ପର୍ଥ: ପର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହାଣେ ଅଷ୍ଟ୍ରେଲିଆକୁ କଡ଼ା ଜବାବ ଦେଇଛନ୍ତି। ମାତ୍ର ୮ ରନ୍ରେ ଭାରତ ୨ଟି ଓ୍ଵିକେଟ ହରାଇବା ପରେ ମଧ୍ୟ ପରବର୍ତ୍ତୀ ସମୟରେ ସ୍ତମ୍ଭ ଭଳି କ୍ରିଜ ଉପରେ ଛିଡ଼ା ହୋଇ କୋହଲି ଏବଂ ରାହାଣେ ବ୍ୟାଟିଂ କରିଛନ୍ତି।
ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ୩୨୬ ରନ୍ରେ ଅଟକାଇବା ପରେ ଦ୍ୱିତୀୟ ଦିନ ଶନିବାର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୧୭୨ ରନ୍ ସଂଗ୍ରହ କରିଛି। ଚାରି ଟେଷ୍ଟ ମ୍ୟାଚ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାରେ ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କଙ୍ଗାରୁ ଦେଶର ଖେଳାଳିମାନେ ଆରମ୍ଭରୁ ସତର୍କତାର ସହିତ ଖେଳି ଥିଲେ ମଧ୍ୟ ଯେଭଳି ଲକ୍ଷ୍ୟ ରଖିଥିଲେ ତାହା କରିବାକୁ ଦେଇନଥିଲେ ଭାରତୀୟ ବୋଲର। ଭାରତ ପକ୍ଷରୁ ଈଶାନ୍ତ ୪ ଓ୍ଵିକେଟ ନେଇଥିବା ବେଳେ ହନୁମା ବିହାରୀ, ଉମେଶ ଯାଦବ ଏବଂ ଯଶପ୍ରୀତ ବୁମରାଙ୍କୁ ୨-୨ ଓ୍ଵିକେଟ ମିଳିଛି।
ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର କୌଣସି ଖେଳାଳି ଭଲ ପ୍ରଦର୍ଶନ କରି ପାରି ନାହାନ୍ତି। କ୍ରିଜରୁ ବିଦାୟ ନେବା ପୂର୍ବରୁ ଭାରତ ୧୫୪ ରନ ପଛରେ ଅଛି। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୮୨ ରନ ଏବଂ ରାହାଣେ ୫୧ ରନ ସଂଗ୍ରହ କରି ପଡ଼ିଆରୁ ଅପରାଜିତ ଫେରିଛନ୍ତି। ଉଭୟ ବ୍ୟାଟସ୍ମ୍ୟାନ୍ ୩୦.୪ ଓଭରରେ ୯୦ ରନ୍ ଯୋଡ଼ିଛନ୍ତି।
ଭାରତ ମାତ୍ର ୮ ରନ୍ରେ ୨ଟି ମୂଲ୍ୟବାନ ଓ୍ଵିକେଟ ହରାଇଥିଲା। କୋହଲି ଓ ଚେତେଶ୍ୱର ପୂଜାରା ତୃତୀୟ ଓ୍ଵିକେଟ ପାଇଁ ୭୪ ରନ୍ ଯୋଡ଼ିଥିଲେ। ପୂଜାରା ଆଉଟ୍ ହୋଇ ପାଭଲିୟନ ଫେରିଯିବା ପରେ ରାହାଣେଙ୍କ ସହିତ କୋହଲି ନିଜ ଭାଗିଦାରୀକୁ ଆଗକୁ ବଢ଼ାଇଥିଲେ।