ଶୋଚନୀୟ ପରାଜୟ

ସେଞ୍ଚୁରିଅନ୍‌ରେ ଭାରତ ୧୩୫ ରନ୍‌ରେ ହାରିଲା, ଦକ୍ଷିଣ ଆଫ୍ରିକା ୨-୦ରେ ଶୃଙ୍ଖଳା ବିଜୟୀ

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ୍‌ ଦଳର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। କେପଟାଉନ୍‌ ଟେଷ୍ଟକୁ ୭୨ ରନ୍‌ରେ ହାରିଥିବା ଭାରତ ସେଞ୍ଚୁରିଅନ୍‌ରେ ଖେଳା ଯାଇଥିବା ଦ୍ୱିତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମୁକାବିଲାରେ ଶୋଚନୀୟ ପରାଜୟ ବରଣ କରିଛି। ଏହି ଟେଷ୍ଟକୁ କୋହଲି ବାହିନୀ ଲଜ୍ଜାଜନକ ଭାବେ ୧୩୫ ରନ୍‌ର ବୃହତ୍‌ ବ୍ୟବଧାନରେ ହାରି ଯାଇଛି। ଅଧିନାୟକ ବିରାଟ କୋହଲିଙ୍କ ବିବାହ ପରର ପ୍ରଥମ ଶୃଙ୍ଖଳାକୁ ହାରି ଭାରତ ୯ ଶୃଙ୍ଖଳା ବିଜୟ ଧାରାକୁ ବି ହାତଛଡ଼ା କରିଛି। ବ୍ୟକ୍ତିଗତ ଭାବେ କୋହଲି ତାଙ୍କ ପୂର୍ଣ୍ଣକାଳୀନ ନେତୃତ୍ୱ ଅଧ୍ୟାୟରେ ପ୍ରଥମ ଶୃଙ୍ଖଳା ପରାଜୟ ବରଣ କରିଛନ୍ତିି। ସେହିଭଳି ଦକ୍ଷିଣ ଆଫ୍ରିକାରେ ପୂର୍ବରୁ କେବେ ବି ଶୃଙ୍ଖଳା ଜିତି ନଥିବା ଭାରତୀୟ ଦଳ ଚଳିତ ଥରର ସୁଯୋଗକୁ ବି ବୃଥା ଯିବାକୁ ଦେଇଛି। ୩ ଟିକିଆ ଶୃଙ୍ଖଳାକୁ ୨-୦ରେ ହାରିବା ପରେ ୨୪ ତାରିଖରୁ ଜୋହାନେସବର୍ଗର ନ୍ୟୁ ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଟେଷ୍ଟ ଭାରତ ପାଇଁ ସମ୍ମାନ ରକ୍ଷାର ଶେଷ ସୁଯୋଗ ହୋଇଛି। ସେପଟେ ଦକ୍ଷିଣ ଆଫ୍ରିକା ୨୦୧୫ରେ ଭାରତ ଆସି ୦-୩ରେ ଶୃଙ୍ଖଳା ହାରିବାର ମଧୁର ପ୍ରତିଶୋଧ ନେଇଛି।

ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ଭାରତ ସମ୍ମୁଖରେ ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ମଙ୍ଗଳବାର ଚତୁର୍ଥ ଦିବସର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍‌ ହରାଇ ୩୫ ରନ୍‌ କରିଥିବାରୁ ବୁଧବାର ପଞ୍ଚମ ଦିନର ପିଚ୍‌ରେ ବିଜୟ ପାଇଁ ତାକୁ ଆଉ ୨୫୪ ରନ୍‌ର ଦରକାର ଥିଲା। ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲରଙ୍କ ଆଗରେ ବିନା ଲଢ଼େଇରେ ହାତଟେକି ଦେଇଥିଲେ। ଫଳରେ ଭ୍ରମଣକାରୀ ଭାରତ ଆଉ କେବଳ ୧୧୬ ରନ୍‌ ଯୋଡ଼ି ବଳକା ୭ ଓ୍ଵିକେଟ୍‌ ହରାଇଥିଲା। ଦ୍ୱିତୀୟ ପାଳିରେ ଦଳ ମୋଟ ୫୦.୨ ଓଭର ଖେଳି ସମସ୍ତ ଓ୍ଵିକେଟ୍‌ ବିନିମୟରେ ୧୫୧ ରନ୍‌ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ୧୩୫ ରନ୍‌ରେ ବିଜୟୀ ହୋଇଥିଲା। ଗତକାଲି ୨୩ ଓଭର ଖେଳିଥିବା ଭାରତ ଆଜି ମାତ୍ର ୨୭.୨ ଓଭର ଖେଳି ପାରିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୭ ରନ୍‌ କରିଥିଲେ। ଅନ୍ୟ ପକ୍ଷରେ ପଦାର୍ପଣକାରୀ ଲୁଙ୍ଗି ଏନ୍‌ଗିଡି ଦକ୍ଷିଣ ଆଫ୍ରିକା ତରଫରୁ ସର୍ବାଧିକ ୬ ଓ୍ଵିକେଟ୍‌ କରାୟତ କରିଥିଲେ। ପ୍ରଥମ ପାଳିରେ ଦକ୍ଷିଣ ଆଫ୍ରିକା ୩୩୫ ରନ୍‌ କରିଥିଲା। ଅଧିନାୟକ କୋହଲିଙ୍କ ୧୫୩ ରନ୍‌ର ଚିତାକର୍ଷକ ପାଳି ସତ୍ତ୍ୱେ ଭାରତ ୩୦୭ ରନ୍‌ କରି ୨୮ ରନ୍‌ରେ ପଛୁଆ ରହିଥିଲା। ବୁଧବାର ଖେଳ ଆରମ୍ଭର ମାତ୍ର ୬.୫ ଓଭର ଭିତରେ ଦକ୍ଷିଣ ଆଫ୍ରିକା ବୋଲର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା (୧୯) ଏବଂ ପାର୍ଥବ ପଟେଲଙ୍କୁ ପାଭିଲିୟନ ଫେରାଇ ଦେଇଥିଲା। ପୂଜାରା ରନ୍‌ ଆଉଟ୍‌ ହୋଇଥିଲା ବେଳେ ପାର୍ଥିବ କାଗିସୋ ରବାଦାଙ୍କ ଶିକାର ହୋଇଥିଲେ। ରୋହିତ ଶର୍ମା (୪୭ ରନ୍‌୍‌, ୭୪ ବଲ୍‌, ୬ ଚୌକା, ୧ ଛକା) ଏବଂ ମହମ୍ମଦ ସାମି (୨୮ ରନ୍‌, ୨୪ ବଲ୍‌, ୫ ଚୌକା) କେତେକ ଦର୍ଶନୀୟ ସଟ୍‌ ଖେଳି ଦକ୍ଷିଣ ଆଫ୍ରିକା ବିଜୟକୁ ସାମାନ୍ୟ ବିଳମ୍ବିତ କରିଥିଲେ। ହେଲେ ଏନଗିଡି ଶେଷ ଓ୍ଵିକେଟ୍‌ ଭାବେ ଯଶ୍‌ପ୍ରୀତ ବୁମରାଙ୍କୁ ଭର୍ନାନ ଫିଲାଣ୍ଡରଙ୍କ ହାତରେ କ୍ୟାଚ୍‌ କରାଇ ଦକ୍ଷିଣ ଆଫ୍ରିକା ପାଇଁ ବିଜୟର ଔପଚାରିକତା ପୂରଣ କରିଥିଲେ।

ଏନ୍‌ଗିଡିଙ୍କ ପଦାର୍ପଣ ପରାକ୍ରମ
କେପଟାଉନ ଟେଷ୍ଟରେ ଭର୍ନାନ ଫିଲାଣ୍ଡର ଯାହା କରିଥିଲେ ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକାର ନବାଗତ ଦ୍ରୁତ ବୋଲର ଲୁଙ୍ଗି ଏନ୍‌ଗିଡି ତାହା କଲେ। ପଦାର୍ପଣରେ ହିଁ ସେ ନିଜ ଦଳର ବିଜୟରେ ନିର୍ଣ୍ଣାୟକ ଭୂମିକା ନେଲେ। ୨୧ ବର୍ଷୀୟ ଏନ୍‌ଗିଡି କିନ୍ତୁ ଦକ୍ଷିଣ ଆଫ୍ରିକାର ମୂଳ ଦଳରେ ନଥିଲେ। ପୁରୁଖା ବୋଲର ଡେଲ୍‌ ଷ୍ଟେନ୍‌ କେପ୍‌ଟାଉନରେ ଆହତ ହୋଇ ଶୃଙ୍ଖଳାରୁ ବାଦ ପଡ଼ିବା ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ସେଞ୍ଚୁରିଅନ ଟେଷ୍ଟ ପାଇଁ ତାଙ୍କୁ ଡାକରା ମିଳିଥିଲା। ଏହା ମଧ୍ୟ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଥିଲା। ୬ ଫୁଟ ଉଚ୍ଚତା ବିଶିଷ୍ଟ ଏନ୍‌ଗିଡି ଭାରତର ପ୍ରଥମ ପାଳିରେ ମାତ୍ର ଗୋଟିଏ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ହେଲେ ଦ୍ୱିତୀୟ ପାଳିରେ ୬ ଓ୍ଵିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାକୁ ମ୍ୟାଚ୍‌ ଏବଂ ଶୃଙ୍ଖଳା ବିଜୟ ଉପହାର ଦେଇଥିଲେ। ପଦାର୍ପଣରେ ପାଞ୍ଚ ଓ୍ଵିକେଟ୍‌ ସଫଳତା ପାଇବାରେ ଲାନ୍ସ କ୍ଲୁଜନରଙ୍କ ପରେ ସେ ମଧ୍ୟ ଦକ୍ଷିଣ ଆଫ୍ରିକାର ପ୍ରଥମ ବୋଲର ହୋଇଥିଲେ। ଏହି ଅନନ୍ୟ ସଫଳତା ଲାଗି ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଲାଭ କରିଥିଲେ।

କୋହଲି ହତାଶ, ବ୍ୟାଟରଙ୍କୁ ଭର୍ତ୍ସନା
ଦକ୍ଷିଣ ଆଫ୍ରିକା ଗସ୍ତର ପ୍ରଥମ ଦୁଇ ଟେଷ୍ଟ ହାରିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବେଶ୍‌ ବାଧିଛି। ତାଙ୍କ ହୃଦୟ ଯେମିତି ପୂରା ଭାଙ୍ଗି ଯାଇଛି। ବିବାହର ମାତ୍ର କିଛି ଦିନ ପରେ କ୍ରିକେଟ୍‌ ପଡ଼ିଆକୁ ଓହ୍ଲାଇ ଲଜ୍ଜାଜନକ ଭାବେ ଶୃଙ୍ଖଳା ହାରିବାର ଦୁଃଖ ବୁଧବାର ତାଙ୍କ ମୁଖ ମଣ୍ଡଳରୁ ସ୍ପଷ୍ଟ ବାରି ହେଉଥିଲା। କୋହଲି କହିଥିଲେ ଯେ ବୋଲରମାନେ ସେମାନଙ୍କ କାମ ଠିକ୍‌ ଭାବେ କରିଥିଲେ। ହେଲେ ବ୍ୟାଟିଂ ଆମକୁ ନିରାଶ କଲା। ଆମେ ଭାଗୀଦାରି କରିବାରେ ବିଫଳ ହେଲୁ। ପ୍ରାରମ୍ଭିକ ସଫଳତାରୁ ବି ଫାଇଦା ଉଠାଇ ପାରିଲୁନି। ପ୍ରଥମ ପାଳିରେ ଆମେ ଅଗ୍ରଣୀ ନେବାର ଥିଲା। ବ୍ୟାଟିଂ ବିଭାଗ ଆଶାଜନକ ପ୍ରଦର୍ଶନ କରି ପାରିଲା ନାହିଁ ବୋଲି ସେ ସ୍ୱୀକାର କରିଥିଲେ। ପ୍ରଥମ ପାଳିରେ ୧୫୩ ରନ୍‌ କରିଥିଲେ ମଧ୍ୟ ଏବେ ଏହାର ମୂଲ୍ୟ କିଛି ରହିଲାନି ବୋଲି ସେ ସ୍ପଷ୍ଟ କରିଥିଲେ। ଏବେ ସେହି ପାଳିର କୌଣସି ମୂଲ୍ୟ ନାହିଁ। ଆମେ ମ୍ୟାଚ୍‌ ଏବଂ ଶୃଙ୍ଖଳା ହାରି ସାରିଛି ବୋଲି ମ୍ୟାଚ୍‌ ପରର ସାକ୍ଷାତକାରରେ ହତାଶ କୋହଲି କହିଥିଲେ। କ୍ଷେତ୍ରରକ୍ଷଣ ଅତି ନିମ୍ନମାନର ଥିଲା ବୋଲି ସେ ଖୋଲାଖୋଲି ସ୍ୱୀକାର କରିଥିଲେ।

ଧୋନିଙ୍କୁ ଝୁରିଲେ ଗାଭାସ୍କର

ସେଞ୍ଚୁରିଅନ୍‌ରେ ଭାରତର ଲଜ୍ଜାଜନକ ପରାଜୟ ପରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ମନେ ପକାଇଛନ୍ତି। ଧୋନି ଟେଷ୍ଟ କ୍ରିକେଟ୍‌ରୁ ସମୟ ପୂର୍ବରୁ ଅବସର ନେଇଗଲେ। ଦକ୍ଷିଣ ଆଫ୍ରିକାରେ କୋହଲି ତାଙ୍କଠାରୁ ଅନେକ କିଛି ଶିଖି ପାରି ଥାଆନ୍ତେ। ଧୋନି ପାଖରେ ଥିଲେ କୋହଲିଙ୍କ ପାଇଁ କାମ ସହଜ ହୋଇ ଯାଆନ୍ତା ବୋଲି ନିରାଶ ଗାଭାସ୍କର କହିଛନ୍ତି। କିଛି ଦିନ ପୂର୍ବେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ ମଧ୍ୟ ଭାରତୀୟ ଦଳର ରଣନୀତିକୁ ସମାଲୋଚନା କରିଥିଲେ। ବିଶେଷ କରି ଭୁବନେଶ୍ୱର କୁମାରଙ୍କୁ ସେଞ୍ଚୁରିଅନ ଟେଷ୍ଟରୁ ବାଦ୍‌ ଦିଆଯିବା ନେଇ ସେହବାଗ ଖୋଲା ଅସନ୍ତୋଷ ଜାହିର କରିଥିଲେ।

ସମ୍ବନ୍ଧିତ ଖବର