ମେଲ୍ବର୍ନ: ଆଡିଲେଡ୍ ଟେଷ୍ଟ୍ରେ ଲଜ୍ଜାଜନକ ଦ୍ବିତୀୟ ପାଳି ପାଇଁ ପରାଜିତ ହୋଇଥିବା ଭାରତୀୟ ଦଳ ମେଲବର୍ନରେ ବିଜୟ ହାସଲ କରିଛି। ଦ୍ବିତୀୟ ଟେଷ୍ଟରେ ଭ୍ରମଣକାରୀ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ତିନି ଦିନ ଧରି ପ୍ରାଧାନ୍ୟ ବିସ୍ତାର କରିବା ପରେ ଅଜିଙ୍କ୍ୟ ରାହାଣେଙ୍କ ଦଳ ବିଜୟ ବଳରେ ସିରିଜକୁ ସମତୁଲ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ କରି ଥିବା ବେଳେ ଏହାର ଜବାବରେ ଅଧିନାୟକ ରାହାଣେଙ୍କ ଶତକୀୟ ପ୍ରଦର୍ଶନ (୧୧୨) ବଳରେ ଭାରତ ପ୍ରଥମ ଇନିଂସରେ ୩୨୬ ରନ୍ କରିଥିଲା। ଏହାପରେ ୧୩୧ ରନ ପଛରେ ପଡ଼ିଥିବା କଙ୍ଗାରୁ ଦଳ ପଡ଼ିଆକୁ ଓହ୍ଲାଇ ଭାରତୀୟ ବୋଲିଂକୁ ଠିକ ଭାବେ ମୁକାବିଲା କରିପାରି ନ ଥିଲା। ଫଳରେ ୨୦୦ ରନରେ ସମସ୍ତ ଉଇକେଟ ହରାଇ ଭାରତ ଲାଗି ୭୦ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଆଜି ଭାରତୀୟ ଦଳ ମାତ୍ର ୨ଟି ଉଇକେଟ୍ ହରାଇ ମ୍ୟାଚ ହାତେଇ ନେଇଥିଲା।
/sambad/media/post_attachments/wp-content/uploads/2020/12/cric.jpg)
ପ୍ରଥମ ପାଳିରେ ୧୩୧ ରନ୍ ପଛରେ ପଡ଼ିଯିବା ପରେ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ପ୍ରତ୍ୟାବର୍ତନ କରିବା ଆଶାରେ ରଖିଥିଲା। ଭାରତୀୟ ବୋଲରମାନେ କିନ୍ତୁ ନିଜ ଲୟ ଜାରି ରଖି ଏହା କରାଇ ଦେଇନଥିଲେ। ଉମେଶ ଯାଦବଙ୍କ ଦ୍ବିତୀୟ ଓଭରରେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଜୋ ବର୍ନସ (୪) ୱିକେଟ୍ ପଛପଟେ ଋଷବ ପନ୍ତଙ୍କ ଗ୍ଲୋଭ୍ସରେ ଧରା ପଡ଼ିଥିଲେ। ମାଥ୍ୟୁ ୱାଦେଙ୍କ ସହ ମିଶି ମାର୍ନସ ଲବୁସାନ୍ ୩୮ ରନ୍ ଯୋଡ଼ିଥିଲେ। ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍ କିନ୍ତୁ ଲବୁସାନଙ୍କୁ ରାହାଣେଙ୍କ ହାତରେ କ୍ୟାଚ୍ କରାଇ ଆଗକୁ ବଢ଼ିବାକୁ ଦେଇନଥିଲେ। ଚା’ପାନ ବିରତି ପରେ କିନ୍ତୁ ସଂଘର୍ଷରତ ଷ୍ଟିଭେନ୍ ସ୍ମିଥ୍ଙ୍କୁ ଚକ୍ମା ଦେଇଥିଲେ ଯଶପ୍ରୀତ୍ ବୁମ୍ରା। ବୁମ୍ରାଙ୍କ ଲାଇନ୍ରେ ସମ୍ପୂର୍ଣ୍ଣ ପରାସ୍ତ ହୋଇ କେବଳ ଲେଗ୍ ଷ୍ଟମ୍ପ୍ ବେଲ୍ ହରାଇବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ଫେରିଥିଲେ ସ୍ମିଥ୍। ଶେଷ ଅଧିବେଶନରେ ଅଷ୍ଟ୍ରେଲିଆ ୪ ୱିକେଟ୍ ହରାଇବାରୁ ଭାରତ ଏହି ଟେଷ୍ଟ୍କୁ ନିଜ ନିୟନ୍ତ୍ରଣକୁ ନେଇଛି। ଟ୍ରାଭିସ ହେଡ୍ଙ୍କୁ ମହମ୍ମଦ ସିରାଜ ଆଉଟ୍ କରିଥିବା ବେଳେ ରବୀନ୍ଦ୍ର ଜାଦେଜା ଦୁଇଟି ପ୍ରମୁଖ ୱିକେଟ୍ ନେଇଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ୱାଦେ (୪୦) ଏବଂ ଅଧିନାୟକ ଟିମ୍ ପେନ୍ (୧)ଙ୍କୁ ନେଇ ଦୁଇଟି ବଡ଼ ଶିକାର କରିଥିଲେ ଜାଦେଜା। ଅଷ୍ଟ୍ରେଲିଆ ୯୯ ରନ୍ରେ ଷଷ୍ଠ ୱିକେଟ୍ ହରାଇଥିବା ବେଳେ କାମେରନ୍ ଗ୍ରିନ୍ (୧୭*) ଓ ପ୍ୟାଟ୍ କମିନ୍ସ (୧୫*) ଅତୁଟ ସପ୍ତମ ୱିକେଟ୍ ପାଇଁ ୩୪ ରନ୍ ଯୋଡ଼ି ପାଳି ପରାଜୟର ଦଳକୁ ବାହାର କରିବାକୁ ଉଦ୍ୟମ ଜାରି ରଖିଥିଲେ।
୧୩୩ ରନ୍ରେ ୬ ୱିକେଟ୍ ହରାଇ ହାତରେ ୪ ୱିକେଟ୍ ଥାଇ ଅଷ୍ଟ୍ରେଲିଆ ମାତ୍ର ୨ ରନ୍ରେ ଆଗୁଆ ହୋଇଥିବାରୁ ମ୍ୟାଚ୍ ଭ୍ରମଣକାରୀ ଦଳ ନିୟନ୍ତ୍ରଣରେ ମ୍ୟାଚ ଥିବା ଭଳି ଲାଗୁଥିଲା । ଗତରାତିରୁ ଖେଳୁଥିବା ବ୍ୟାଟ୍ସ୍ମ୍ୟାନ୍ କ୍ୟାମେରନ୍ ଗ୍ରିନ୍ ଏବଂ ପ୍ୟାଟ୍ କୁମିନ୍ସ୍ ଖେଳର ପ୍ରଥମ ଏକ ଘଣ୍ଟାରେ ଉତ୍ତମ ମୁକାବିଲା ପ୍ରଦର୍ଶନ କରିଥିଲେ। ଏହା ପରେ ଅଜିଙ୍କ୍ୟ ରାହାଣେ ଦ୍ୱିତୀୟ ନୂଆ ବଲ୍ ନେବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି ନିଷ୍ପତ୍ତି ଅତି ଆଶ୍ଚର୍ଯ୍ୟଜନକ ଭାବେ ଫଳପ୍ରଦ ହେଲା ଏବଂ ଜସ୍ପ୍ରୀତ୍ ବୁମ୍ରା ୮୩ତମ ଓଭର୍ରେ କୁମିନ୍ସ୍ଙ୍କୁ ୨୨ ରନ୍ କରିଥିବା ବେଳେ ଆଉଟ୍ କରିଥିଲେ। ପରେ ପରେ ମହମଦ୍ ସିରାଜ ୪୫ ରନ୍ କରିଥିବା ଗ୍ରିନ୍ ଏବଂ ୩ ରନ୍ କରିଥିବା ନାଥନ ଲିୟନ୍ଙ୍କୁ ଆଉଟ୍ କରିଥିଲେ। ଲଞ୍ଚ୍ ପୂର୍ବରୁ ଅନ୍ତିମ ଓଭର୍ରେ ରବିଚନ୍ଦ୍ରନ ଏହି ଧାରା ବଜାୟ ରଖି ଜୋସ୍ ହେଜେଲ୍ଉଡ୍ଙ୍କୁ ଆଉଟ୍ କରିଥିଲେ। ଘରୋଇ ଦଳ ମାତ୍ର ୨୦୦ କରି ଭାରତୀୟ ଦଳ ହାତକୁ ମ୍ୟାଚ ଟେକି ଦେଇଥିଲା।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ବର୍ଷ ଜାନୁଆରି ୭ ତାରିଖ ଦିନ ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡ୍ରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ଆୟୋଜନ କରାଯାଇଛି।