ସିଡ୍‌ନି : ଟ୍ବେଣ୍ଟି-୨୦ରେ ଭାରତୀୟ କ୍ରିକେଟ୍ ଦଳର ଟାଣୁଆ ପ୍ରଦର୍ଶନ ଜାରି ରହିଛି। ପାଣ୍ଡ୍ୟା ପରାକ୍ରମ ବଳରେ ବିରାଟ ବାହିନୀ ପୁଣି ଥରେ କଙ୍ଗାରୁ ଶିକାର କରିନେଇଛି। କାନବେରାରେ ଆରମ୍ଭ ହୋଇଥିବା ବିଜୟ ଧାରା ସିଡ୍‌ନି ପର୍ଯ୍ୟନ୍ତ ଲମ୍ବିବା ପରେ ଅଷ୍ଟ୍ରେଲିଆ ମାଟିରେ ଭାରତ ଆଉ ଏକ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତି ନେଇଛି। ରବିବାର ଐତିହାସିକ ସିଡ୍‌ନି କ୍ରିକେଟ୍ ପଡ଼ିଆରେ ଖେଳା ଯାଇଥିବା ଫଟାଫଟ୍ କ୍ରିକେଟ୍‌ର ଦ୍ବିତୀୟ ମୁକାବିଲାକୁ ୬ ୱିକେଟ୍‌ରେ ଜିତି ‌‌ନେଇ ଭାରତ ଆଗୁଆ ଏହି ଶୃଙ୍ଖଳା ବିଜୟର ସମ୍ମାନ ଲାଭ କରିଛି। ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌କୁ ଜିତିବା ପରେ ୨-୦ରେ ଶୃଙ୍ଖଳା କବ୍‌ଜା କରି ନେଇଛି ଭାରତ।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ଶୃଙ୍ଖଳାର ଅନ୍ତିମ ଲଢ଼େଇକୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ଜିତି ଫର୍ମ ଫେରି ପାଇଥିବା ବିରାଟ ବାହିନୀ ମଧ୍ୟ ଅଷ୍ଟ୍ରେଲିଆର ଆହ୍ବାନପୂର୍ଣ୍ଣ ପରିବେଶ ଓ କଠୋର ପିଚ୍‌ରେ ଲଗାତାର ତିନିଟି ମ୍ୟାଚ୍ (ଗୋଟିଏ ଦିନିକିଆ, ଦୁଇଟି ଟ୍ବେଣ୍ଟି-୨୦) ଜିତିବାର ଗୌରବ ଅର୍ଜନ କରିଛି। ସେହିଭଳି ଦିନିକିଆ ଶୃଙ୍ଖଳା ପରାଜୟର ମଧୁର ପ୍ରତିଶୋଧ ବି ଟ୍ବେଣ୍ଟି-୨୦ରେ ନେଇଛି। ତା’ ସହ ଟ୍ବେଣ୍ଟି-୨୦ରେ ଲଗାତାର ୧୧ ମ୍ୟାଚ୍‌ରେ ଅପରାଜେୟ ରହିବା ଏବଂ ବିଦେଶ ମାଟିରେ କ୍ରମାଗତ ୧୦ ଟ୍ବେଣ୍ଟି-୨୦ ମ୍ୟାଚ୍ (ୱେଷ୍ଟଇଣ୍ଡିଜ୍ ୩, ନ୍ୟୁଜିଲାଣ୍ଡ ୫ ଏବଂ ଅଷ୍ଟ୍ରେଲିଆରେ ୨ ବିଜୟ) ଜିତିବାର ଅନନ୍ୟ ସଫଳତା ଲାଭ କରିଛି । ଆଜିର ନିଣ୍ଣାୟକ ଲଢ଼େଇରେ ଭାରତ ବାଜି ମାରିନେବା ପରେ ଶୃଙ୍ଖଳା ବିଜୟ ଦୃଷ୍ଟିରୁ ମଙ୍ଗଳବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ର ଗୁରୁତ୍ବ ଯଥେଷ୍ଟ କମିଯାଇଛି। ତେବେ ଟିମ୍ ଇଣ୍ଡିଆର ଏହି ସଫଳ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଶଂସକ ବେଶ୍ ଖୁସୀ ଅଛନ୍ତି।

ଛକାରେ ବିଜୟ ମୁଣ୍ଡି
ପ୍ରଥମ ଟ୍ବେଣ୍ଟି-୨୦କୁ ଭାରତ ୧୧ ରନ୍‌ରେ ଜିତିବା ପରେ ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ଏହି ଧାରା ବଜାୟ ରଖିବ ବୋଲି ସମର୍ଥକ ଆଶା ରଖିଥିଲେ। ବିରାଟଙ୍କ ଯୁବ ବାହିନୀ ମଧ୍ୟ ସେମାନଙ୍କୁ ନିରାଶ କରିନଥିଲା। ଶୃଙ୍ଖଳା ବିଜୟର ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା‌ କରିନଥିଲା। କେଏଲ୍ ରାହୁଲ (୩୦ ରନ୍, ୨୨ ବଲ୍, ୨ ଚୌକା, ୧ ଛକା) ଓ ଶିଖର ଧାୱନ (୫୨ ରନ୍, ୩୬ ବଲ୍, ୪ ଚୌକା, ୨ ଛକା) ୫୬ ରନ୍‌ର ଦୃଢ଼ ମୂଳଦୁଆ ପକାଇବା ପରେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଛକାରେ ହିଁ ଭାରତ ବିଜୟ ମୁଣ୍ଡି ମାରିବା ସହ ଶୃଙ୍ଖଳା ନିଜ ନାଁ’ରେ କରି ନେଇଥିଲା। ଧାୱନ ଧମାକାଦାର ବ୍ୟାଟିଂ କରିବା ସହ ଟ୍ବେଣ୍ଟି-୨୦ରେ ଏକାଦଶ ଅର୍ଧଶତକ ପୂରଣ କରିଥିଲେ। ସେ ଓ ରାହୁଲ ପ୍ୟାଭିଲିୟନ ଫେରିବା ପରେ ଅଧିନାୟକ ବିରାଟ କୋହଲି (୪୦ ରନ୍, ୨୪ ବଲ୍, ୨ ଚୌକା, ୨ ଛକା) ଓ ସଞ୍ଜୁ ସାମସନ୍ (୧୫ ରନ୍, ୧୦ ବଲ୍, ୧ ଚୌକା, ୧ ଛକା) ରନ୍ ରେଟ୍ ନିୟନ୍ତ୍ରଣ ବାହାରକୁ ଚାଲିଯିବାକୁ ଦେଇ ନଥିଲେ। ଏହା ପରେ ଶ୍ରେୟସ୍ ଆୟର (୧୨ ରନ୍, ୫ ବଲ୍, ୧ ଚୌକା, ୧ ଛକା) ଓ ପାଣ୍ଡ୍ୟା‌ (୪୨* ରନ୍, ୨୨ ବଲ୍, ୩ ଚୌକା, ୨ ଛକା) ଅବିଭାଜିତ ପଞ୍ଚମ ୱିକେଟ୍‌ରେ ବହୁମୂଲ୍ୟ ୪୬ ରନ୍ ଯୋଡ଼ି ଭାରତକୁ ୨ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ।

ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ଭରି ରହିଥିବା ଏହି ମ୍ୟାଚ୍‌ର ‌ଶେଷ ଓଭରରୁ ବିଜୟ ପାଇଁ ଭାରତକୁ ୧୪ ରନ୍‌ର ଦରକାର ଥିଲା। ଯାହା ଅତ୍ୟନ୍ତ କଷ୍ଟକର ମନେ ହେଉଥିଲା। ହେଲେ ପାଣ୍ଡ୍ୟା ତାଙ୍କ ଚିରାଚରିତ ଚମକରେ ଏହାକୁ ସହଜ କରି ଦେଇଥିଲେ। ଡାନିଏଲ୍ ସାମ୍ସଙ୍କ ପ୍ରଥମ ବଲ୍‌ରୁ ୨ ରନ୍ ନେବା ପରେ ଦ୍ବିତୀୟ ବଲ୍‌କୁ ୱାଇଡ୍ ଲଙ୍ଗ ଅନ୍ ଅଞ୍ଚଳ ସୀମା ରେଖା ବାହାରକୁ ପଠାଇ ଭାରତକୁ ଆଶା ଦେଇଥିଲେ। ତୃତୀୟ ବଲ୍‌ରେ କୌଣସି ରନ୍ ନେଇ ନପାରିବା ପରେ ଚତୁର୍ଥକୁ ଡିପ୍ ମିଡୱିକେଟ୍ ଉପରେ ଛକା ମାରି ଭାରତ ବିଜୟକୁ ପକ୍କା କରି ଦେଇଥି‌ଲେ ପାଣ୍ଡ୍ୟା। ନିଜ ଚିତ୍ତାକର୍ଷକ, ବିସ୍ଫୋରକ ତଥା‌ ମ୍ୟାଚ୍ ବିଜୟୀ ପାଳି ପାଇଁ ସେ ହିଁ ଆଶାଜନକ ଭାବେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

publive-image

ପୁଣି ନଟରାଜନ୍‌ ଚମକ
ନିଜ ପଦାର୍ପଣ ଟ୍ବେଣ୍ଟି-୨୦ରେ ଚମତ୍କାର ବୋଲିଂ କରିଥିବା ତାମିଲନାଡୁ ଦ୍ରୁତ ବୋଲର ଟି ନଟରାଜନ ରବିବାରର ଦ୍ବିତୀୟ ମୁକାବିଲାରେ ମଧ୍ୟ ନିଜ ଛାପ ଛାଡ଼ିଥିଲେ। ୪ ଓଭର ବୋଲିଂ କରି ମାତ୍ର ୨୦ ରନ୍ ବିନିମୟରେ ସେ ୨ ୱିକେଟ୍ କରାୟତ କରିଥିଲେ। ତାଙ୍କ ମିତବ୍ୟୟୀ ବୋଲିଂକୁ ପାଥେୟ କରି ଅଷ୍ଟ୍ରେଲିଆକୁ ଭାରତ ନିର୍ଧାରିତ ୨୦ ଓଭର‌େରେ ୧୯୪/୫ରେ ଅଟକାଇ ଦେଇଥିଲା। ନିୟମିତ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଅନୁପସ୍ଥିତି ମଧ୍ୟ ଅଷ୍ଟ୍ରେଲିଆକୁ ଢେର ବାଧିଥିଲା। କାମଚଳା ଅଧିନାୟକ ମାଥ୍ୟୁ ୱାଦେ ପାଳି ଆରମ୍ଭ କରି ସର୍ବାଧିକ ୫୮ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭେନ ସ୍ମିଥ୍ ୪୬, ମୋଜେସ୍ ହେନରିକ୍ସ ୨୬ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ୨୨ ରନ୍ କରିଥିଲେ। ଭାରତ ପାଇଁ ନଟରାଜନଙ୍କ ବ୍ୟତୀତ ସାର୍ଦୁଲ ଠାକୁର ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ।

ଶେଷ ମ୍ୟାଚ୍‌ ଖେଳିବେନି ଷ୍ଟାର୍କ
ଭାରତ ବିପକ୍ଷ ଟି-୨୦ ଶୃଙ୍ଖଳାର ‌ଶେଷ ଦୁଇ ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓହରିଯାଇଛନ୍ତି। ଦ୍ବିତୀୟ ଟି-୨୦ ଖେଳିବା ଲାଗି ସେ ଶନିବାର ସିଡ୍‌ନିରେ ପହଞ୍ଚି ଯାଇଥିଲେ। ହେଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ଖବର ପାଇବା ପରେ ସେ ଦଳୀୟ ଜୈବ ବଳୟ ପରିବେଶ ଛାଡ଼ି ନିଜ ଘରକୁ ଯାଇଛନ୍ତି। ପରିବାରଠୁ ବିଶ୍ବରେ କିଛି ବଡ଼ ନାହିଁ। ଏଭଳି ସମୟରେ ତାଙ୍କ ପାଖରେ ମଧ୍ୟ ସେହି ଭାବନା ରହିଛି। ଏହି ସମୟରେ ଆମେ ତାଙ୍କୁ ଛୁଟି ପ୍ରଦାନ କରିଛୁ। ‌ସ୍ବାସ୍ଥ୍ୟାବସ୍ଥା ସୁଧୁରିଲା ପରେ ସେ ଫେରିବେ ବୋଲି ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ଏକ ବିବୃତିରେ କହିଛନ୍ତି।