ଭାରତ ବନାମ ଇଂଲଣ୍ଡ: ପ୍ରଥମ ପାଳି ବଡ଼ ସ୍କୋର୍‌ ଲକ୍ଷ୍ୟରେ ଇଂଲଣ୍ଡ

ଈଶାନ୍ତଙ୍କ ଅଭ୍ୟାସ

ନୂଆଦିଲ୍ଲୀ: ଗୁରୁବାରଠାରୁ ଭାରତ-ଇଂଲଣ୍ଡ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି। ଶନିବାରଠାରୁ ଅଭ୍ୟାସ ଆରମ୍ଭ କରିଥିବା ଇଂଲଣ୍ଡ ଦଳ ମଧ୍ୟ ନିଜ ରଣ‌‌ କୌଶଳ ପ୍ରସ୍ତୁତିରେ ଲାଗି ପଡ଼ିଛି। ଶେଷ ଥର ପାଇଁ ୨୦୧୬ ଗସ୍ତରୁ ଦଳ ପାଇଥିବା ଅଭିଜ୍ଞତାକୁ ଉପଯୋଗ କରି ଇଂଲଣ୍ଡ ସଫଳ ହେବ‌ ବୋଲି ମଧ୍ୟ ଆଶା ରଖିଛି। ବିଶେଷ କରି ପ୍ରଥମ ପାଳିରେ ବଡ଼ ସ୍କୋର୍‌ କରିନପାରି ଦଳ ହାରିଯାଉଥିବାରୁ ଇଂଲଣ୍ଡ ଏଥର ଏହି ଦୁର୍ବଳ ଦିଗକୁ ଗୁରୁତ୍ବ ଦେଉଛି। ୨୦୧୬ ଭାରତ ଗସ୍ତ ବେଳେ ଇଂଲଣ୍ଡ ଯଥାକ୍ରମେ ୫୩୭, ୨୫୫, ୨୮୩, ୪୦୦, ୪୭୭ ରନ୍‌ କରିଥିଲା। ଦ୍ବିତୀୟ ଓ ତୃତୀୟ ଟେଷ୍ଟରେ ପ୍ରଥମ ପାଳିରେ ଖରାପ ଖେଳିବାରୁ ସୁଯୋଗ ହାତଛଡ଼ା କରିଥିଲା। ତଥାପି ଶେଷ ଦୁଇ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୪୦୦ରୁ ଊର୍ଧ୍ବ ରନ୍‌ କରିଥିଲେ ମଧ୍ୟ ହାରିଥିଲା, ତା’ ପୁଣି ଉଭୟ ଥର ପାଳି ବ୍ୟବଧାନରେ।

ଆଗାମୀ ଶୃଙ୍ଖଳା ପୂର୍ବରୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ମାନେ ପ୍ରଥମ ପାଳିରେ ବଡ଼‌ ସ୍କୋର୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତୀୟ ଉପ ମହାଦେଶରେ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ। ଘରୋଇ ମାଟିରେ ଭାରତର ସାମ୍ପ୍ରତିକ ପ୍ରଦର୍ଶନକୁ ନଜରରେ ରଖି ଇଂଲଣ୍ଡ ମଧ୍ୟ ଏହାର ମୁକାବିଲା କରିବାକୁ ଅଣ୍ଟା ଭିଡିଛି। ବିରାଟ କୋହଲିଙ୍କ ଦଳ ନିଜର ଶେଷ ୧୬ ଘରୋଇ ଟେଷ୍ଟ୍‌ରେ ୧୦ ଥର ପ୍ରଥମ ପାଳିରେ ୪୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ କରିଛି। ସେ ମଧ୍ୟରୁ ୫ଟି ପାଳି ମଧ୍ୟ ୬୦୦ ଅତିକ୍ରମ କରିଛି। ଉପରୋକ୍ତ ୧୦ ଟେଷ୍ଟ୍ ମ୍ୟାଚ୍ ମଧ୍ୟରୁ ଭାରତ ୮ ଜିତି ୨ ଅମୀମାଂସିତ ରଖିଛି। ପ୍ରତିପକ୍ଷ ଦଳ ଉପରେ ଚାପ ପକାଇବା ଲାଗି ଭାରତ ପ୍ରଥମ ପାଳିକୁ ବଡ଼ ସ୍କୋର୍‌ କରିବାରେ ମଧ୍ୟ ଅଭ୍ୟାସରେ ପରିଣତ କରିସାରିଛି। ବୋଲରମାନେ ମଧ୍ୟ ଏହି ସ୍କୋର୍‌ ପାଇଲେ ନିଜ ଯୋଜନା ମୁତାବକ ବୋଲିଂ କରିପାରୁଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଗସ୍ତରେ ଇଂଲଣ୍ଡ ୨-୦ରେ ମୂଳପୋଛ କରିଥିବାରୁ ଏହି ଦଳର ଆତ୍ମବିଶ୍ବାସ ମଧ୍ୟ ବଢ଼ିଯାଇଛି। ଆମେ ପ୍ରଥମେ ବ୍ୟାଟିଂ କରୁ କି ଦ୍ବିତୀୟରେ ପ୍ରଥମ ପାଳି କିନ୍ତୁ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କହିଛନ୍ତି ଇଂଲଣ୍ଡ ଦଳର ସହକାରୀ ପ୍ରଶିକ୍ଷକ ଗ୍ରାହମ୍ ଥର୍ପ। ୱିକେଟ୍‌ ନେବା ସହଜ ନ ଥିବାରୁ ପ୍ରଥମେ ବୋର୍ଡରେ ରନ୍‌ ରଖିବା ପ୍ରମୁଖ ଭୂମିକା ତୁଲାଇବ। ଭାରତ ଘରୋଇ ମାଟିରେ ଏକ ଭଲ ଦଳ ହୋଇଥିବାରୁ ଆମ ପାଇଁ ଏହା ଅସଲ ଆହ୍ବାନ। ଆମେ କିଛି ସ୍ବତନ୍ତ୍ର କରିପାରିବୁ ବୋଲି ବିଶ୍ବାସ ରଖିବାକୁ ହେବ‌ ବୋଲି ଥର୍ପ କହିଥିଲେ। ଶ୍ରୀଲଙ୍କା ଗସ୍ତ ଭଳି ଭାରତରେ ଯଦି ଜୋ ରୁଟ୍‌, ଜ୍ୟାକ୍ କ୍ରଲି, ଡମ୍ ଶିବଲେ ଭଲ ଖେଳିବେ ତେବେ ଘରୋଇ ଦଳ ଉପରେ ନିଶ୍ଚିତ ଚାପ ପକାଇପାରିବେ ବୋଲି ଥର୍ପ ଆଶା ପ୍ରକାଶ କରିଛନ୍ତି।

ଈଶାନ୍ତଙ୍କ ଅଭ୍ୟାସ

ଚେନ୍ନାଇ: କରୋନା କଟକଣା ନିୟମ ଯୋଗୁଁ ହୋଟେଲ ପ୍ରକୋଷ୍ଠ ମଧ୍ୟରେ ଆବଦ୍ଧ ରହିଥିବା ସତ୍ତ୍ବେ ଭାରତୀୟ ଖେଳାଳିମାନେ ସେମାନଙ୍କ ଲୟ ହରାଇବାକୁ ଦେଇନାହାନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ ପୂର୍ବରୁ ଭାରତୀୟ ଖେଳାଳିମାନେ ହୋଟେଲ ପ୍ରକୋଷ୍ଠରେ ଅଭ୍ୟାସ ଜାରି ରଖିଛନ୍ତି। ସ୍ଥାନୀୟ ଲୀଲା ହୋଟେଲରେ ୬ ଦିନିଆ ବାଧ୍ୟତାମୂଳକ ସଂଗରୋଧରେ ରହିଥିବା ଖେଳାଳିମାନେ ନିଜ ନିଜ ପ୍ରକୋଷ୍ଠରେ ଜିମ୍‌ ସରଞ୍ଜାମକୁ ବ୍ୟବହାର କରି ଇନ୍‌ଡୋର ଅଭ୍ୟାସ ଜରିଆରେ ଫିଟ୍‌ନେସ୍‌ର ମାନ ବଢ଼ାଇବାରେ ଲାଗିଛନ୍ତି। ଖେଳାଳିମାନେ ଜିମ୍‌ରେ ଟ୍ରେଡ୍‌ମିଲ୍‌ ଓ ଇନ୍‌ଡୋର ସାଇକ୍ଲିଂ ବାଇକ୍‌ ଭଳି ସରଞ୍ଜାମର ଉପଯୋଗ କରୁଛନ୍ତି। ଆହତ ଯୋଗୁଁ ଗତ ଅଷ୍ଟ୍ରେଲିଆ ଗସ୍ତରୁ ବଞ୍ଚିତ ହୋଇଥିବା ଦ୍ରୁତ ବୋଲର ଈଶାନ୍ତ ଶର୍ମା ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ ସଂକେତ ଦେଇଛନ୍ତି। ସେ ନିଜ ହୋଟେଲ ପ୍ରକୋଷ୍ଠ‌ ଭିତରେ କେତେକ ଷ୍ଟ୍ରେଚ୍‌ କରୁଥିବା ଦେଖାଯାଇଛି। ‘‘ସଂଗରୋଧର ଚତୁର୍ଥ ଦିବସ ଶେଷରେ ଅଭ୍ୟାସ କାର୍ଯ୍ୟ’’ ବୋଲି ଈଶାନ୍ତ ଇନ୍‌ଷ୍ଟାଗ୍ରାମ୍‌ରେ କରିଥିବା ତାଙ୍କ ପୋଷ୍ଟରେ କ୍ୟାପ୍‌ସନ୍‌ ଲେଖିଛନ୍ତି। ଉପଅଧିନାୟକ ଆଜିଙ୍କ୍ୟ ରହାଣେ ମଧ୍ୟ ନିଜ ହୋ‌ଟେଲ ପ୍ରକୋଷ୍ଠରେ ଟ୍ରେଡ୍‌ମିଲ୍‌ରେ ରନିଂ କରୁଥିବାର ଭିଡିଓ ସେୟାର କରିଛନ୍ତି। କୋହଲି ମଧ୍ୟ ଅଭ୍ୟାସ ଓ ମ୍ୟୁଜିକ୍‌ ତାଙ୍କୁ ସତେଜ ରଖୁଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର