଲି ଦର୍ଶକଙ୍କୁ ନିରାଶ କରିଥିଲେ। ସେ ୪୮ଟି ବଲ ଖେଳି ମାତ୍ର ୧୧ ରନ୍‌ କରିବା ପରେ ପଡ଼ିଆରୁ ବିଦାୟ ନେଇଥିଲେ। ସ୍କୋର ୭୩ ରନ୍ ବେଳକୁ ଭାରତୀୟ ଟିମ୍‌ ୪ଟି ମୂଲ୍ୟବାନ ୱିକେଟ୍‌ ହରାଇ ସାରିଥିଲା।

ତେବେ ଭାରତର ସ୍ଥିତିକୁ ନିୟନ୍ତ୍ରଣ କରିବାରେ ଋଷଭ ପନ୍ତ ଓ ୱାସିଂଟନ ସୁନ୍ଦର ବଡ଼ ଉଦ୍ୟମ କରିଥିଲେ। ପନ୍ତ ୮୮ଟି ବଲ ଖେଳି ୯୧ ରନ୍‌ ସଂଗ୍ରହ କରିବା ପରେ ଆଉଟ ହୋଇଥିଲେ। ଆଜିର ‌ମ୍ୟାଚ ଶେଷ ହେବା ପୂର୍ବରୁ ୱାଶିଂଟନ ସୁନ୍ଦର ୩୩ ରନ୍‌ ଓ ରବିଚନ୍ଦ୍ରନ ଅଶ୍ବିନ ୮ ରନ୍‌ ସଂଗ୍ରହ କରି ପଡ଼ିଆରୁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର