ଗୁଆହାଟୀ: ଭାରତ ୩-୦ରେ ଅପରାଜେୟ ଅଗ୍ରଣୀ ନେଇଯିବା ପାଇଁ ବଦ୍ଧ ପରିକର ଥିବାବେଳେ ଅଷ୍ଟ୍ରେଲିଆ ଆଗୁଆ ଶୃଙ୍ଖଳା ପରାଜୟ ବରଣର ବିପଦକୁ ଟାଳିବାକୁ ଶେଷ ସୁଯୋଗ ପାଇବ ମଙ୍ଗଳବାର। ଗୁଆହାଟୀର ବର୍ଷାପଡ଼ା ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ତୃତୀୟ ଟ୍ବେଣ୍ଟି-୨୦ ଖେଳାଯିବା ପୂର୍ବରୁ ଏଭଳି ଆକଳନ କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଦଳ ୨-୦ରେ ଆଗୁଆ ଥିବାରୁ ଆତ୍ମବିଶ୍ବାସକୁ ଉଚ୍ଚରେ ରଖିଛି। ତ୍ରୁଟିଶୂନ୍ୟ ବ୍ୟାଟିଂ କରି ଏହି ଯୁବ ସେନା ଅଷ୍ଟ୍ରେଲିଆକୁ ଅଡୁଆରେ ପକାଇଛି। ବର୍ଷାପଡ଼ା ଷ୍ଟାଡିୟମ୍‌ ପିଚ୍‌ ବ୍ୟାଟିଂ ଅନୁକୂଳ ଥିବାରୁ ଏଠାରେ ମଧ୍ୟ ରନ୍‌ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଭାରତର ଯୁବ ବ୍ୟାଟରମାନେ ପ୍ରଥମ ଦୁଇ ମ୍ୟାଚ୍‌ରେ ମୋଟ ୩୬ ଚୌକା ଓ ୨୪ ଛକା ମାରିସାରିଛନ୍ତି। ଗୁଆହାଟୀର ୪୦,୦୦୦ ଦର୍ଶକ ମଧ୍ୟ ଏଭଳି ଏକ ‌ଟ୍ବେଣ୍ଟି-୨୦ ଦେଖିବାକୁ ଆଶା ରଖିଛନ୍ତି।

Advertisment

ବିଶ୍ବକପ୍‌ ଫାଇନାଲ୍ ପରାଜୟ ପରେ ସପ୍ତାହକ ପାଇଁ ବିଶ୍ରାମ ନେଇଥିବା ଶ୍ରେୟସ ଆୟର ଦଳକୁ ଫେରୁଛନ୍ତି। ସେ ଋତୁରାଜ ଗାଏକ୍ବାଡଙ୍କଠାରୁ ଉପ ଅଧିନାୟକ ଦାୟିତ୍ବ ମଧ୍ୟ ସମ୍ଭାଳିବେ। କିନ୍ତୁ ଆୟରଙ୍କ ଆଗମନ ପରେ ତିଳକ ବର୍ମାଙ୍କୁ ଚୂଡାନ୍ତ ଏକାଦଶ ବାହାରକୁ ଯିବାକୁ ପଡ଼ିବ। କିନ୍ତୁ ତୃତୀୟ ମ୍ୟାଚ୍‌ରେ ଆୟର ଖେଳିବା ସମ୍ଭାବନା କମ୍ ରହିଛି। ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ, ଈଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଥିବାରୁ ଭାରତର ବ୍ୟାଟିଂକୁ ନେଇ ‌‌ସେଭଳି ଚିନ୍ତା ନାହିଁ। ଆସନ୍ତା ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ବାମହାତୀ ବ୍ୟାଟର୍‌ ରିଙ୍କୁ ସିଂହ ୬ ନମ୍ବର ସ୍ଥାନକୁ ଏକ ପ୍ରକାର ପକ୍କା କରି ସାରିଛନ୍ତି ଏବଂ ଫିନିସର୍ ଭୂମିକାକୁ ଭଲ ଭାବେ ତୁଲାଇବାରେ ସଫଳ ହେଉଛନ୍ତି। ତିଳକ ବର୍ମା ଭାରତର ବିଗତ ୧୨ ଟ୍ବେଣ୍ଟି-୨୦ରେ ଖେଳିଛନ୍ତି। କିନ୍ତୁ ଚଳିତ ଶୃଙ୍ଖଳାରେ ଗତ ଦୁଇ ମ୍ୟାଚ୍‌ରେ ମାତ୍ର ୧୨ ବଲ୍‌ ଖେଳିଥିବାରୁ ଚାପରେ ରହିଛନ୍ତି। ଭାରତୀୟ ବୋଲିଂ ବାହିନୀ ପ୍ରଥମ ମ୍ୟାଚ୍ ତୁଳନାରେ ଦ୍ବିତୀୟରେ ଉନ୍ନତି କରିଥିଲେ। ପ୍ରଥମଟିରେ ୨୦୮ ରନ୍‌ ବ୍ୟୟ କରିଥିବା ବେଳେ ଦ୍ବିତୀୟ‌ରେ ୧୯୧ ରନ୍‌ ଦେଇଥିଲେ। ଡଟ୍ ବଲ୍‌ରେ ମଧ୍ୟ ୪୫ ଓ ୪୪ ଦେଇଥିଲେ। ବାଉଣ୍ଡରି ବରଣରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି। ବିଶାଖାପାଟଣାରେ ଜୋସ୍ ଇଂଲିସ ଓ ଷ୍ଟିଭେନ୍ ସ୍ମିଥଙ୍କ ଆକ୍ରମଣର ଶିକାର ହୋଇଥିବା ପ୍ରସିଦ୍ଧ କୃଷ୍ଣ ତ୍ରିଭେନ୍ଦ୍ରମରେ ୩ ୱିକେଟ୍ ନେଇ ଚମତ୍କାର ପ୍ରତ୍ୟାବର୍ତନ କରିଛନ୍ତି। ଅର୍ଶ‌ଦୀପ ସିଂହ ମଧ୍ୟ ସଫଳତାର ସହ ବ୍ଲକ୍ ହୋଲ୍ ଡେଲିଭରି ପକାଇବାରେ ସକ୍ଷମ ହୋଇଛନ୍ତି।

ଅନ୍ୟପକ୍ଷରେ ଭାରତରେ ପ୍ରାୟ ଦୁଇ ମାସରୁ ଉର୍ଧ୍ବ ସମୟ କାଟି ସାରିଥିବା ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟୋଇନିସ୍‌ ଓ ଆଡାମ ଜାମ୍ପାଙ୍କ ଭଳି ବରିଷ୍ଠ ଖେଳାଳିମାନେ କ୍ଲାନ୍ତ ହୋଇପଡ଼ିଥିବା ସେମାନଙ୍କ ଶାରୀରିକ ଭାଷା ଦର୍ଶାଉଛି। ଏମାନେ ଆସନ୍ତା ମାସରେ ବିଗ୍ ବାସ୍ ଲିଗ୍‌ରେ ଖେଳିବାର ମଧ୍ୟ ରହିଛି। ଷ୍ଟିଭେନ୍ ସ୍ମିଥ୍‌ଙ୍କ ପରବର୍ତ୍ତୀ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ହେଉଛି ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା। ଏବେ ଶୃଙ୍ଖଳାରେ ଜୀବିତ ରହିବାକୁ ସେମାନଙ୍କୁ ମଙ୍ଗଳବାର ନିଶ୍ଚିତ ବିଜୟ ଆବଶ୍ୟକ ଥିବାରୁ ମାଥ୍ୟୁ ୱେଡ୍‌ଙ୍କ ଦଳ କିଛି କରିସ୍ମା କରିବା ଆଶାରେ ରହିବ। ବର୍ଷାପଡ଼ା ଷ୍ଟାଡିୟମ୍‌ରେ ରନ୍‌ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ଏଠାରେ ଖେଳାଯାଇଥିବା ଶେଷ ୧୦ ମ୍ୟାଚ୍‌ରେ ପ୍ରଥମ ପାଳିର ହାରାହାରି ସ୍କୋର୍‌ ହେଉଛି ୧୧୮ ରନ୍‌। ପାଗ ଭଲ ରହିବ ମଙ୍ଗଳବାର। ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ ଏବଂ ଆଦ୍ରତା ୫୧ ପ୍ରତିଶତ ରହିବ ବୋଲି କୁହାଯାଇଛି। ବର୍ଷାପଡ଼ା ଷ୍ଟାଡିୟମ୍‌ରେ ମାତ୍ର ୩ ଟ୍ବେଣ୍ଟି-୨୦ ଖେଳାଯାଇଛି। ୨୦୨୦ରେ ଭାରତ-ଶ୍ରୀଲଙ୍କା ମ୍ୟାଚ୍‌କୁ ବର୍ଷା ଧୋଇନେଇଥିଲା। କିନ୍ତୁ ୨୦୧୭ରେ ‌ବେହେରନଡର୍ଫଙ୍କ ଘାତକ ବୋଲିଂ କାରଣରୁ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ଭାରତକୁ ହରାଇଥିଲା। ୨୦୨୨ରେ କିନ୍ତୁ ଏଠାରେ ରନ୍‌ ବର୍ଷା ଭିତରେ (ମୋଟ ୪୫୮ ରନ୍‌) ଭାରତ ୧୬ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଫର୍ମାଟରେ ଭାରତ ଆଗରେ ରହିଛି। ମୋଟ ୨୮ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିବାବେଳେ ଭାରତ ୧୭-୧୦ରେ ଆଗୁଆ ରହିଛି। ଗୋଟିଏରୁ ଫଳାଫଳ ମିଳିନଥିଲା। ଶେଷ ୫ ଟ୍ବେଣ୍ଟି-୨୦ରେ ମଧ୍ୟ ଭାରତ ୪-୧ରେ ଆଗୁଆ ରହିଛି।

ଭାରତ ସମ୍ଭାବ୍ୟ ୧୧: ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ, ଈଶାନ କିଶନ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ୍, ଅକ୍ଷର ପଟେଲ୍, ରବି ବି‌ଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ମୁକେଶ କୁମାର।
ଷ୍ଟ୍ରେଲିଆ ସମ୍ଭାବ୍ୟ ୧୧: ଷ୍ଟିଭେନ୍ ସ୍ମିଥ୍, ମାଥ୍ୟୁ ସର୍ଟ,‌ ଜୋସ୍ ଇଂଲିସ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ଷ୍ଟୋଇନିସ୍‌, ଟିମ୍ ଡେଭିଡ୍‌, ମାଥ୍ୟୁ ‌ୱେଡ୍‌ (ଅଧିନାୟକ/ୱିକେଟରକ୍ଷକ), ଆଡାମ ଜାମ୍ପା, ନାଥନ୍ ଏଲିସ୍‌, ଜାସନ୍ ବେହେରନ୍‌ଡର୍ଫ/ସନ୍ ଆବୋଟ୍‌, ତନଭୀର ସାଙ୍ଗା।