ଅଗ୍ରଣୀ ଲକ୍ଷ୍ୟରେ ଭାରତ

ପୁନେ : ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପାଞ୍ଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ତୃତୀୟ ମୁକାବିଲା ଶନିବାର ପୁନେ‌ର ମହାରାଷ୍ଟ୍ର କ୍ରିକେଟ୍‌ ସଂଘ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ଭାରତ ୮ ୱିକେଟ୍‌ରେ ସହଜରେ ଜିତି ନେଇଥିଲା। ହେଲେ ବିଶାଖାପାଟଣା ଦିନିକିଆରେ ‌ଭାରତକୁ କଡ଼ା ଜବାବ ଦେଇଥିଲା ଇଣ୍ଡିଜ୍‌। ଭାରତ ୩୨୧ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଇଣ୍ଡିଜ୍ ଟାଇ ରଖିବାକୁ ସକ୍ଷମ ହୋଇଥିଲା। ଏହି ଦୁଇ ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ପ୍ରଭାବବିହୀନ ରହିଥି‌େଲ। ଯାହାର ଫାଇଦା ଉଠାଇ ଇଣ୍ଡିଜ୍‌ ଦଳ ଦୁଇଟି ଯାକ ମ୍ୟାଚ୍‌ରେ ୩୦୦ ରନ୍ ପାରି କରିଥିଲା। ଏଥି ଲାଗି ଭାରତ ଶେଷ ୩ ଦିନିକିଆରେ ମହମ୍ମଦ ସାମିଙ୍କୁ ବାଦ୍ ଦେଇ ଦୁଇ ଭରସାଯୋଗ୍ୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏବଂ ଯଶପ୍ରୀତ୍ ବୁମରାଙ୍କୁ ଦଳରେ ନେଇଛି। ଫଳରେ ବିଶାଖାପାଟଣା ଭୁଲ୍‌ ସୁଧାରି ୨-୦ର ଅଗ୍ରଣୀ ନେବା ଲକ୍ଷ୍ୟରେ ଭାରତ ରହିଛି। ଅନ୍ୟପକ୍ଷରେ ବିଶାଖାପାଟଣାରେ ବିଜୟରୁ ବଞ୍ଚିତ ହୋଇଥିବା ‌ୱେଷ୍ଟଇଣ୍ଡିଜ୍‌ ପୁଣି ମୁହଁତୋଡ ଜବାବ ଦେଇ ସ୍ଥିତି ୧-୧ କରିବା ଯୋଜନାରେ ରହିଛି।

ଦ୍ବିତୀୟ ମ୍ୟାଚ୍‌ରେ ସମସ୍ତଙ୍କ ନଜର ‌େକାହଲିଙ୍କ ଉପରେ ରହିଥିଲା। ଏହି ମ୍ୟାଚ୍‌ରେ ଦ୍ରୁତତମ ୧୦,୦୦୦ ରନ୍ ପୂର୍ଣ୍ଣ କରିବାରେ ସେ ସଚିନ ତେନ୍ଦୁଲକରଙ୍କୁ କାଟିଥିଲେ। ‌ବିଶାଖାପାଟଣାରେ ୱେଷ୍ଟ୍‌ଇଣ୍ଡିଜର ସିମରନ୍ ହେଟମେୟର (୯୪ ରନ୍) ଓ ସାଇ ହୋପ୍ (୧୨୩* ରନ୍) ଭାରତୀୟ ବୋଲରକୁ ନିର୍ଧୁମ ପ୍ରହାର କରି ମ୍ୟାଚ୍ ଟାଇ ରଖିଥିଲେ। ପ୍ରଥମ ମ୍ୟାଚ୍‌େର ଭାରତୀୟ ଶୀର୍ଷକ୍ରମ ଭଲ ଖେଳି ବିଜୟ ଦେଇଥିଲେ। ହେଲେ ଦ୍ବିତୀୟ ମ୍ୟାଚ୍‌େର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୪) ଓ ଶିଖର ଧାୱନ୍‌ (୨୯) ବିଫଳ‌ ହୋଇଥିଲେ। ମଧ୍ୟକ୍ରମରେ କୋହଲି (୧୫୭*) ଏବଂ ଅମ୍ବାତି ରାୟୁଡ଼ୁ (୭୩) ଦଳୀୟ ସ୍କୋର୍‌ ୩୦୦ ଡିଆଁଇଥିଲେ। ଦୁଇଟି ମ୍ୟାଚ୍‌ରୁ କୋହଲି ୨୯୭ ରନ୍ କରି ସାରିଥିବାରୁ ଆଗକୁ ମଧ୍ୟ ତାଙ୍କ ବ୍ୟାଟ୍‌ ବଡ଼ ସ୍କୋର୍‌ ଦେବାର ଆଶା ରହିଛି। ରାୟୁଡ଼ୁ ଚତୁର୍ଥରେ ଭଲ ବ୍ୟାଟିଂ କରି ନିଜ ପାଇଁ ଏହି ସ୍ଥାନ ପକ୍କା କରିବା ଲାଗି ଶନିବାର ଆଉ ଏକ ସୁଯୋଗ ପାଇବେ। ହେଲେ ପଞ୍ଚମ, ଷ‌ଷ୍ଠ ଓ ସପ୍ତମ ସ୍ଥାନକୁ ନେଇ ଏବେ ପ୍ରଶ୍ନ ରହିଛି। ମହେନ୍ଦ୍ର ସିଂହ ଧୋନି ପୁଣି ବିଫଳ ହୋଇଛନ୍ତି। ଋଷବ ପନ୍ତ୍‌ଙ୍କଠୁ ମଧ୍ୟ ବଡ଼ ପାଳି ଉପରେ ଦଳ ନଜର ରଖିଛି। ଅନ୍ୟପକ୍ଷରେ ଦିବା ରାତ୍ର ମ୍ୟାଚ୍‌ରେ କାକର ଭାରତ ପାଇଁ ବଡ଼ ଅସୁବିଧା ରଖୁଛି। କାକର ଯୋଗୁଁ ବଲ୍‌ ଭାରି ହେଉଯାଉଛି। ଦୁଇ କଚଟି ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ବଲ୍‌ର ‌ଗ୍ରିପ୍‌ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାହାକି ଅଧିନାୟକ କୋହଲିଙ୍କୁ ଚିନ୍ତାରେ ପକାଇ ଦେଉଛି। ପୁନେରେ ଭାରତ ୩ ଦିନିକିଆ ଖେଳିଥିଲା ବେଳେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡକୁ ଥରେ ଲେଖାଏଁ ହରାଇଛି। ତେବେ ଅଷ୍ଟ୍ରେଲିଆଠୁ ହାରିଛି। ଏହି ପଡ଼ିଆରେ ଶନିବାର ୩୦୦ ରନ୍‌ରୁ ଅଧିକ ଆଶା ରହିଛି। ଏଠାରେ ଭାରତର ସର୍ବୋଚ୍ଚ ଦଳୀୟ ସ୍କୋର୍‌ (୩୫୬/୭) ଇଂଲଣ୍ଡ ବିପକ୍ଷରେ ରହିଛି। ଏଥି ସହ ବ୍ୟକ୍ତିଗତ ରନ୍‌ରେ ବିରାଟ କୋହଲି (୧୨୨) ଆଗରେ ରହିଛନ୍ତି। ବୋଲିଂରେ ଭୁବନେଶ୍ବର କୁମାର (୩/୪୫) ଆଗରେ ରହିଥିଲା ବେଳେ କେଦାର ଯାଦବ ଓ ବିରାଟ କୋହଲିଙ୍କ ପଞ୍ଚମ ୱିକେଟ୍‌ରେ ୨୦୦ ରନ୍‌ର ଭାଗିଦାରୀ ଶ୍ରେ‌ଷ୍ଠ ରହିଛି।

ସମ୍ଭାବ୍ୟ ଭାରତ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା‌, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମ୍‌ରା।

ସମ୍ଭାବ୍ୟ ଇଣ୍ଡିଜ୍ : ଜାସନ ହୋଲ୍ଡର (ଅଧିନାୟକ), ଫାବିଆନ୍‌ ଆଲିନ୍‌, ସୁନୀଲ ଅମ୍ବରିସ୍, ଦେବେନ୍ଦ୍ର ବିଶୁ, ଚନ୍ଦ୍ରପଲ ହେମରାଜ, ସିମରନ୍ ହେଟମେୟର, ସାଇ ହୋପ୍, ଆଲଜାରି ଜୋସେଫ, ଏଭିନ୍ ଲୁଇସ୍, ଆସଲେ ନର୍ସ, କିମୋ ପଲ୍, ରଭମନ ପାୱେଲ, କେମାର ରୋଚ୍, ମାର୍ଲନ ସାମୁଏଲ୍ସ, ଓସାନେ ଥୋମାସ।

ବିମାନ ବନ୍ଦରରେ ଅଟକିଲା ଭାରତୀୟ ଦଳ
ବିଶାଖାପାଟଣା : ଭାରତୀୟ କ୍ରିକେଟ୍‌ ଦଳ ମଙ୍ଗଳବାର ବିଶାଖାପାଟଣା ବିମାନ ବନ୍ଦର ବାହାରେ କିଛି ସମୟ ଅଟକିବାକୁ ପଡ଼ିଥିଲା। ବିଶାଖାପାଟଣା ଦିନିକିଆ ପରେ ତୃତୀୟ ଦିନିକିଆ ଖେଳିବା ଲାଗି ପୁନେ ଗସ୍ତ କରିବାକୁ ଥିବା ଦଳର ବସ୍‌ ଆଗୁଆ ବିମାନ ବନ୍ଦରରେ ପହଞ୍ଚି ଯାଇଥିଲା। ଏହି ସମୟରେ ବିମାନ ବନ୍ଦରର ଭିଆଇପି ଲଙ୍ଗ୍‌ ଭିତରେ ୱାଇଏସ୍ଆର୍ କଂଗ୍ରେସ ଦଳର ସଭାପତି ୱାଇଏସ୍ ଜଗମୋହନ ‌େରଡ୍ଡୀଙ୍କ ଉପରେ ଜଣେ କ୍ୟାଣ୍ଟିନ୍ କର୍ମୀ ଆକ୍ରମଣ କରିଥିଲେ। ଫଳରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେଣୁ ଏଭଳି ଅଘଟଣ ଲାଗି ଭାରତୀୟ ଦଳକୁ ସେଠାର ସୁରକ୍ଷାକର୍ମୀ ଆଉ ବସ୍‌ ଭିତରୁ ବାହାରିବା ଲାଗି ଅନୁମତି ଦେଇନଥିଲେ। ଆଶୁ ଚିକିତ୍ସାପରେ ଜଗନ ଏକ ସ୍ବତନ୍ତ୍ର ବିମାନରେ ଇଦ୍ରାବାଦ ଚାଲି ଯାଇଥିଲେ। ବିମାନ ବନ୍ଦରରେ ଚାଲିିଥିବା ଅସୁବିଧା ଦୂର ହେବା ପରେ ଭାରତୀୟ ଦଳ ପୁନେ ଗସ୍ତ କରିଥିଲା।

ସମ୍ବନ୍ଧିତ ଖବର